ନୂଆଦିଲ୍ଲୀ: ପ୍ରାଥମିକ ଶିକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । ଆଜି (ସୋମାବର) ଶିକ୍ଷା ମନ୍ତ୍ରଣାଳୟ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ଥିବା ‘ନୋ-ଡିଟେନସନ ପଲିସି’ ସମାପ୍ତ କରିଦେଇଛି । ଏବେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହୋଇଗଲେ ଉପର ଶ୍ରେଣୀକୁ ଯାଇପାରିବେ ନାହିଁ ଛାତ୍ରଛାତ୍ରୀ । ପୂର୍ବରୁ ଫେଲ୍ ହେଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଉପର ଶ୍ରେଣୀକୁ ପ୍ରମୋଟ କରିଦିଆ ଯାଉଥିଲା । ଏଣିକି ଫେଲ ହେଲେ ଦୁଇ ମାସ ଭିତରେ ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ ସୁଯୋଗ ମିଳିବ । ଦ୍ବିତୀୟ ଥର ଫେଲ ହେଲେ ତାଙ୍କୁ ପ୍ରମୋଟ କରାଯିବ ନାହିଁ ।
ଶିକ୍ଷା ଅଧିକାର ଅଧିନିୟମ (ଆରଟିଇ)ରେ ସଂଶୋଧନ ହେବା ପରେ ୧୬ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପୂର୍ବରୁ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଲାଗି ଥିବା ‘ନୋ ଡିଟେନସନ୍ ପଲିସି ଶେଷ ହୋଇଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏବେ ଏହି ପଲିସିକୁ ନିରସ୍ତ୍ର କରିଦେବା ପରେ କୌଣସି ଛାତ୍ରଛାତ୍ରୀ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷାରେ ଫେଲ ହେଲେ, ଦୁଇ ମାସ ଭିତରେ ପୁଣି ଥରେ ପରୀକ୍ଷା ଦେବାକୁ ସୁଯୋଗ ପାଇବେ । ଯଦି ଛାତ୍ରଛାତ୍ରୀ ଦ୍ବିତୀୟ ସୁଯୋଗରେ ସଫଳ ନହୁଅନ୍ତି ତେବେ ସେମାନଙ୍କୁ ଉପର ଶ୍ରେଣୀଙ୍କୁ ପଠାଯିବ ନାହିଁ ।
The Union Education Ministry has taken a big decision and abolished the 'No Detention Policy'.
— DD News (@DDNewslive) December 23, 2024
Students who fail the annual examination in classes 5 and 8 will be failed. Failed students will have a chance to retake the test within two months, but if they fail again, they will… pic.twitter.com/MK8MC1iJ0a
ଏହି ନୂଆ ନିୟମ ୩ ହଜାରରୁ ଅଧିକ ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ଲାଗୁ ହେବ । କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଏବଂ ସୈନିକ ସ୍କୁଲରେ ନୋ-ଡିଟେନସନ ପଲିସି ଆଉ ଲାଗୁ ହେବ ନାହିଁ ବୋଲି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଜୁଲାଇ ୨୦୧୮ରେ ଲୋକସଭାରେ ଆରଟିଇର ସଂଶୋଧନ ଲାଗି ବିଲ୍ ପାରିତ ହୋଇଥିଲା । ଏଥିରେ ‘ନୋ ଡିଟେନସନ୍ ପଲିସି’ ସମାପ୍ତ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା । ଏହା ପରେ ୨୦୧୯ରେ ରାଜ୍ୟସଭାରେ ମଧ୍ୟ ପାରିତ ହୋଇଥିଲା ରାଇଟ୍ ଟୁ ଏଜୁକେସନ୍ (ସଂଶୋଧନ) ବିଧେୟକ । ଏଥିରେ ରାଜ୍ୟ ସକରାରଙ୍କୁ ନୋ-ଡିଟେନସନ ପଲିସି ସମାପ୍ତ କରିବାକୁ ମଧ୍ୟ ଅଧିକାର ଦିଆଯାଇଥିଲା ।
ସରକାରଙ୍କ ପକ୍ଷରୁ ଆହୁରି କୁହାଯାଇଛି ଯେ, ଯେଉଁ ଛାତ୍ରଛାତ୍ରୀ ପରୀକ୍ଷାର; ଫେଲ୍ ହୋଇ ପଞ୍ଚମ କିମ୍ବା ଅଷ୍ଟମ ଶ୍ରେଣୀରେ ପୁଣି ଥରେ ରହିବେ ସେମାନଙ୍କର ଅଧିକ ଯତ୍ନ ନେବେ ଶିକ୍ଷକ । ସେପଟେ ପ୍ରାଥମିକ ଶିକ୍ଷା ପୂରା ନହେବା ଯାଏଁ କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ବାହାର କରାଯିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଫେଲ୍ ହୋଇ ସମାନ ଶ୍ରେଣୀରେ ରହୁଥିବା ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ଅଭିଭାବକଙ୍କୁ ଶିକ୍ଷକ-ଶିକ୍ଷୟିତ୍ରୀ ଗାଇଡ୍ କରିବେ । ଅକୃତକାର୍ଯ୍ୟ ହେଉଥିବା ପିଲାଙ୍କୁ ସବୁ ପ୍ରକାର ସହାୟତା ଦେଇ ସେମାନଙ୍କ ମନୋବଳ ବଢ଼ାଇବାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହାୟକ ହେବେ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।