ଭୁବନେଶ୍ୱର,୨୫/୦୧: ବିଲ୍ଡରଙ୍କ ସହଯୋଗୀଙ୍କୁ ଗୁଳିମାଡ଼ ଘଟଣା ତଦନ୍ତରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଗୁଳିକାଣ୍ଡ ପଛରେ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବା ନେଇ ପୁଲିସକୁ ସୁରାକ୍ ମିଳିଛି । କିନ୍ତୁ ଜମି କିଣାବିକା ନା ସୁଧ ପାଇଁ ଏହି ଟଙ୍କା କାରବାର ହୋଇଛି, ଏପର୍ଯ୍ୟନ୍ତ ସେ ରହସ୍ୟ ଭେଦି ପାରିନାହିଁ ପୁଲିସ । ଅନ୍ୟପଟେ ଜଗତସିଂହପୁର ଅଞ୍ଚଳରୁ ୪ଜଣ ଅଭିଯୁକ୍ତ ଆସି ଭୁବନେଶ୍ୱର ବଡ଼ଗଡ଼ ବିଜେବି କଲୋନିରେ ଗୁଳି ଫୁଟାଇଥିବା ପୁଲିସକୁ ତଥ୍ୟ ମିଳିଛି ।
ପୁଲିସ ସୂଚନା ମୁତାବକ, ଅଭିଯୋଗକାରୀ ଦେବାଶିଷ ଦାସଙ୍କ ଘର ମଞ୍ଚେଶ୍ୱର ରଙ୍ଗମାଟିଆ ଅଞ୍ଚଳରେ । ବଡ଼ଗଡ଼ ଥାନା ବିଜେବି ନଗରରେ ତାଙ୍କର ଏକ ବିଲ୍ଡର ସଂସ୍ଥା ଅଛି । ଜଗତସିଂହପୁର ଟାଉନ୍ ଥାନା ଅଧୀନ ଚାରିପୋଲିଆ ଅଞ୍ଚଳର ମାନସ ଭୋଇ ସହ ୪ ବର୍ଷ ତଳୁ ତାଙ୍କର ବ୍ୟବସାୟିକ ସମ୍ପର୍କ ରହିଛି । ଦେବାଶିଷ ୨ ବର୍ଷ ତଳେ ଏକ ଜାଗା କିଣିବା ପାଇଁ ମାନସଙ୍କୁ ଅଗ୍ରୀମ ୨୫ ଲକ୍ଷ ଟଙ୍କା ଦେଇଥିଲେ । ଦିନ ପରେ ଦିନ ଗଡ଼ିଲା । କିନ୍ତୁ ମାନସଙ୍କ ଦେଖା ମିଳିଲାନି । ଜମି ମାଲିକାନା ସତ୍ୱ ବଦଳାଇବା କଥା ଛାଡନ୍ତୁ, ଜମିର କାଗଜପତ୍ର ଦେବାଶିଷଙ୍କୁ ବି ଦେଖାଇଲେ ନାହିଁ । ଦେବାଶିଷ ତାଙ୍କୁ ବାରମ୍ବାର ଟଙ୍କା ମାଗିବାରୁ ମାନସ ଚିଡ଼ି ଯାଇଥିଲେ ।
ଗୁରୁବାର ଅପରାହ୍ମରେ ୩ଜଣ ସହଯୋଗୀଙ୍କୁ ସାଙ୍ଗରେ ଧରି ଏକ କାର ଯୋଗେ ବଡ଼ଗଡ଼ ବିଜେବି ନଗରସ୍ଥିତ ଦେବାଶିଷଙ୍କ ଅଫିସରେ ପହଞ୍ଚିଥିଲେ । ସେତେବେଳେ ଅଫିସ ଭିତରେ ଦେବାଶିଷଙ୍କ ସହ ତାଙ୍କ ବ୍ୟବସାୟିକ ସହଯୋଗୀ ପ୍ରଦୋଷ ଚୌଧୁରୀ ଥିଲେ । ମାନସ ଓ ୩ ସହଯୋଗୀ ଅଫିସ ଭିତରେ ହଙ୍ଗାମା ଆରମ୍ଭ କଲେ । ଚେୟାର ଟେବୁଲ ଫିଙ୍ଗାଫୋପଡ଼ା କରିବା ସହ କର୍ମଚାରୀମାନଙ୍କୁ ଧମକାଇଥିଲେ। ପ୍ରଦୋଷ ଓ ଦେବାଶିଷ ସେମାନଙ୍କୁ ବିରୋଧ କରିଥିଲେ । ଅଧିକ ଉତ୍ପାତ କଲେ, ପୁଲିସକୁ ଡାକିବେ ବୋଲି କହି ତାଗିଦ୍ କରିଥିଲେ । ଉଭୟଙ୍କ ଏତିକି କଥାରେ ଅଭିଯୁକ୍ତମାନେ ରାଗିଗଲେ । ସେମାନଙ୍କ ଭିତରୁ ଜଣେ ଅଣ୍ଟାରେ ଖୋସିଥିବା ବନ୍ଧୁକ ବାହାର କରି ଫାଙ୍କା ଗୁଳି ଚଳାଇଥିଲା । ୨ ରାଉଣ୍ଡ ଗୁଳି ଇଆଡେ ସିଆଡେ ବାଜିବା ପରେ ଅଫିସ୍ରେ ଧାଁ ଦୌଡ଼ ଆରମ୍ଭ ହେଲା । ତୃତୀୟ ଗୁଳିଟି ପ୍ରଦୋଷଙ୍କ ଗୋଡ଼ରେ ବାଜିଥିଲା । ଗୁଳିମାଡ଼ ପରେ ପ୍ରଦୋଷ ଚିତ୍କାର କରିବାରୁ ଅଭିଯୁକ୍ତମାନେ ଭୟରେ ଅଫିସରୁ ବାହାରି କାର ନେଇ ଛୁ ମାରିଥିଲେ ।
ଦେବାଶିଷ ଓ ଅନ୍ୟ କର୍ମଚାରୀ ପ୍ରଦୋଷଙ୍କୁ ଅଫିସ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ଉକ୍ତ ହସ୍ପିଟାଲରେ ଆଇସିୟୁ ନଥିବାରୁ ତାଙ୍କୁ ଚିକିତ୍ସା ମିଳିଲାନି । ତା’ ପରେ ପ୍ରଦୋଷଙ୍କୁ ଅନ୍ୟ ଏକ ଉଚ୍ଚମାନର ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସା ପରେ ପ୍ରଦୋଷଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି ।
କାର ନମ୍ବର ପ୍ଲେଟ୍ରୁ ମିଳିଲା ଅଭିଯୁକ୍ତଙ୍କ ସୁରାକ୍
ବଡ଼ଗଡ଼ ଥାନା ପୁଲିସ ଉକ୍ତ ଅଫିସ୍ ଓ ତା’ ନିକଟସ୍ଥ ହସ୍ପିଟାଲକୁ ଯାଇ ତନାଘନା କରିଥିଲା । ଅଭିଯୁକ୍ତମାନେ ଆସିଥିବା କାର ନମ୍ବର ପ୍ଲେଟ୍ରୁ ମାଲିକଙ୍କ ଠିକଣା ଖୋଜିବାରୁ ସେଥିରୁ ଜଗତସିଂହପୁର ଲିଙ୍କ୍ ବାହାରିଥିଲା । ଗାଡି ମାଲିକ ଜଣକ ଦୀର୍ଘ ଦିନ ଧରି ସୁଧ କାରବାରରେ ଜଡିତ ଥିବା ସୁରାକ୍ ମଧ୍ୟ ପୁଲିସକୁ ମିଳିଥିଲା । ଗୁଳିକାଣ୍ଡ ପଛର ରହସ୍ୟ ସୁଧ କାରବାର ହୋଇପାରେ ବୋଲି ପୁଲିସ ଅନୁମାନ କରୁଛି । କିନ୍ତୁ ଅଭିଯୋଗକାରୀଙ୍କ ଏତାଲାରେ ସୁଧ କାରବାର ସମ୍ପର୍କରେ ଆଦୌ ଉଲ୍ଲେଖ ନାହିଁ । ତେଣୁ ଅଭିଯୁକ୍ତମାନେ ଧରାପଡିଲେ ହିଁ ଗୁଳିକାଣ୍ଡର ରହସ୍ୟ ଫିଟିବ ବୋଲି ପୁଲିସ ଆଶା ରଖିଛି ।
ଖାଲି ହାତରେ ଫେରିଲା ପୁଲିସ
ତନାଘନାରୁ ଜଣାପଡ଼ିଲା ଯେ ଏରସମା ଅଞ୍ଚଳର ବୁଦ୍ଧିଆ ହେଉଛନ୍ତି ମାନସର ଘନିଷ୍ଠ ସହଯୋଗୀ । ସେ ଦୀର୍ଘଦିନ ଧରି ବାଲିଘାଟ ବେପାର ସହ ଜଡିତ । ବଡ଼ କଥା ହେଲା, ଅଭିଯୁକ୍ତମାନେ ଆସିଥିବା କାର୍ଟି ବୁଦ୍ଧିଆର ଭିଣୋଇଙ୍କର । ଗତକାଲି ମାନସ ସହ ବୁଦ୍ଧିଆ ଭୁବନେଶ୍ୱର ଆସିଥିବା ପୁଲିସ ଅନୁମାନ କରିଥିଲା । ବଡ଼ଗଡ଼ ଥାନା ଓ ସ୍ପେଶାଲ ସ୍କ୍ୱାଡ୍ର ମିଳିତ ଟିମ୍ ରାତି ଅଧରେ ଜଗତସିଂହପୁରକୁ ମାଡି ଯାଇଥିଲେ। ଦିନତମାମ ମାନସ, ବୁଦ୍ଧିଆ ଓ ଅନ୍ୟଜଣେ ସହଯୋଗୀ ରଜନୀ ଚୌଧୁରୀଙ୍କ ପୈତୃକ ଘର ଓ ଅନ୍ୟ ଆଡ୍ଡାସ୍ଥଳ ଖୋଜାଖୋଜି କରିଥିଲେ । କିନ୍ତୁ କାହାରି ପତ୍ତା ମିଳିଲାନି । ପୁଲିସ ଖାଲି ହାତରେ ଘରକୁ ଫେରିଥିଲା ।