ଭୁବନେଶ୍ୱର,୧୬/୦୨: ରାଜ୍ୟ କୃଷି କ୍ଷେତ୍ରରେ ଢେର ଅଗ୍ରଗତି କରୁଛି । ଜାତୀୟ ହାରାହାରିଠାରୁ ଓଡ଼ିଶାର ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଛି। ୨୦୧୯-୨୦ରୁ ୨୦୨୪- ୨୫(ଅଗ୍ରିମ ଆକଳନ) ମଧ୍ୟରେ ଓଡ଼ିଶାରେ କୃଷି କ୍ଷେତ୍ରର ବାର୍ଷିକ ଅଭିବୃଦ୍ଧି ହାର ୭% ରହିଛି । ଜାତୀୟ ହାରାହାରି ୪.୧% ତୁଳନାରେ ଏହା ବହୁ ମାତ୍ରାରେ ଅଧିକ । ୨୦୨୪-୨୫ରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ୩.୩% ଅଭିବୃଦ୍ଧି ରେକର୍ଡ କରାଯାଇଛି । ଆଜି ରାଜ୍ୟ ବିଧାନସଭାରେ ଉନ୍ମୋଚିତ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୪-୨୫ରେ ଏହା ଉଲ୍ଲେଖ କରାଯାଇଛି ।
ଓଡ଼ିଶାରେ ଖାଦ୍ୟଶସ୍ୟ ଉତ୍ପାଦନ ୨୦୧୯-୨୦ରେ ୧୧୬.୯ ଲକ୍ଷ ମେଟ୍ରିକ୍ଟନ୍ ଥିଲା । ଏହା ୨୦୨୩-୨୪ରେ ୧୪୩ ଲକ୍ଷ ମେଟ୍ରିକ୍ଟନ୍ରେ ପହଞ୍ଚିଛି । ଏ କ୍ଷେତ୍ରରେ ବାର୍ଷିକ ହାରାହାରି ଅଭିବୃଦ୍ଧି ହାର ୫.୨% ରହିଛି । ଦେଶର ମୋଟ ଧାନ ଉତ୍ପାଦନରେ ଓଡ଼ିଶା ୮% ଯୋଗଦାନ ଦେଇଛି । ଏଥିସହିତ ଏହା ଦେଶର ପଞ୍ଚମ ବୃହତ୍ ଧାନ ଉତ୍ପାଦନକାରୀ ରାଜ୍ୟ ପାଲଟିଛି । ୨୦୧୯-୨୦ରେ ରାଜ୍ୟରେ ୯୭.୬ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ହୋଇଥିବାବେଳେ ୨୦୨୩-୨୪ରେ ଏହା ୧୧୫.୪ ଲକ୍ଷ ମେଟ୍ରିକ୍ଟନ୍କୁ ବୃଦ୍ଧି ପାଇଛି ।
କପା, ମକା, ପନିପରିବା, ମସଲା ଆଦି ଅର୍ଥକାରୀ ଫସଲ ଚାଷ ବୃଦ୍ଧି ପାଇବା ଫଳରେ ରାଜ୍ୟରେ ଫସଲ ବିବିଧତା ବୃଦ୍ଧି ପାଉଛି, ଯାହା କୃଷକଙ୍କ ଆୟ ବୃଦ୍ଧି କରିବ । ଓଡ଼ିଶାରେ ପନିପରିବା ଉତ୍ପାଦନ ୨୦୧୯-୨୦ରେ ୯୭.୩୪ ଲକ୍ଷ ମେଟ୍ରିକ୍ଟନ୍ ଥିବାବେଳେ ୨୦୨୩- ୨୪ରେ ଏହା ୧୦୯.୩ ଲକ୍ଷ ମେଟ୍ରିକ୍ଟନ୍କୁ ବୃଦ୍ଧି ପାଇଛି । ସମଗ୍ର ଦେଶରେ ଓଡ଼ିଶା ସପ୍ତମ ବୃହତ୍ ପନିପରିବା ଉତ୍ପାଦନକାରୀ ରାଜ୍ୟ ପାଲଟିଛି, ଯାହା ଜାତୀୟ ଉତ୍ପାଦନରେ ୫.୨% ଯୋଗଦାନ ଦେଇଥାଏ ।
କୃଷକଙ୍କ ଆୟ ବୃଦ୍ଧି ଏବଂ ଖାଇବା ତେଲର ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ପାଇଁ ରାଜ୍ୟ ସରକାର ଅଏଲ୍ ପାମ୍ ଚାଷକୁ ପ୍ରୋତ୍ସାହିତ କରୁଛନ୍ତି । ୨୦୧୯-୨୦ରେ ତୈଳ ପାମ୍ କ୍ଷେତ୍ର ୬.୭ ହଜାର ହେକ୍ଟର ଥିବାବେଳେ ୨୦୨୩-୨୪ରେ ଏହା ୮.୮ ହଜାର ହେକ୍ଟରକୁ ବୃଦ୍ଧି ପାଇଛି । ଏ କ୍ଷେତ୍ରରେ ବାର୍ଷିକ ଅଭିବୃଦ୍ଧି ହାର ରହିଛି ୭.୧% ।
୨୦୨୪-୨୫ରେ ୬୫୦୦ ହେକ୍ଟର ଏବଂ ୨୦୨୫-୨୬ରେ ୯୦ ହେକ୍ଟର ଜମିରେ ଅଏଲ୍ ପାମ୍ ଚାଷ କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି । ଏହାବ୍ୟତୀତ ରାଜ୍ୟ ସରକାର ତୈଳ ପ୍ରକ୍ରିୟାକରଣ ୟୁନିଟ୍ ପ୍ରତିଷ୍ଠା କରିବାକୁ ପ୍ରୋତ୍ସାହନ ଦେଉଛନ୍ତି, ଯାହ ନିଯୁକ୍ତି ସୃଷ୍ଟି କରିବା ସହ ଅଭିବୃଦ୍ଧି ଆଣିବ । ଉଭୟ ଖରିଫ ଏବଂ ରବି ଋତୁରେ ରାଜ୍ୟରେ ଜଳସେଚନ ଭିତ୍ତିଭୂମିରେ ଉନ୍ନତି ଘଟୁଛି ।
ମୁଣ୍ଡ ପିଛା ଦୁଗ୍ଧ ଉପଲବ୍ଧତା ୧୫୬ ଗ୍ରାମ
୨୦୨୩-୨୪ରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୨୬.୪ ଲକ୍ଷ ମେଟ୍ରିକ୍ଟନରେ ପହଞ୍ଚିଛି । ୨୦୨୨-୨୩ରୁ ୨୦୨୩-୨୪ ମଧ୍ୟରେ ଏ କ୍ଷେତ୍ରରେ ୬.୮% ଅଭିବୃଦ୍ଧି ଘଟିଛି । ଏହା ଜାତୀୟ ହାରାହାରି ୩.୮%ଠାରୁ ଅଧିକ । ୨୦୨୩-୨୪ରେ ରାଜ୍ୟର ମୁଣ୍ଡପିଛା ଦୁଗ୍ଧ ଉପଲବ୍ଧତା ଦୈନିକ ୧୫୬ ଗ୍ରାମ ରହିଛି । ଏହା ଆଗକୁ ବଢ଼ିବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ୨୦୨୪-୨୫ରେ ଗୋମାତା ଏବଂ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ପଦକ୍ଷେପ ଆରମ୍ଭ କରିଥିଲେ । ଫଳରେ ଅଧିକ ଦୁଗ୍ଧ ଉତ୍ପାଦନକାରୀ ଗାଈଙ୍କ ସଂଖ୍ୟା ବୃଦ୍ଧି, ସ୍ୱାସ୍ଥ୍ୟ ଓ ଖାଦ୍ୟ ପରିଚାଳନାରେ ଉନ୍ନତି ଏବଂ ଭିତ୍ତିଭୂମି ବିକାଶ କରାଯାଇ ଦୁଗ୍ଧ ଉତ୍ପାଦନ ଏବଂ ମୁଣ୍ଡ ପିଛା ଉପଲବ୍ଧତା ବୃଦ୍ଧି କରାଯାଇଥିଲା ।
ମୁଣ୍ଡ ପିଛା ଅଣ୍ଡା ଉପଲବ୍ଧତା ୭୨
ଓଡ଼ିଶାରେ କୁକୁଡ଼ା ପାଳନ କେନ୍ଦ୍ରଗୁଡ଼ିକର ବ୍ୟାପକ ବିକାଶ ଓ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଫଳରେ ଓଡ଼ିଶାରେ କୁକୁଡ଼ା ପାଳନ କ୍ଷେତ୍ରରେ ଆଖିଦୃଶିଆ ଅଭିବୃଦ୍ଧି ଦେଖିବାକୁ ମିଳିଛି । ୨୦୨୨- ୨୩ରେ ରାଜ୍ୟରେ ଅଣ୍ଡା ଉତ୍ପାଦନ ୩୪୧.୧ କୋଟି ଥିବାବେଳେ ୨୦୨୩-୨୪ରେ ଏହା ୩୭୨.୩ କୋଟିକୁ ବୃଦ୍ଧି ପାଇଛି । ୯.୨% ଅଭିବୃଦ୍ଧି ସହ ଏହା ଜାତୀୟ ହାରାହାରି ୬.୮%ଠାରୁ ଅଧିକ ରହିଛି । ୨୦୨୩-୨୪ରେ ଓଡ଼ିଶାରେ ମୁଣ୍ଡ ପିଛା ଅଣ୍ଡା ଉପଲବ୍ଧତା ୭୨ ରହିଛି । ଅଣ୍ଡା ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ଏବଂ ଅଣ୍ଡାର ଉପଲବ୍ଧତା ବୃଦ୍ଧି ପାଇଁ ରାଜ୍ୟ ସରକାର ବାଣିଜ୍ୟିକ କୁକୁଡ଼ାକୁ ପ୍ରୋତ୍ସାହନ ଦେଉଛନ୍ତି ।
ଚତୁର୍ଥ ବୃହତ୍ ମତ୍ସ୍ୟ ଉତ୍ପାଦନକାରୀ ରାଜ୍ୟ
ଓଡ଼ିଶା ଭାରତର ଚତୁର୍ଥ ବୃହତ୍ ମତ୍ସ୍ୟ ଉତ୍ପାଦନକାରୀ ରାଜ୍ୟ । ଦେଶର ମୋଟ ଉତ୍ପାଦନରେ ଏହା ୬% ଯୋଗଦାନ ଦେଇଥାଏ । ଗତ ୫ ବର୍ଷ ମଧ୍ୟରେ ମାଛ ଉତ୍ପାଦନ ୮.୩% ସିଏଜିଆର୍ ସହ ବଢ଼ିଛି । ୨୦୧୯-୨୦ରେ ରାଜ୍ୟରେ ୮.୨ ଲକ୍ଷ ମେଟ୍ରିକ୍ଟନ ମାଛ ଉତ୍ପାଦନ ହୋଇଥିଲା । ଏହା ୨୦୨୩- ୨୪ରେ ୧୧.୨ ଲକ୍ଷ ମେଟ୍ରିକ୍ଟନକୁ ବୃଦ୍ଧି ପାଇଛି । ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି, ରପ୍ତାନି, ରୋଜଗାର ସୃଷ୍ଟି ଏବଂ ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧି ପାଇଁ ସରକାର ୨୦୨୪-୨୫ରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି, ଯେଉଁଥିରେ ୫ ବର୍ଷ ମଧ୍ୟରେ ମୋଟ ୨୨୩୯ କୋଟି ଟଙ୍କାର ବଜେଟ ବ୍ୟୟବରାଦ ସହ ୧୭ ଉପ-ଯୋଜନା ରହିଛି ।