ଭୁବନେଶ୍ୱର,୦୪/୦୧: ହସ୍ପିଟାଲ୍ ସେବା କାର୍ଯ୍ୟରେ ନିୟୋଜିତ ‘ନିର୍ମଳ’ ଯୋଜନାକୁ ସୁଦୃଢ଼ କରାଯିବ । ଆରମ୍ଭ କରାଯିବ ଦ୍ୱିତୀୟ ପର୍ଯ୍ୟାୟ ନିର୍ମଳ ଯୋଜନା । ଏନେଇ ଏନ୍ଏଚ୍ଏଚ୍ ନିର୍ଦ୍ଦେଶିକାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ନିର୍ମଳ ଯୋଜନା ରୂପରେଖ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହେଇଛି । ନିର୍ମାଣ ଯୋଜନା ପରିଚାଳନା ଲାଗି ଇଚ୍ଛୁକ କମ୍ପାନିକୁ ଆମନ୍ତ୍ରଣ କରାଯିବ । ଖୁବ୍ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି ।
ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧ ଏପ୍ରିଲ୍ ୨୦୨୩ରୁ ଏହି ନିର୍ମଳ ଯୋଜନା ଆରମ୍ଭ ହୋଇଥିଲା । ନିର୍ମଳ ଯୋଜନା ଦାୟିତ୍ୱ ନେଇଥିବା କମ୍ପାନି ହସ୍ପିଟାଲ୍ରେ ୩ ବର୍ଷ ପାଇଁ କାର୍ଯ୍ୟ ତୁଲାଇଥିଲେ । ବର୍ତ୍ତମାନ ଏହାର ଅବଧି ଶେଷ ହୋଇଛି । ପୁଣି ଦ୍ୱିତୀୟ ପର୍ଯ୍ୟାୟ ନିର୍ମଳ ଯୋଜନା ୩୧ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ୫୧୭୪.୭୯ କୋଟି ଟଙ୍କା ଖର୍ଚ୍ଚ କରିବା ଆକଳନ କରାଯାଇଛି ।
ରାଜ୍ୟରେ କେତେକ ହସ୍ପିଟାଲ୍ରେ ନିର୍ମଳ ଯୋଜନା ଦାୟିତ୍ୱ ନେଇଥିବା କମ୍ପାନି ତା’ର କାମ ଠିକ୍ରେ କରିପାରୁନାହିଁ । କାମରେ ଠକିବା ସହିତ ରୋଗୀଙ୍କ ସ୍ୱାର୍ଥରେ ବାଧା ଉପୁଜିଛି ବୋଲି ବାରମ୍ବାର ଅଭିଯୋଗ ଆସୁଛି । ରାଜ୍ୟରେ ଆଚାର୍ଯ୍ୟ ହରିହର କ୍ୟାନ୍ସର ଗବେଷଣା ପ୍ରତିଷ୍ଠାନ ଓ କ୍ୟାପିଟାଲ୍ ହସ୍ପିଟାଲ୍ରେ ‘ନିର୍ମଳ ପ୍ଲସ ପ୍ଲସ୍’ ଯୋଜନା କାର୍ଯ୍ୟକାରୀ ହେଉଛି । ସେଠାରେ ଦାୟିତ୍ୱ ନେଇଥିବା କମ୍ପାନି ତା’ର କାର୍ଯ୍ୟରେ ଅବହେଳା କରୁଛି । ଆଉ ରୋଗୀଙ୍କ ସ୍ୱାର୍ଥରେ ବାଧା ଉପୁଜିଛି । ସଫେଇ କର୍ମଚାରୀଙ୍କଠାରୁ ଆରମ୍ଭ କରି ସିକ୍ୟୁରିଟି କର୍ମଚାରୀ ପର୍ଯ୍ୟନ୍ତ ବାରମ୍ବାର ଆନ୍ଦୋଳନ କରୁଛନ୍ତି । ଆଉ ହସ୍ପିଟାଲ୍ କାର୍ଯ୍ୟରେ ବାଧା ଉପୁଜିଛି । ଫଳରେ ହସ୍ପିଟାଲ୍ କର୍ତ୍ତୃପକ୍ଷ କମ୍ପାନି ବିରୋଧରେ ସ୍ୱାସ୍ଥ୍ୟ ବିଭାଗ ପାଖରେ ଆପତ୍ତି କରୁଛନ୍ତି ।
ହସ୍ପିଟାଲ୍ରେ ସଫେଇ, ସିକ୍ୟୁରିଟି, ଆଟେଣ୍ଡାଣ୍ଟ, ଲଣ୍ଡ୍ରି ଆଦି କାର୍ଯ୍ୟ ପରିଚାଳନା ପାଇଁ କମ୍ପାନି ଅସ୍ଥାୟୀ କର୍ମଚାରୀ ନିୟୋଜିତ କରୁଛି । ସେମାନେ ହସ୍ପିଟାଲକୁ ଜୀବାଣୁମୁକ୍ତ ରଖିବା ସହିତ ହସ୍ପିଟାଲ ସୁରକ୍ଷା ଦାୟିତ୍ୱ ତୁଲାଉଛନ୍ତି।