ମୁମ୍ବାଇ: ବାବା ସିଦ୍ଦିକି ହତ୍ୟା ମାମଲା ସହ ଜଡ଼ିତ ଅନମୋଲ ବିଷ୍ଣୋଇ ଏବଂ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା (ଏନବିଡବ୍ଲୁ) ଜାରି କରିଛନ୍ତି ମୁମ୍ବାଇ କୋର୍ଟ । ଶୁଣାଣି ସମୟରେ ଅଭିଯୁକ୍ତ ହାଜର ନହେବାରୁ କୋର୍ଟ ସେମାନଙ୍କ ବିରୋଧରେ ଏନବିଡବ୍ଲୁ ଜାରି କରିଥିବା ଜଣାପଡ଼ିଛି । ପୋଲିସ ଅଧିକାରୀଙ୍କୁ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି କୋର୍ଟ ।
ଏହା ପୂର୍ବରୁ ଜାନୁଆରୀ ୬ରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା ମୁମ୍ୱାଇ ପୋଲିସର କ୍ରାଇମ୍ ବ୍ରାଞ୍ଚ । ପୋଲିସ ଏହି ମାମଲାରେ ୪୫୯୦ପୃଷ୍ଠାର ଚାର୍ଜସିଟ୍ରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ସମେତ ୨୬ ଲୋକଙ୍କ ନାଁ ସାମିଲ କରିଥିଲା । ବିଷ୍ଣୋଇ ଗ୍ୟାଙ୍ଗ ସଲମାନ ଖାନଙ୍କ ନିକଟତର ହେବା କାରଣରୁ ବାବା ସିଦ୍ଦିକିଙ୍କର ହତ୍ୟା କରିଥିଲା ବୋଲି ପୋଲିସ ଚାର୍ଜସିଟ୍ରେ ଦର୍ଶାଇଥିଲା। ପୋଲିସର ଯାଞ୍ଚରେ ଏହା ମଧ୍ୟ ନିଷ୍କର୍ଷ ବାହାରିଥିଲା ଯେ, ବିଷ୍ଣୋଇ ଗ୍ୟାଙ୍ଗ ମୁମ୍ୱାଇରେ ନିଜର ଦବଦବା ବଜାୟ ରଖିବାକୁ ହତ୍ୟାକାଣ୍ଡର ଯୋଜନା କରିଥିଲା। ଅଭିଯୋଗ ପତ୍ର ଅନୁସାରେ , ଅନମୋଲ ବିଷ୍ଣୋଇ ଭୟର ମାହୋଲ କାଏମ ରଖିବା ଓ ଦବଦବା ସ୍ଥାପନ କରିବା ଉଦ୍ଦେଶ୍ୟରେ ସିଦ୍ଦିକିଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିଥିଲା । ଅନମୋଲ ବିଷ୍ଣୋଇ ବ୍ୟତୀତ, ଅନ୍ୟ ୱାଣ୍ଟେଡ୍ ଅଭିଯୁକ୍ତମାନେ ହେଲେ ମହମ୍ମଦ ୟାସିନ ଅଖତର ଓ ଶୁଭମ ଲୋନକର।
ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ୨୦୨୪ ଅକ୍ଟୋବର ୧୨ରେ ଗୁଳି କରି ହତ୍ୟା କରାଯାଇଥିଲା । ତେବେ କାହିଁକି ସିଦ୍ଦିକିଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲା ବିଷ୍ଣୋଇ ଗ୍ୟାଙ୍ଗ ତାହା ସୁଟର ଶିବକୁମାର ଗୌତମ ମାନିଛି । ପୋଲିସକୁ କୁଖ୍ୟାତ ଅପରାଧୀ ଅନମୋଲ ବିଷ୍ଣୋଇର ନାମ କହିଥିଲା ସୁଟର । କୁଖ୍ୟାତ ଅପରାଧୀ ଅନମୋଲ ବିଷ୍ଣୋଇ ଏହି ହତ୍ୟାକାଣ୍ଡ ରଚିଥିଲା । ଦାଉଦ ଇବ୍ରାହିମ ସହ ସମ୍ପର୍କ ଏବଂ ୧୯୯୩ ମୁମ୍ବାଇ ବାସ୍ଫୋରଣରେ ସମ୍ପୃକ୍ତି ପାଇଁ ବାବା ସିଦ୍ଦିକିଙ୍କ ଉପରେ ଆକ୍ରମଣ ପାଇଁ ଅନମୋଲ ନିର୍ଦ୍ଦେଶ ଦେଇଥିଲା ବୋଲି ଶିବକୁମାର ପୋଲିସକୁ କହିଥିଲା । ସିଦ୍ଦିକିଙ୍କ ଉପରକୁ ଗୁଳି କରିଥିବା ମୁଖ୍ୟ ଗୁଳିଚାଳକ ଶିବକୁମାର ଗୌତମ ପୋଲିସକୁ ଏହି ବୟାନ ଦେଇଥିଲା ।