ଭୁବନେଶ୍ୱର ୨୭/୦୧ : ଖେଳ ପଡିଆରେ ଛକା, ଚଉକା ବଦଳରେ ବୁଲିଲା ବ୍ୟାଟ୍, ଓ୍ୱିକେଟ୍‌। ଦେଖୁ ଦେଖୁ କ୍ରିକେଟ୍ ଗ୍ରାଉଣ୍ଡ ପାଲିଟିଲା ରଣକ୍ଷତ୍ର। କୌଣସି କାରଣକୁ ନେଇ ଦୁଇ ଟିମ୍ ସଦସ୍ୟ ଲାଗିଲା ଗଣ୍ଡଗୋଳ। ଅଣାୟତ ହୋଇଗଲା ପରିସ୍ଥିତି। ଏକାଧିକ ଖେଳାଳି ମାର୍‌ପିଟ୍ ଯୋଗୁ ହୋଇଥିଲେ ଆହତ। ଏଭଳି ଅଭାବନୀୟ ଘଟଣା ପଞ୍ଚାୟତ ସ୍ତରୀୟ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଘଟିଛି। ଯାହାକୁ ନେଇ ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ଆଉଁରୀ ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଳକୁଣ୍ଡ ପୋଲିସ ମାମଲା ରୁଜୁ କରିଛି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ଆଉଁରୀ ନିକଟ ପଡିଆରେ ପଞ୍ଚାୟତ ସ୍ତରୀୟ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଚାଲିଥିଲା । ଏହି ସମୟରେ କୌଣସି କଥାକୁ ନେଇ ଉଭୟ ଦଳ ମଧ୍ୟରେ ବିବାଦ ଦେଖାଦେଇଥିଲା । ଯାହାଫଳରେ ପିଟାପିଟି ହୋଇଥିଲେ । ଯିଏ ଯାହା ହାତରେ ପାଇଲା, ସେଥିରେ ବାଡେଇଥିଲେ । ଏପିରିକି ଓ୍ୱିକେଟ୍‌ ଏବଂ ବ୍ୟାଟରେ ଗଣ୍ଡଗୋଳ ହେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ପଡିଆରେ ଉଭୟ ଦଳର ପିଲା ଗଣ୍ଡଗୋଳ କରୁଥିବାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଦୁଇ ଦିନ ତଳର ହୋଇଥିବା ବେଳେ ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଖେଳ ମଝିରେ ହଠାତ୍‌ କାହିଁକି ଗଣ୍ଡଗୋଳ ହେଲା, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସେପଟେ ଏହି ଗଣ୍ଡଗୋଳକୁ ନେଇ ଅଳକୁଣ୍ଡା ଥାନାରେ ଉଭୟ ଦଳ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ଆଉ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଘଟଣାର ସମାଧାନ କରିଥିବା ଜଣାପଡିଛି ।