କଟକ ୦୪/୦୧: ଭୁବନେଶ୍ୱରସ୍ଥିତ ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମର ଆଉ ଏକ ଜାଲିଆତି ଧରାପଡ଼ିଛି । ହାଇକୋର୍ଟରେ ଏକ ଜାଲ୍ ଚିଠି ଦାଖଲ କରି ଆଶ୍ରମ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବାକୁ ଚେଷ୍ଟା କରିଥିବା ସାଧାରଣ ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ବିବାଦୀୟ ଜମିକୁ ବୈକୁଣ୍ଠଧାମ ଆଶ୍ରମକୁ ପ୍ରଦାନ ଲାଗି ଗଣଶିକ୍ଷା ବିଭାଗ କୁଆଡେ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖି ସୁପାରିସ କରିଥିଲା । ଏହି ଚିଠିକୁ ଦର୍ଶାଇ ଉଚ୍ଛେଦ ଉପରେ ହାଇକୋର୍ଟରୁ ରହିତାଦେଶ ନେଇଥିଲା ବୈକୁଣ୍ଠଧାମ ଆଶ୍ରମ । କିନ୍ତୁ ଏହାକୁ ସରକାରଙ୍କ ପକ୍ଷରୁ ବିରୋଧ କରାଯିବାରୁ ହାଇକୋର୍ଟ ସାଧାରଣ ପ୍ରଶାସନ ବିଭାଗକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ହାଇକୋର୍ଟରେ ଏ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରାଯାଇଛି । ଏଥିରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଚିଠି ଜାଲ୍ ବୋଲି ଦର୍ଶାଯାଇଛି । ଏଭଳି କୌଣସି ଚିଠି ଗଣଶିକ୍ଷା ବିଭାଗ ଲେଖିନାହିଁ ବୋଲି ଅଦାଲତଙ୍କୁ ଅବଗତ କରାଯାଇଛି ଶୁଣାଣି ଆସନ୍ତା ୧୦ତାରିଖକୁ ଧାର୍ଯ୍ୟ କରିଛନ୍ତି । ବୈକୁଣ୍ଠଧାମ ସେବାଶ୍ରମ ଟ୍ରଷ୍ଟ୍ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବି.ପି. ରାଉତରାୟ ନିର୍ଦ୍ଦେଶ ଦେଇଛନ୍ତି ।
ମାମଲାରୁ ଜଣାଯାଇଛି ଯେ, ଘାଟିକିଆ ମୌଜାରେ ବେଆଇନ ଭାବେ ତିଆରି ହୋଇଥିବା ଏହି ଆଶ୍ରମକୁ ଭାଙ୍ଗିବାକୁ ବିଡିଏ କର୍ତ୍ତୃପକ୍ଷ ଗତ ବର୍ଷ ନଭେମ୍ବର ୨୦ତାରିଖରେ ନୋଟିସ୍ ଜାରି କରିଥିଲେ । ବିଡିଏର ଏହି ନିଷ୍ପତ୍ତିକୁ ଚାଲେଞ୍ଜ କରି ବୈକୁଣ୍ଠଧାମ ସେବାଶ୍ରମ ଟ୍ରଷ୍ଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ୍ କରିଥିଲେ । ଏଥିସହ ଉକ୍ତ ବିବାଦୀୟ ଜମି ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଅନ୍ତରୀଣ ଆଦେଶ ଦେଇଥିଲେ । ମାମଲାର ଶୁଣାଣି ଅବସରରେ ଟ୍ରଷ୍ଟ୍ ପକ୍ଷରୁ ହାଇକୋର୍ଟରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଲେଖାଯାଇଥିବା ଏକ ଏକ ଚିଠିକୁ ଦାଖଲ କରାଯାଇଥିଲା । ଉକ୍ତ ଚିଠିରେ ଗଣଶିକ୍ଷା ବିଭାଗ ଉକ୍ତ ଜମିକୁ ଟ୍ରଷ୍ଟ୍ ନାମରେ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ସୁପାରିସ୍ କରିଛି ବୋଲି କୁହାଯାଇଥିଲା । ହାଇକୋର୍ଟ ଏହି ଚିଠି ଆଧାରରେ ଆଶ୍ରମ ଭଙ୍ଗାଯିବା ଉପରେ ରୋକ୍ ଲଗାଇଥିଲେ ।
ପୂର୍ବ ଶୁଣାଣିରେ ଏହାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଥିଲା । ଏହି ଚିଠି ଜାଲ୍ ବୋଲି ଅଦାଲତଙ୍କୁ ଅବଗତ କରାଯାଇଥିଲା । ହାଇକୋର୍ଟ ଏହାକୁ ଗ୍ରହଣ କରି ସାଧାରଣ ପ୍ରଶାସନକୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ସାଧାରଣ ପ୍ରଶାସନ ଏହା ଉପରେ ଜବାବ ରଖି ଏହି ଚିଠି ଜାଲ୍ ବୋଲି ସ୍ପଷ୍ଟ କରିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ଦୟାନନ୍ଦ ମହାପାତ୍ର, ଅରୁଣ କୁମାର ବୁଦ୍ଧିଆ ପ୍ରମୁଖ ପରିଚାଳନା କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହି ନକଲ ଚିଠି ସଂପର୍କରେ ‘ପ୍ରମେୟ’ରେ ପ୍ରଥମେ ବିସ୍ତୃତ ଖବର ପ୍ରକାଶ ପାଇଥିଲା ।