ଭୁବନେଶ୍ୱର,୦୪/୦୧: ପୁରୀରେ ପ୍ରସ୍ତାବିତ ଆନ୍ତର୍ଜାତିକ ବିମାନବନ୍ଦର ପ୍ରକଳ୍ପ ସ୍ଥାନର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍ ଶୁକ୍ରବାର (୩ ତାରିଖ) ଆସିଥାନ୍ତେ । ମାତ୍ର ଅଚାନକ ଏହି ଗସ୍ତକୁ ବାତିଲ କରି କିଛିଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ସରିବା ପରେ ଆସିବେ କେନ୍ଦ୍ରୀୟ ଟିମ୍ । ଅର୍ଥାତ୍ ଆସନ୍ତା ୧୦ ତାରିଖ ପରେ ପରିବେଶ ମନ୍ତ୍ରଣାଳୟର ୩ଜଣ ବିଶେଷଜ୍ଞ ଆସି ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ସ୍ଥାନ ବୁଲି ଦେଖିବେ । ଏହି ପ୍ରକଳ୍ପ ହେଲେ ପରିବେଶ, ବନ୍ୟପ୍ରାଣୀ, ପକ୍ଷୀ ବଂଶ ଉପରେ କି ପ୍ରଭାବ ପଡ଼ିବ, ତାହା ଅନୁଧ୍ୟାନ କରିବେ ।
ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦରକୁ ଏଯାଏ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଅନୁମୋଦନ ମିଳିଛି । ବିଶ୍ୱସ୍ତ ସୂତ୍ର ଅନୁସାରେ କେତେକ ଦିଗକୁ ନେଇ ପରିବେଶ ମନ୍ତ୍ରଣାଳୟ ଆପତ୍ତି ଉଠାଇଛି । ଏହା ଉପରେ ରାଜ୍ୟ ସରକାର ବି ତାଙ୍କ ଉତ୍ତର ରଖି ସାରିଛନ୍ତି । ପ୍ରକଳ୍ପ ନିର୍ମାଣ ପାଇଁ ପାଣି କେଉଁ ଉତ୍ସରୁ ଆସିବ? ଏହି ପ୍ରକଳ୍ପ ପକ୍ଷୀଙ୍କ ଚଳାଚଳକୁ ବାଧାପ୍ରାପ୍ତ କରିବ କି ନାହିଁ? ଏଭଳି ବିଭିନ୍ନ ପ୍ରଶ୍ନ ଉପସ୍ଥାପନ କରିଥିଲା ପରିବେଶ ମନ୍ତ୍ରଣାଳୟ । ରାଜ୍ୟ ସରକାରଙ୍କ ରଖିଥିବା ଉତ୍ତରକୁ ତର୍ଜମା କରିବା ପାଇଁ ମନ୍ତ୍ରଣାଳୟର ଏକ ଟିମ୍ ଓଡ଼ିଶା ଆସିବେ । ଏହି ଟିମ୍ ଆଜି ଆସି ପହଞ୍ଚିବାର ଥିଲା । ମାତ୍ର ରାଜ୍ୟ ଓ କେନ୍ଦ୍ର ସରକାର ବର୍ତ୍ତମାନ ପ୍ରବାସୀ ଭାରତୀୟ ଦିବସ ଆୟୋଜନରେ ବ୍ୟସ୍ତ ଥିବାରୁ ଏହାକୁ ବର୍ତ୍ତମାନ ସାମୟିକ ଭାବେ ଘୁଞ୍ଚାଇ ଦିଆଯାଇଛି । ଏହି ଟିମ୍ର ଅନୁଧ୍ୟାନ ରିପୋର୍ଟ ଉପରେ ପ୍ରକଳ୍ପର ଭବିଷ୍ୟତ ନିର୍ଭର କରୁଛି । ତଥାପି ରାଜ୍ୟ ସରକାର ପ୍ରକଳ୍ପ ନେଇ ବେଶ୍ ଆଶାବାଦୀ ଅଛନ୍ତି । ୧୦ ତାରିଖ ପରେ ଏହି ଟିମ୍ ୩ ଦିନିଆ ଗସ୍ତରେ ଆସିବେ ।
ଅନ୍ୟପଟେ ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ଟେଣ୍ଡର ବାତିଲ ହେବା ପରେ ଏହାକୁ ନେଇ ସରକାର ଖୁବଶୀଘ୍ର କିଛି ବଡ଼ ନିଷ୍ପତ୍ତି ନେବେ। ଗତକାଲି ଏହାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ହେବାର ଥିଲା । ମାତ୍ର ପ୍ରବାସୀ ଭାରତୀୟ ଦିବସ ପାଇଁ ଏହି ବୈଠକ ବି ୧୦ ତାରିଖ ପରେ ହେବ । ପୁରୀରେ ବିମାନବନ୍ଦର ନିର୍ମାଣ ପାଇଁ ୨୨୦୩ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ପିପିପି ମୋଡ୍ରେ ଏହି ବିମାନବନ୍ଦର ନିର୍ମାଣ ଓ ରକ୍ଷଣାବେକ୍ଷଣ କରିବାକୁ ପ୍ରଥମେ ଯୋଜନା ହୋଇଥିଲା । ମାତ୍ର ଗତ ଅଗଷ୍ଟ ମାସରେ ହୋଇଥିବା ଟେଣ୍ଡର ପାଇଁ କେହି ଆବେଦନ କଲେନି ।
ସୂତ୍ରରୁ ଜଣାପଡ଼ିଛି, ପରିବହନ ବିଭାଗ ବିଭିନ୍ନ ଦିଗକୁ ନେଇ ବିଚାର ବିମର୍ଶ ଚଳାଇଛି । ପ୍ରଥମତଃ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)କୁ ବିମାନବନ୍ଦରର ନିର୍ମାଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଦେବାକୁ ଅନୁରୋଧ କରିପାରନ୍ତି ସରକାର । ଯଦି ଏଭଳି ନ ହୁଏ, ତେବେ ଘରୋଇ ସଂସ୍ଥା ପାଇଁ ଟେଣ୍ଡରରେ ଆଉ କିଛି ପ୍ରୋତ୍ସାହନକାରୀ ସର୍ତ୍ତାବଳୀ ଅନ୍ତର୍ଭୁକ୍ତ କରାଯିବ । ମାତ୍ର କିଛି ଚୂଡ଼ାନ୍ତ ହୋଇନାହିଁ । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଜାନୁଆରୀ ୧୦ ପରେ ବଡ଼ ବୈଠକ ହେବ । ତା’ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଉ ଏକ ବୈଠକ ହୋଇପାରେ ।
ପୁରୀ ସିପସରୁବାଲି ନିକଟରେ ପ୍ରସ୍ତାବିତ ବିମାନବନ୍ଦର ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧୧୬୪ ଏକର ଜମି ଚିହ୍ନଟ କରିଛନ୍ତି। ମଲ୍ଟି ମୋଡାଲ ହବ୍ ପାଇଁ ଆଉ ୧୦୦ ଏକର ଜମି ଚିହ୍ନଟ ହୋଇଛି । ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି । ଏବେ ସୁଦ୍ଧା ପ୍ରାୟ ୯ଶହ ଏକର ଜମି ଅଧିଗ୍ରହଣ ସରିଲାଣି