ପତିଙ୍କ ମୃତ୍ୟୁ ପରେ ଜଣେ ବୟସ୍କା ମହିଳା ଏକାକୀ ରହୁଛନ୍ତି ଗାଁରେ । ତିନି ଝିଅ ବାହା ହୋଇ ଯେଝା ପିଲା ସଂସାର ଭିତରେ ବୁଡ଼ି ରହୁଛନ୍ତି । ଗାଁ ନିକଟ ସହରରେ ରହୁଥିବା ଦୁଇ ଝିଅଙ୍କ ଲୋଭ ଅସୀମ । ଭିନ୍ନ ଭିନ୍ନ ବାହାନାରେ ଗାଁ ଯାଇ ଅର୍ଥ ଲୁଟିନେବାରେ ବ୍ୟସ୍ତ । ସାନଝିଅ ଗାଁଠାରୁ ଶହ ଶହ କିଲୋମିଟର ଦୂରରେ ବାହା ହୋଇଛି । ମାଆ ପ୍ରତି ଲୋଭ ହେତୁ ଅନେକଥର ନିଜ ପାଖରେ ରହିବାକୁ ଅନୁରୋଧ ପରେ ବି ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରନ୍ତି ବିଧବା ମାଆ । ନିଜ ମାଆର ସେବା କରିନପାରିବା ଦୁଃଖରେ ସନ୍ତୁଳି ହୁଏ ସାନ ଝିଅ । ଅପରପକ୍ଷେ ଦୁଇ ବଡ଼ ଭଉଣୀଙ୍କ ସଂପତ୍ତି ପ୍ରତି ଲୋଭକୁ ଦେଖି ଉଦାର ହୃଦୟରେ ସିନା କ୍ଷମା କରିଦିଏ । ଭିତରେ ଭିତରେ କୁହୁଳି ଉଠେ । ବୟସ୍କା ମହିଳାର ପେନସନ ଉପରେ ସମସ୍ତଙ୍କ ଦୃଷ୍ଟି । ସମୟେ ଅସମୟେ କାହାକୁ କିଛି ସହାୟତା ମାଗିଲେ ଗାଁ ପିଲାଙ୍କ ସର୍ତ୍ତ "ବୁଢୀ! ହାତଖର୍ଚ୍ଚକୁ ଦେବୁ କି! ଯଦି ଦେବୁ ତେବେ ଯାଇ ତୋ କାମ କରିବୁ । ନହଲେ ଆମର କ’ଣ ଗରଜ ପଡ଼ିଛି ତୋ କାମ କରିବୁ ।’ ବୁଢ଼ୀ ସେମାନଙ୍କୁ ହାତଖର୍ଚ୍ଚ ଦିଏ । ସେମାନେ ବୁଢ଼ୀର କାମ କରିଦିଅନ୍ତି । ଅବଶ୍ୟ କୌଣସି ଦିନ ହଇରାଣ କରନ୍ତିନି । ତାର ପଛର ବଡ଼ କାରଣ ହେଲା, ସେ ଗାଁର ବୟସ୍କା ମହିଳା । ବୁଢ଼ୀ ବି ମନକୁ ବୁଝେଇ ଦେଇଛି ଯେଉଁଠି ନିଜ ଲୋକମାନେ ଲୋଭରେ ପଡ଼ି ଏଣୁତେଣୁ କହି ପଇସା ଲୁଟୁଛନ୍ତି । ସେଠି ଗାଁର ପିଲାମାନଙ୍କ ପାଇଁ ଖର୍ଚ୍ଚ କଲେ କିଛି କ୍ଷତି କ’ଣ । ଅକାଳ ବିକାଳରେ ସେମାନେ ତ କାମରେ ଆସିବେ ।
ଏବେ ଆମ ସମାଜର ସ୍ଥିତି କିଛି ଏମିତି । ଯେମିତି ବଜାରରେ ବଡ଼ ବଡ଼ ଆକାରରେ ଲେଖା ହୋଇଥିବ ରିହାତି ଦର ପରି। ବଡ଼ ଭାଗ ରିହାତି ବୋଲି ଉଲ୍ଲେଖ ଥିବ ସତ । ତାହାରି ତଳେ ଥିବ କିନ୍ତୁ ଏକ ସର୍ତ୍ତ ତାରକା । ସେଇ ସର୍ତ୍ତକୁ ପୂରଣ କଲେ ଆପଣ ସେଇ ରିହାତି ଦରରେ ଦ୍ରବ୍ୟ ପାଇପାରିବେ । ଅସଲ କଥା ଜାଣିଲା ପରେ ଆପଣ ଚକିତ ହେବେ ନିଶ୍ଚିତ । ଆମର ଦୈନନ୍ଦିନ ଜୀବନକୁ ଟିକେ ତଳେଇ ଦେଖନ୍ତୁ । ଧରାଯାଉ ଆପଣଙ୍କ କିଛି ଜରୁରି କାମ ପଡ଼ିଲା । ଆପଣ ଜଣଙ୍କୁ ଡାକିଲେ । ସେ ଆପଣଙ୍କୁ ସିଧା ସିଧା ମନା କରିବନି । କିନ୍ତୁ ମନା କଲା ଭଳି ଅଭିନୟ କରିବ । ଗୁଡ଼ାଏ ବାହାନା କରିବ । ଜରୁରି କାମ ଥିବା ଦର୍ଶାଇବ । ସେଇ ନିର୍ଦ୍ଦିଷ୍ଟ କାମଟି ନଥିଲେ ଯିବାରେ କିଛି ସମସ୍ୟା ନଥାନ୍ତା ବୋଲି କହି ଅଯଥା ଅନୁକମ୍ପା ହାସଲ କରିବାକୁ ଚେଷ୍ଟା କରିବ । ସେଇଠୁ ଆପଣ ଜାଣିଯିବେ ଆପଣଙ୍କ ଏକାନ୍ତ ପ୍ରିୟ ଓ ନିଜର ବୋଲି ଭାବୁଥିବା ମଣିଷଟି ଆପଣଙ୍କୁ ଅଣଦେଖା କରୁଛି । ଆଉ କେବେକେବେ ଆପଣ ଯଦି ନିଜ ବନ୍ଧୁଙ୍କୁ କିଛି କାମରେ ସାଥୀ ହୋଇ ଯିବାପାଇଁ ଆଗ୍ରହ ପ୍ରକଟ କଲେ । ହୁଏତ ପୂର୍ବ ପ୍ରକାରର ମଣିଷଙ୍କ ଭଳି ମନା କରିବନି କି ବାହାନା ବି ଦେଖେଇବ ନାହିଁ । କିନ୍ତୁ ପଚାରିବ, ଗଲେ ତାର କ’ଣ ଫାଇଦା ହେବ? କିଛି ନହେଲେ ବି ପେଟେ ଖାଇବାକୁ ମିଳିବାର ପ୍ରତିଶ୍ରୁତି ମିଳିଲେ ହୁଏତ ସାଥୀରେ ଯିବାକୁ ମଙ୍ଗିବ । ଆଜିକାଲି ଆପଣ ନିଜ କାମରେ କାହାକୁ ଡାକୁଛନ୍ତି ତ ତାର ସବୁ ବନ୍ଦୋବସ୍ତ ନକଲେ ସେ ଘୁଞ୍ଚିବାର ପ୍ରତିଶ୍ରୁତି ଦେବନି । ଏପରିକି କେତେକ ସ୍ଥଳରେ କିଛି ଜଣଙ୍କୁ ଭଡ଼ାରେ ବି ନେବାକୁ ପଡ଼ିବ । ଯେମିତି ସାଥୀ ହୋଇ ଯାଇ କାମଟି ସାରି ଫେରିଲେ ତା’ ବାବଦକୁ କିଛି ପାଉଣା ଦେବାକୁ ପଡ଼ିବ । ଅତଏବ ଆପଣ ନିଜ କାମ କରିବାକୁ ସହାୟତାର ହାତ ଖୋଜି ବସିଲେ ଅଧିକାଂଶ ସମୟରେ ଆପଣ ଖାଲି ଖାଲିରେ ସହାୟତା ପାଇବେନି । ସହାୟତା ପାଇଁ ଖାଇବା ପିଇବା ସହ ହାତକୁ କିଛି ଅର୍ଥ ଦେବାକୁ ପଡ଼ିବ । ବିଶେଷକରି ଆମ ସମାଜରେ ଏକାକୀ ରହୁଥିବା ଅସହାୟ ମଣିଷ ଓ ବୟସ୍କ ଲୋକଙ୍କ ଅବସ୍ଥା ଏମିତି କିଛି ।
ଆମ ସାମାଜିକ ଦୃଷ୍ଟିଭଙ୍ଗୀରେ ବିପୁଳ ପରିବର୍ତ୍ତନ ଘଟିଛି । ସଭ୍ୟ ମଣିଷ ଭାବନ୍ତି ବିନା ସ୍ୱାର୍ଥରେ କିଛି କିଏ କରେନି । ଯିଏ ସହାୟତା ଲାଗି ଡାକୁଥିବ ହୁଏତ ତାର କିଛି ସ୍ୱାର୍ଥ ଥିବ । ତାକୁ କିଛି ଲାଭ ମିଳୁଥିବ । ଅନ୍ୟଥା ସେ କ’ଣ ପାଇଁ ଏତେଜଣଙ୍କ ଭିତରୁ ତାକୁ ଡାକିବ! ଏଇ ମାନସିକତା ଭିତରେ ଆଜିକାର ମଣିଷ । ସେଥିପାଇଁ ବିବଶ ହୋଇ କିଏ ସହାୟତା ଖୋଜିଲେ ସ୍ୱାର୍ଥକୁ ଖୋଜି ବସନ୍ତି ପ୍ରଥମେ । ତଥାପି ଏବେ ବି ଆଦିବାସୀ ଗାଁ ବିଶ୍ୱାସରେ ଚାଲେ । ଅନ୍ୟର ଜମିରେ ବୁତି ଖଟିବାକୁ ଗାଁର ବାକି ଲୋକ ଯାଆନ୍ତି । ହଳ ଲଙ୍ଗଳ, ଚାଷବାସ, ରୋଇବା କି ଫସଲ ଅମଳ ବେଳେ ସମସ୍ତଙ୍କର ଭାଗିଦାରୀ ରହେ । ଜଣେ ଆରକୁ ବିନା ସ୍ୱାର୍ଥରେ ବିନା ସର୍ତ୍ତରେ ସହାୟତା କରେ । କିଏ ମଲେ ଗଲେ ବିନା ସର୍ତ୍ତରେ ଗାଁ ମେଳି ହୋଇଯାଏ । ସହାୟତାର ହାତ ବଢ଼ିଯାଏ । ଗାଁର କାମ ହେଉ ଅବା ପର୍ବପର୍ବାଣୀ କିମ୍ବା ସୁଖଦୁଃଖରେ ଶତ ପ୍ରତିଶତ ଭାଗିଦାରୀ ରହେ । କିଏ କେବେ ନିଜ ସ୍ୱାର୍ଥ ଖୋଜେନି । କିନ୍ତୁ ଆମେ ବହୁତ ସଭ୍ୟ ଶିକ୍ଷିତ ପାରିବାର ବୋଲାଉଥିବା ମଣିଷ ମାନବିକତାକୁ କେଇ ମାତ୍ର ଟଙ୍କା କିମ୍ବା ପେଟେ ଭୋଜନ ଭିତରେ ବିକିଦେଉ । ଅନ୍ୟର ପରିସ୍ଥିତି ଓ ଅସହାୟତାକୁ ବୁଝିପାରୁନାହିଁ । ସଂପର୍କ, ମାନବିକତା, ଦୟା, କରୁଣା, ସାହାଯ୍ୟ ଓ ସହାୟତାର ପରିଭାଷାକୁ ସହଜରେ ବଦଳେଇପାରୁ । ଏବେ ବି ସେଇ ଗାଁ ଅଛି ଯେଉଁଠି କେବେ ଭାଇଚାରା, ସଂହତି ଓ ସଂପୃକ୍ତିରେ ମହମହ ବାସୁଥିଲା । କାନ୍ଧକୁ କାନ୍ଧ ମିଶାଇ ଯୁଝିଯାଉଥିଲେ ବିନା ଡାକରାରେ । ଗାଁ ଗୋଟାକ ସମସ୍ତଙ୍କର । ସୁଖଦୁଃଖରେ ବଞ୍ଚି ଯାଉଥିଲେ । ଘରେ ଏକାକୀ ସ୍ତ୍ରୀ ଓ ଛୋଟ ପିଲାଙ୍କୁ ଛାଡ଼ି ବେଧଡ଼କ ହୋଇ ବାହାରକୁ ଖଟିବାକୁ ଚାଲି ଯାଇପାରୁଥିଲା ଘରର ପୁରୁଷ ଲୋକଟି ।
ବିଶ୍ୱାସ ଓ ଭରସା ଥିଲା ଗାଁ ଭାଇମାନେ ଅଛନ୍ତି ପରିବାରର କିଛି ହେବନି! ରାଜନୀତି, ରଣନୀତି, ପ୍ରିୟାପ୍ରୀତି, ଅର୍ଥନୀତି ଭିତରେ ଆମେ ହଜାଇ ବସିଛୁ ମାନବିକ ମୂଲ୍ୟବୋଧକୁ । ସହାୟତା ବଦଳରେ ରଖୁ କମିଶନ, ଉପୁରି କି ହାତଖର୍ଚ୍ଚର ସର୍ତ୍ତ । ଏମିତି ସର୍ତ୍ତମୂଳକ ସହାୟତା ସବୁ ଯେମିତି ଲାଗେ ଅନ୍ଲାଇନ୍ ବେପାରର ରିହାତି କାରବାର! ଦାମ୍ ଉପରେ ଥିବା ଛୋଟରେ ମୁଦ୍ରିତ ତାରକା! ଆମ ଭିତରର ଏଇ ସର୍ତ୍ତ ତାରକା ଉଠେଇବାକୁ ହେବ । ନିର୍ମଳ ଆକାଶ ଭଳି ମନ ଓ ହୃଦୟକୁ ସ୍ୱଚ୍ଛ କରି ସହାୟତା ଦିଅନ୍ତୁ । ପ୍ରତିବଦଳରେ ଅସହାୟ ମଣିଷ ନିକଟରୁ ପାଇଥିବା ଆଶିଷ ଓ ଶୁଭକାମନା ଅନ୍ତତଃ ସେଦିନ ଶାନ୍ତିରେ ଶୋଇବାକୁ ଦେବ ନିଶ୍ଚିତ ଆପଣଙ୍କୁ!