ଭୁବନେଶ୍ୱର,୦୨/୦୧: ସରକାରୀ ଜମିକୁ ଚଞ୍ଚକତା କରି ବଡ଼ବଡ଼ିଆ ସପିଂ ମଲ, ଘରୋଇ ହୋଟେଲ ହାତରେ ଟେକି ଦେଉଛନ୍ତି । ପାର୍କିଂ ପାଇଁ ଥିବା ଧାର୍ଯ୍ୟ ଦର ବି ମନଇଚ୍ଛା କମାଇ ଦେଉଛନ୍ତି । ଫଳରେ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛି ବିଏମ୍ସି । ଆଉ ଏହି କେଳେଙ୍କାରୀ ପଛରେ ଜୋନ୍ ସ୍ତରରେ କିଛି ଅମିନ ଓ ୱାର୍ଡ ସୁପରଭାଇଜରଙ୍କ ହାତ ରହୁଛି । ଏହି ଘଟଣା ପଦାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି ।
କଳ୍ପନା ଛକରେ ଥିବା ଏକ ବସ୍ତ୍ରାଳୟର ଆଗରେ ଥିବା ବିରାଟ ସରକାରୀ ଜମିକୁ ବିଏମ୍ସି ପାର୍କିଂ କରିବା ପାଇଁ ଅନୁମତି ଦେଇଥିଲା । ବାର୍ଷିକ ୧, ୮୦, ୦୦୦ ଟଙ୍କାରେ ୩ ବର୍ଷ ପାଇଁ ଚୁକ୍ତି ହୋଇଥିଲା । ଏହାର ଅବଧି ୨୦୨୪ ଫେବୃଆରୀ ମାସରେ ସରିଥିଲା । ତେଣୁ ପୁଣି ଥରେ ଏହାର ନବୀକରଣ କରିବାକୁ ସଂସ୍ଥା ଅନୁମତି ମାଗିଥିଲା । ଏହାପରେ ମାପ ଚୁପ ହୋଇ ଦର ୪,୮୫,୪୫୦ ଟଙ୍କା ଧାର୍ଯ୍ୟ ହୋଇଥିଲା । ଅର୍ଥାତ ମାତ୍ର ମାସକ ଭିତରେ ଦର ଦୁଇ ଗୁଣାରୁ ଅଧିକ ହୋଇଥିଲା । ଏହି ଘଟଣାରୁ ସ୍ପଷ୍ଟ ହୋଇଥିଲା ଯେ କେମିତି କମ୍ ମୂଲ୍ୟରେ ପାର୍କିଂକୁ ଘରୋଇ ବସ୍ତ୍ରାଳୟ ହାତରେ ଟେକି ଦିଆଯାଇଥିଲା ।
ଘଟଣା ଏତିକିରେ ସରିନଥିଲା । ବସ୍ତ୍ରାଳୟ ପକ୍ଷରୁ ପୁଣି ଥରେ ଦର କମାଇବାକୁ କୁହାଯାଇଥିଲା । ଏନେଇ ପୁଣି ଥରେ ମାପଚୁପ ହୋଇଥିଲା । ଜୋନ୍ ସ୍ତରରେ ଥିବା ଅମିନ ଓ ୱାର୍ଡ ସୁପରଭାଇଜର ଏହାର ମାପଚୁପ କରିଥିଲେ । ହେଲେ ଦର ସିଧା କମି ୩,୧୪,୦୪୦ ଟଙ୍କାରେ ପହଞ୍ଚିଥିଲା । ହଠାତ୍ ୧.୫ ଲକ୍ଷ ଟଙ୍କା କେମିତି କମିଲା ତାକୁ ନେଇ ପ୍ରଶ୍ନ ଉଠିଛି । ଖାଲି ଏହି ଘଟଣା ନୁହେଁ, ପଟିଆ, ଚନ୍ଦ୍ରଶେଖରପୁର ମଧ୍ୟ ଏହି କେଳେଙ୍କାରୀର ଚେର ରହିଛି । କିଛି ବଡବିଆଙ୍କୁ ହାତ କରି ମଲ୍ ଓ ଘରୋଇ ହୋଟେଲ ଖୁବ୍ କମ୍ ଟଙ୍କାରେ ପାର୍କିଂ ନେଇଛନ୍ତି । ଏହା ପଛରେ ମାପଚୁପର କାରସାଦି ରହୁଛି । ଏହି କେଳେଙ୍କାରୀର ଚେର ଉପରୁ ତଳ ଯାଏଁ ଲମ୍ବିଛି । ଏହା ପଛରେ କିଛି ଅସାଧୁ କର୍ମଚାରୀଙ୍କ ହାତ ରହିଥିବା ନେଇ ସ୍ପଷ୍ଟ ହୋଇଛି । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ବିଏମ୍ସି ଖୋଦ୍ କମ ପଇସାରେ ପାର୍କିଂ ଦେବାକୁ ସୁପାରିସ କରିଛି ।
ଖାଲି ଏତିକି ନୁହେଁ, ୱାର୍ଡ ନଂ ୨୫ରେ ଦୁଇଟି ଘରୋଇ ମଲ୍ ପାର୍କିଂ କରୁଛନ୍ତି । ଏନେଇ ବିଏମ୍ସିର ଅନୁମତି ନାହିଁ । ଏନେଇ କର୍ପୋରେଟର ମାନସୀ ସୁନ୍ଦରାୟ କର୍ପୋରେସନ ବୈଠକରେ ଜବାବ ମାଗିଥିଲେ । ହେଲେ ଏ ସଂପର୍କରେ ବିଏମ୍ସି ଅବଗତ ନାହିଁ ବୋଲି ତାଙ୍କୁ କୁହାଯାଇଥିଲା । ମଲ ସହ କିଛି ହୋଟେଲ ମଧ୍ୟ ଏଭଳି ଗଳାବାଟର ଆଶ୍ରୟ ନେଇଥିବା ଜଣାପଡ଼ିଛି । କଟକ ରୋଡ୍ରୁ ରସୁଲଗଡ଼ ଯାଏଁ ଏଭଳି ଅନେକ ନମୁନା ଦେଖିବାକୁ ମିଳିଛି ।
ଏମିତି କେତେ ପାର୍କିଂ ବିଏମ୍ସି ବିଭିନ୍ନ ମଲ୍, ଦୋକାନ ହାତକୁ ଟେକି ଦେଇଛି, ତାର ହିସାବ ନାହିଁ । ଏହା ପଛରେ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି । ବର୍ତ୍ତମାନ ବିଏମ୍ସିର ୫୦ରୁ ଅଧିକ ପାର୍କିଂ ଜାଗା ରହିଛି । ଏହି ସବୁ ଜାଗାରେ ପାର୍କିଂ ଫି ଆଦାୟ ହେଉଛି । ହେଲେ ଏକାଧିକ ସ୍ଥାନରେ ପାର୍କିଂ ହେଉଥିଲେ ବି ଟଙ୍କାଟିଏ ଆଦାୟ ହେଉନି । ଉକ୍ତ ପାର୍କିଂ ସ୍ଥଳରୁ ବେଆଇନ ରସିଦରେ ଟଙ୍କା ଆଦାୟ ହେଉଛି । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ବିଏମ୍ସି ସବୁ ଜାଣି ଚୁପ ରହିଛି । ପୂର୍ବରୁ ବିଏମ୍ସିର ସ୍କ୍ୱାର୍ଡ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିଲା । ହେଲେ ଏବେ ସ୍କ୍ୱାର୍ଡ ନାହିଁ କି ଚଢ଼ଉ ନାହିଁ । ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିଏମ୍ସି ପାର୍କିଂ ଛାଡ଼ି ଅନ୍ୟ ସବୁ ପାର୍କିଂ ବେଆଇନ । ଯଦି କିଏ ରସିଦ ଦେଇ ଟଙ୍କା ଆଦାୟ କରୁଛି ତା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।