ଭୁବନେଶ୍ୱର,୦୫/୦୧: ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ଐତିହ୍ୟକୁ ଉଜ୍ଜୀବିତ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଆୟୋଜିତ ହେଉଛି ‘ଏକାମ୍ର ଉତ୍ସବ' । ଜାନୁଆରୀ ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଉତ୍ସବ ପାଇଁ ସାରା ରାଜଧାନୀ ଏବେ ରଙ୍ଗୀନ ଲାଗୁଛି । ଉତ୍ସବକୁ ଭାଗ ଭାଗ କରି ପାର୍କ ଉତ୍ସବ, ଖାଦ୍ୟ ମହୋତ୍ସବ, ସହର ଆଲୋକୀକରଣ, ଫ୍ଲୀ ମାର୍କେଟ ଏବଂ ଏକାମ୍ର ୱାକ୍ସ ଭଳି କାର୍ଯ୍ୟକ୍ରମ ହେବ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଡିଏ ଉପାଧ୍ୟକ୍ଷ ଡାକ୍ତର ଏନ୍ ଥିରୁମାଲା ନାଏକ ।
ମିଳିବ ପାରମ୍ପରିକ ଖାଦ୍ୟର ମଜା
ଜାନୁଆରୀ ୫ରୁ ୧୬ ପର୍ଯ୍ୟନ୍ତ ଇଡ୍କୋ ପ୍ରଦର୍ଶନୀ ପଡିଆରେ ଖାଦ୍ୟ ମହୋତ୍ସବ ହେବ । ଏଥିରେ ଓଡ଼ିଶା, ଉତ୍ତର ଓ ଦକ୍ଷିଣ ଭାରତୀୟ ଏବଂ ଅନ୍ତର୍ଜାତୀୟ ଖାଦ୍ୟର ଷ୍ଟଲ୍ ଖୋଲିବ । ସେଥିରେ ନାନା ରକମ ଖାଦ୍ୟ ସାମଗ୍ରୀ ସହ ସ୍ୱାଦିଷ୍ଟ ବ୍ୟଞ୍ଜନ ଉପଲବ୍ଧ ହେବ । ଏହା ସହ ମିଲେଟ୍ ମିଶନ, ଓମ୍ଫେଡ୍ର ମଧ୍ୟ ଷ୍ଟଲ ଖୋଲିବାକୁ ଯୋଜନା ରହିଛି ।
ଆଲୋକମାଳାରେ ଝଲସୁଛି ସହର
ସହରକୁ ଆଲୋକମାଳାରେ ସଜାଯାଇଛି । ଏହାବାଦ୍ ଏଜି ଛକରୁ କଳ୍ପନା ଛକ, ଏଜି ଛକରୁ ରାଜଭବନ ଛକ, ହାଉସିଂ ବୋର୍ଡ ଛକ, ରାଜଭବନ ଛକରୁ ଏକ୍ସଆଇଏମ୍ବି ଛକ, ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସ ପାଶ୍ୱର୍ରାସ୍ତାରୁ ହାଉସିଂବୋର୍ଡ ଛକ, ଜନପଥ ଓ ମଧୁସୂଦନ ମାର୍ଗ ଭଳି ପ୍ରମୁଖ ରାସ୍ତାଗୁଡ଼ିକ ଆଲୋକରେ ଝଲସିବ ।
ଫ୍ଲି ମାର୍କେଟ୍ରେ ଓଡ଼ିଶା ହସ୍ତତନ୍ତ
ଫ୍ଲି ମାର୍କେଟ ଏକାମ୍ର ଉତ୍ସବର ଏକ ଆକର୍ଷଣୀ ୟ ଅଂଶ ହେବ । ଅପରାହ୍ଣ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଏହି ବଜାର ଖୋଲିବ । ଏଥିରେ ପର୍ଯ୍ୟଟକ, ଅତିଥି ତଥା ସାଧାରଣ ଜନତା ଜିନିଷ କିଣିପାରିବେ । ଏଥିରେ ଭାରତର ବିଭିନ୍ନ ସ୍ଥାନର ସାମଗ୍ରୀ ପ୍ରଦର୍ଶିତ ହେବ । ଏଠାରେ ଟ୍ରେଣ୍ଡରେ ଥିବା ପୋଷାକ, ଜୋତା, ହସ୍ତତନ୍ତ ଘରସଜ୍ଜା ସାମଗ୍ରୀ ମିଳିବ । ଏଥିସହ ଖ୍ୟାତନାମା କଳାକାରଙ୍କ ଦ୍ୱାରା ଆକର୍ଷଣୀୟ ସୋ ରହିବ । ଏଥିରେ ଓଡ଼ିଶାର ହସ୍ତତନ୍ତ, ଟେରାକୋଟା, ତାଳପତ୍ର ଖୋଦେଇ, ପଟ୍ଟଚିତ୍ର ପେଣ୍ଟିଂ, ଚାନ୍ଦୁଆ, କାଠ ଖୋଦେଇ ମିଳିବ ।
ପାର୍କରେ ନାଚ, ଗୀତ, ଯୋଗ
ବିଡିଏ ପକ୍ଷରୁ ମଧୁସୂଦନ ପାର୍କ, ଇନ୍ଦିରା ଗାନ୍ଧି ପାର୍କ, ବୁଦ୍ଧ ପାର୍କ, ଫରେଷ୍ଟ ପାର୍କ ଏବଂ ଅବଦୁଲ କଲାମ ପାର୍କରେ ଏକାମ୍ର ଉତ୍ସବ ହେବ । ସକାଳ ୬ଟା ୩୦ରୁ ୯ଟା ପର୍ଯ୍ୟନ୍ତ ଯୋଗ, ଜୁମ୍ବା ନୃତ୍ୟ ଭଳି କାର୍ଯ୍ୟକ୍ରମ କରାଯିବ । ସେହିପରି ଅପରାହ୍ଣ ୩ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ଓଡ଼ିଶାର ଲୋକକଳା, ଓଲିଉଡ୍ ସେଲିବ୍ରିଟିଙ୍କ ସହ ଆଳାପ,କାଗଜ କଳା, ମ୍ୟାଜିକ ସୋ, ୱେଷ୍ଟ୍ ଟୁ ବେଷ୍ଟ ଭଳି କର୍ମଶାଳା ଆୟୋଜିତ ହେବ । ସେହିପରି ଖ୍ୟାତନାମା କଳାକାରଙ୍କ ଦ୍ୱାରା ଲାଇଭ୍ ସଂଗୀତ, ଓଡ଼ିଶାର ପାରମ୍ପରିକ କଳା ଓ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନୀ ହେବ ।
ଏକାମ୍ର ୱାକ୍ସରେ ବିଭିନ୍ନ ସ୍ଥାନ ବୁଲା
ଏକାମ୍ର ଉତ୍ସବର ଏକ ପ୍ରମୁଖ ଅଂଶ ହେଉଛି ‘ଏକାମ୍ର ୱାକ୍ସ' । ଜାନୁଆରୀ ୫ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଫେବ୍ରୁଆରୀ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏକାମ୍ର ୱାକ୍ସର ଏହି ପଞ୍ଚମ ସଂସ୍କରଣରେ ଖଣ୍ଡଗିରି, ଉଦୟଗିରି, ନନ୍ଦନକାନନ, ଲିଙ୍ଗରାଜ ମନ୍ଦିର, କେଦାର ଗୌରୀ, ଡେରାସ ଭଳି ସ୍ଥାନ ବୁଲିବାର ସୁଯୋଗ ମିଳିବ ।