ଭୁବନେଶ୍ୱର,୦୧/୦୧: ୨୦୦୮ ଜାନୁଆରୀ ୧ ତାରିଖରେ ଟୁଇନ୍ ସିଟିରେ ଲାଗୁ ହୋଇଥିଲା କମିଶନରେଟ୍ ପୁଲିସ ବ୍ୟବସ୍ଥା । କଟକ ଓ ଭୁବନେଶ୍ୱରର ଆଇନଶୃଙ୍ଖଳା ବ୍ୟବସ୍ଥା ସଜାଡ଼ିବା ପାଇଁ ଆରମ୍ଭ ହୋଇଥିବା ବ୍ୟବସ୍ଥା ଏବେ ୧୭ ବର୍ଷ ପୂରି ୧୮ ବର୍ଷରେ ପାଦ ଥାପିଛି । ଏହା ଭିତରେ ଅନେକ ସମସ୍ୟା ସତ୍ତେ୍ୱ ଟୁଇନ୍ ସିଟରେ କମିଶନରେଟ୍ ପୁଲିସ ଲୋକଙ୍କୁ ସେବା ଯୋଗାଇ ଆସିଛି । ଅପରାଧୀଙ୍କୁ ସାବାଡ୍ କରିବା ପାଇଁ ଯତପରୋନାସ୍ତି ଚେଷ୍ଟା ଚଳାଇଛି ।
ଟୁଇନ୍ ସିଟିରେ ୩୬ଟି ଥାନାକୁ ନେଇ ୨୦୦୮ରେ ଆରମ୍ଭ ହୋଇଥିଲା କମିଶନରେଟ୍ ପୁଲିସ୍ । ଏବେ ସେଥିରେ ଯୋଡ଼ି ହୋଇଛି ଆଉ ୧୭ଟି ଥାନା । ବର୍ତ୍ତମାନ ଟୁଇନ୍ ସିଟିରେ ଥାନା ସଂଖ୍ୟା ୫୩ ଟି । ହେଲେ କଟକ ଭୁବନେଶ୍ୱରରେ ଥିବା ୨ଟି ବିଦ୍ୟୁତ ଥାନା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏବେ ୫୧ଟି ଥାନା କାର୍ଯ୍ୟକାରୀ କରୁଛି । ଇତିମଧ୍ୟରେ ଅନେକ ଆଇନଗତ କ୍ଷମତା ହାସଲ କରିଛି କମିଶନ୍ରେଟ୍ ପୁଲିସ୍। ମାଜିଷ୍ଟ୍ରେଟ୍ କ୍ଷମତା ମଧ୍ୟ ପାଇଛି । ସହରବାସୀଙ୍କୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇ ‘ଉଇ କେୟାର ଉଇ ଡେୟାର’ ଅର୍ଥାତ ‘ଆମେ ସାହସୀ ଆମେ ଯତ୍ନବାନ’ ବୋଲି କମିଶନରେଟ୍ ପୁଲିସ୍ ନିଜ ପରିଚୟ ରଖିଲା । ଏବେ ପୁଲିସ୍ ସେବା ନାରାକୁ ନେଇ ଆଗକୁ ଚାଲୁଛି କମିଶନରେଟ୍ ପୁଲିସ୍ । ସବୁଠାରୁ ବଡ଼ କଥା ହେଲା ସାଇବର ଅପରାଧୀଙ୍କୁ ଧରିବାରେ ନିଜର ପାରିଦର୍ଶିତା ଦେଖାଇଛି କମିଶରେଟ୍ ପୁଲିସ୍ ।
ଟୁଇନ୍ ସିଟିରେ କମିଶନରେଟ୍ ପୁଲିସ୍ ବ୍ୟବସ୍ଥା ଲାଗୁ ହେବା ପରେ ପ୍ରଥମ ପୁଲିସ୍ କମିଶନର ହୋଇଥିଲେ, ବିନୟ ବେହେରା । ଏଜି ଛକରେ ଥିବା ଓଏସ୍ଆରଟିସି କାର୍ଯ୍ୟାଳୟର ୪ଟି ରୁମ୍ରେ ଆରମ୍ଭ ହୋଇଥିଲା ଅଫିସ୍ । ଶ୍ରୀ ବେହେରା ୮ ମାସ ପୁଲିସ୍ କମିଶନର ହେଲା ପରେ ତାଙ୍କର ଅଚାନକ ବଦଳି ହୋଇଥିଲା । ନୂଆ କମିଶନର ହୋଇଥିଲେ ବର୍ତ୍ତମାନର ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମା । ଶ୍ରୀ ଶର୍ମା ଓଏସ୍ଆରଟିସିରୁ କମିଶନରେଟ୍ ପୁଲିସ୍ର ଅଫିସ୍କୁ ଉଠାଇଦେଇଥିଲେ ।
ରାଜ୍ୟ ଅତିଥି ଭବନରେ ଥିବା ଆନେକ୍ସରେ ଆରମ୍ଭ ହୋଇଥିଲା ପୁଲିସ୍ କମିଶନରଙ୍କ ଅସ୍ଥାୟୀ କର୍ଯ୍ୟାଳୟ । ୪ ଟି ରୁମ୍ରେ ଚାଲିଥିଲା ଅଫିସ୍ କାମ । ଏପଟେ ୧୨୦-ବାଟାଲିୟନ ସମ୍ମୁଖରେ ନିର୍ମାଣ ଚାଲିଥିଲା କମିଶନରେଟ୍ ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟ । ଟୁଇନ୍ ସିଟି ପାଇଁ ସ୍ପେଶାଲ୍ ବାଟାଲିଅନ, ଟ୍ରାଫିକ୍ ପ୍ରଶିକ୍ଷଣ କେନ୍ଦ୍ର, ରିଜର୍ଭ ପୁଲିସ୍ ବାରାକ ଓ ଅନ୍ୟ ସବୁ ବ୍ୟବସ୍ଥା କରିଥିଲେ ସେ । ଖାଲି ସେତିକି ନୁହେଁ ଅନ୍ୟ ରାଜ୍ୟ କମିଶନରେଟ୍ ପୁଲିସ ଯେମିତି ୮ ଘଣ୍ଟିଆ ଡ୍ୟୁଟି ରହୁଛି ତା’ର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଆଇନଶୃଙ୍ଖଳା ପରିସ୍ଥିତି ଓ ଅପରାଧ ନିୟନ୍ତ୍ରଣ ପାଇଁ ଅଲଗା ଅଲଗା କର୍ମଚାରୀ ରହିବା ବ୍ୟବସ୍ଥା ହେଲା । ହେଲେ ଏପର୍ଯ୍ୟନ୍ତ ଏହା ହୋଇପାରିଲା ନାହିଁ ।
ଅପରାଧ ତଦନ୍ତ ଓ ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣ ବିଭାଗ । ଏ ଦୁଇଟି ବିଭାଗ କମିଶନରେଟ୍ ପୁଲିସ୍ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଉକ୍ତ ଦୁଇ ବିଭାଗକୁ ଅଲଗା କରାଯାଉ ନଥିବାରୁ ପୁଲିସ୍ ସବୁବେଳେ ହରଡ଼ଘଣାରେ ପଡୁଛି । ବିଭିନ୍ନ ପର୍ବପର୍ବାଣୀରେ ଆଇନଶୃଙ୍ଖଳାକୁ ନିୟନ୍ତ୍ରଣ କରିବାରେ ପୁଲିସ୍ ନାକେଦମ ହେଉଛି । ଖାରବେଳନଗର ଓ କ୍ୟାପିଟାଲ ଥାନା ପୁଲିସ୍ଙ୍କ ଅଧିକାଂଶ ସମୟ ଧାରଣାସ୍ଥଳରେ ବିତୁଛି । ରାଜଧାନୀକୁ କୌଣସି ଭିଭିଆଇପି ଆସିଲେ ତ କଥା ସରିଲା । ଏସବୁ ମଧ୍ୟରେ କୌଣସି ଅପରାଧିକ ଘଟଣା ତଦନ୍ତ କରିବା ସହ ଅପରାଧୀଙ୍କୁ ଧରିବାରେ ପୁଲିସ୍ ଫେଲ୍ ମାରୁଛି । ଦୀର୍ଘ ୧୭ ବର୍ଷ ମଧ୍ୟରେ ଅନେକଥର ଏ ପ୍ରସଙ୍ଗ ଗଣମାଧ୍ୟମରେ ଉଠାଯାଇଛି । ହେଲେ ମାନବ ସମ୍ବଳର ଅଭାବ ଦେଖାଇ ସାଧାରଣ ପ୍ରାଶାସନ ଓ ପୁଲିସ୍ ବିଭାଗ ଏ ଘଟଣାକୁ ଏଡାଇଯାଇଛି ।