ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଆସନ୍ତା ୧୦ ଦିନରେ ବିଜେଡିର ନବକଳେବର: ଛୋଟ ଟିମ୍‌, ବଡ଼ ନେତାଙ୍କୁ ମିଳିବ ସ୍ଥାନ

ଭୁବନେଶ୍ୱର,୧୬/୦୭: ନୂଆ ଢାଞ୍ଚା, ନୂଆ ମନ୍ତ୍ର । ପରାଜୟର ଗ୍ଳାନି ଭିତରୁ ବାହାରି ପୁଣି ମଇଦାନରେ ଅଣ୍ଟା ସଳଖିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ବିଜୁ ଜନତା ଦଳ । ଖୁବଶୀଘ୍ର ଦଳର ହେବାକୁ ଯାଉଛି ନବକଳେବର । ଆସନ୍ତା  ୧୦/୧୨ ଦିନ ଭିତରେ ନୂଆ ଟିମ୍‌ ଘୋଷଣା କରିପାରେ  ଦଳ । ଏହି ଟିମ୍‌ ଛୋଟ ହେବ । ଅଭିଜ୍ଞ ଓ ଓଜନିଆ ନେତାଙ୍କୁ ଏଥିରେ ସ୍ଥାନ ଦେବାକୁ ବିଚାର ବିମର୍ଶ ଚାଲିଛି । 

ନିର୍ବାଚନରେ ପରାଜୟ ପରେ ବିଜେଡି ସଭାପତି  ନବୀନ ପଟ୍ଟନାୟକ ପୂର୍ବାପେକ୍ଷା ଅଧିକ ସକ୍ରିୟ ହୋଇ  ପଡ଼ିଛନ୍ତି । ଦଳ ସରକାରରୁ ହଟିବା ପରେ ନବୀନ ନୀରବରେ  ବସିନାହାନ୍ତି । ଦଳକୁ ସଜାଡ଼ିବାକୁ ନିଜେ ଅଣ୍ଟା ଭିଡ଼ିଛନ୍ତି ।  ବରିଷ୍ଠ ନେତାଙ୍କ ସହ ଆଲୋଚନା କରି ସଂଗଠନକୁ  ସୁଦୃଢ଼ ଓ ସକ୍ରିୟ କରିବାକୁ ଲାଗି ପଡ଼ିଛନ୍ତି । ଏଥିପାଇଁ  ପ୍ରଥମେ ମିଡିଆ ଟିମ୍‌ର ପୁନର୍ବିନ୍ୟାସ କରାଯାଇଥିଲା ।  ଦଳର ରାଜ୍ୟସ୍ତରୀୟ ସାଂଗଠନିକ ଟିମ୍‌କୁ ଭଙ୍ଗାଯାଇଛି । 

ସୂତ୍ର ଅନୁସାରେ, ଏବେ ବିଜେଡି ଯେଉଁ ଟିମ୍‌ ଗଢ଼ିବାକୁ  ଯାଉଛି, ତାହା ପୂର୍ବ ଭଳି ଜୁମ୍ବୋ ଟିମ୍‌ ହେବନି । ଅପେକ୍ଷାକୃତ  ଛୋଟ ହେବ । ମନଇଚ୍ଛା କାହାକୁ ସଂଗଠନରେ ଥଇଥାନ  କରାଯିବ ନାହିଁ । ପୂର୍ବ କମିଟିରେ ମାଳମାଳ ନେତାଙ୍କୁ ସ୍ଥାନ  ଦିଆଯାଇଥିଲା । ଦଳ ଡିଆଁ ଓ ଅସନ୍ତୁଷ୍ଟ ନେତାଙ୍କୁ କମିଟିରେ  ଥଇଥାନ କରାଯାଉଥିଲା । ଦାୟିତ୍ୱ ଥାଉ କି ନ ଥାଉ, କିନ୍ତୁ  ପଦ ମିଳୁଥିଲା । ଏହାକୁ ଗୁରୁତର ସହ ନେଇଛନ୍ତି ନବୀନ । 

ଏଥର ସଂଗଠନକୁ ବଳୁଆ କରିବା ପାଇଁ ବଛାବଛା ଟାଣୁଆ  ସଂଗଠକଙ୍କୁ ସଂଗଠନରେ ସ୍ଥାନ ମିଳିବ । ବହୁ ବଡ଼ ନେତା  ରହିବେ ରାଜ୍ୟସ୍ତରୀୟ କମିଟିରେ । ପ୍ରତି ପଦାଧିକାରୀଙ୍କୁ  ନିର୍ଦ୍ଦିଷ୍ଟ ଦାୟିତ୍ୱ ବଣ୍ଟାଯିବ । ଅନୁଭବୀ ନେତାମାନଙ୍କ  ଅଭିଜ୍ଞତାକୁ ଦଳ ସାଂଗଠନିକ କାର୍ଯ୍ୟରେ ବ୍ୟବହାର କରିବ ।  ଏହାସହ କିଛି ଯୁବ ନେତାଙ୍କୁ ପଦୋନ୍ନତି ଦେବା  ଭଳି ରାଜ୍ୟ କମିଟିରେ ଆଗକୁ ଅଣାଯିବ । ପୂର୍ବପରି  ସଂଗଠନ ସମ୍ପାଦକ ପଦ ରହିବ କି ନାହିଁ, ତାହା ସ୍ପଷ୍ଟ  ହୋଇନାହିଁ । ଯଦି ଏହି ପଦ ରହିବ, ତେବେ ଏଥିରେ  କିଛି ପରିବର୍ତ୍ତନ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନି । 

ଆସନ୍ତା ୨୨ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ  ହେବ । ଚାଲିବ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ । ବିଧାନସଭାରେ ନୂଆ  ସରକାରଙ୍କୁ ଘେରିବାକୁ ବିଜେଡି ପ୍ରସ୍ତୁତି ଚଳାଇଛି । ବାହାରେ  ସରକାରଙ୍କୁ ଘେରିବାକୁ ହେଲେ ସଂଗଠନକୁ ପୁଣି ଥରେ ସକ୍ରିୟ  କରିବାକୁ ହେବ । ଦଳର ବରିଷ୍ଠ ନେତାଙ୍କ କହିବାନୁସାରେ  ବିଧାନସଭା ଅଧିବେଶନ ଆରମ୍ଭ ହେବାର କିଛି ଦିନ ଭିତରେ ହିଁ  ବିଜେଡିର ସାଂଗଠନିକ ନୂଆ ଟିମ୍‌ ଘୋଷଣା ହେବା ସମ୍ଭାବନା ଅଛି । ଦଳୀୟ ସୂତ୍ର ଅନୁସାରେ ପ୍ରଥମେ ରାଜ୍ୟସ୍ତରୀୟ ସାଂଗଠନିକ  ଟିମ୍‌କୁ ନୂଆ ରୂପ ଦିଆଯିବ । ତା’ପରେ ଜିଲ୍ଲାସ୍ତରରେ ବି ବଡ଼  ପରିବର୍ତ୍ତନ କରାଯିବ । ଜିଲ୍ଲାସ୍ତରରେ ମିଡିଆ ଟିମ୍‌ ମଧ୍ୟ  ଗଢ଼ାଯିବ । 

ଦଳର ଛାମୁଆ ସଂଗଠନ ଯୁବ, ଛାତ୍ର ଓ ମହିଳା ଟିମ୍‌କୁ  ମଧ୍ୟ ନବକଳେବର କରାଯିବ । ବଡ଼ଧରଣର ଅଦଳବଦଳ  ହେବ । ଛାତ୍ର ସଂଗଠନର ନେତୃତ୍ୱ ଧରିଥିବା କିଛି ନେତାଙ୍କୁ  ରାଜ୍ୟର ଯୁବ ଟିମ୍‌କୁ ଅଣାଯିବ । ଯୁବ ଟିମ୍‌ରୁ ଅନେକ ଯିବେ  ରାଜ୍ୟ ଓ ଜିଲ୍ଲା ସଂଗଠନ ଦାୟିତ୍ୱଙ୍କୁ । ବିଧାନସଭା ପାଇଁ ଲଢ଼ିଥିବା  କିଛି ନେତା ଏଥର ଜିଲ୍ଲା କମିଟିର ମଙ୍ଗ ଧରିପାରନ୍ତି । ସମସ୍ତଙ୍କୁ  ସାଙ୍ଗରେ ନେଇ ଦଳ ଆଗକୁ ବଢ଼ିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି ।

  • PrameyaOdia
  • prameya
  • BJD
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.