ନୂଆଦିଲ୍ଲୀ,୧୬/୦୭ : ରୁଷକୁ ଅର୍ଥନୈତିକ ଭାବେ ଦୁର୍ବଳ କରି ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଆମେରିକା ଚାହଁଛି । ଏହି ଆଧାରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ଉପରେ ୧୦୦% ଯାଏ କାର୍ଯ୍ୟାନୁଷ୍ଠାନମୂଳକ ଟାରିଫ୍ ଘୋଷଣା କରିଛନ୍ତି । ଅନ୍ୟପଟେ ରୁଷ ସହ କାରବାର କରୁଥିବା ଦେଶ ଗୁଡ଼ିକ ମଧ୍ୟ ଆମେରିକା ଟାର୍ଗେଟରେ । ଏହି ଦେଶଗୁଡ଼ିକ ବିରୋଧରେ ପୁଣି ପଡ଼ିପାରେ ଟାରିଫ୍ ବୋମା । ନାଟୋ ସେକ୍ରେଟାରୀ ଜେନେରାଲ ମାର୍କ ରୁଟେ ଭାରତ ସହ ଚୀନ ଓ ବ୍ରାଜିଲ ଭଳି ଦେଶକୁ ଏ ନେଇ ଚେତାବନୀ ଦେଇଛନ୍ତି । ରୁଷ ସହ କାରବାର ମହଙ୍ଗା ପଡ଼ିବ ବୋଲି ସେ କହିଛନ୍ତି ।
ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ସାରା ବିଶ୍ୱର ଅର୍ଥନୀତି ଏବେ ପ୍ରଭାବିତ । ରୁଷ ଯୁଦ୍ଧରୁ ନିବୃତ୍ତ ହେଉ ବୋଲି ଆମେରିକା ଚେଷ୍ଟା ଜାରି ରଖିଛି । ତେବେ ଏହି ଚେଷ୍ଟାରେ ଏବେ ଯାଏ ସଫଳ ହୋଇନି ୟୁଏସ୍ । ଏବେ ରୁଷକୁ ବାଣିଜ୍ୟରେ ସମର୍ଥନ କରୁଥିବା ଦେଶ ଗୁଡ଼ିକୁ ଟାର୍ଗେଟ କରିବା ଯୋଜନାରେ ରହିଛି ଆମେରିକା । ରୁଷ ଉପରେ ପୁଣି ଥରେ କାର୍ଯ୍ୟାନୁଷ୍ଠାନ ଯୋଗୁ ଭାରତ, ଚୀନ ଏବଂ ବ୍ରାଜିଲ ବଡ଼ ମାତ୍ରାରେ କ୍ଷତିଗ୍ରସ୍ତ ହୋଇପାରନ୍ତି ବୋଲି ରୁଟେଙ୍କୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି ରୟଟର୍ସ । କଂଗ୍ରେସରେ ଆମେରିକା ସିନେଟର ଏବଂ ଟ୍ରମ୍ପଙ୍କ ସହ ଭେଟିବା ପରେ ଏଭଳି ପ୍ରସଙ୍ଗ ଉଠାଇଛନ୍ତି ନାଟୋ ମୁଖ୍ୟ । ୫୦ ଦିନରେ ଯୁଦ୍ଧ ବିରତି ନ ଘୋଷଣା ହେଲେ ରୁଷ ଉପରେ ପୁଣି ଥରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି । ୧୦୦% ଟାରିଫ ଲାଗୁ ହେବ । ଏହା ସହ ୟୁକ୍ରେନକୁ ଯୁଦ୍ଧାସ୍ତ୍ର କିଣା ଲାଗି ନୂଆ ପ୍ୟାକେଜ ଘୋଷଣା କରିଛି ଆମେରିକା । ଏଭଳି ସ୍ଥିତିରେ ସିନେଟର ଲିଣ୍ଡ୍ସେ ଗ୍ରାହାମ ଏବଂ ରିଚାର୍ଡ ବ୍ଲୁମେନ୍ଥାଲ ମଧ୍ୟ ଭାରତ ସମେତ ରୁଷ ସମର୍ଥିତ ଦେଶ ଗୁଡ଼ିକୁ ସମାଲୋଚନା କରିଛନ୍ତି । ରୁଷ ସହ କାରବାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏହି ୨ ସିନେଟର ମଧ୍ୟ କହିଛନ୍ତି ।
ଦକ୍ଷିଣ କାରୋଲିନାର ରିପବ୍ଲିକାନ ସିନେଟର ଗ୍ରାହାମ ଏବଂ ଡେମୋକ୍ରାଟିକ ସିନେଟର ବ୍ଲୁମେନ୍ଥାଲ ନିକଟରେ ରୁଷ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଏକ ବିଲ୍ ଉପସ୍ଥାପନା କରିଥିଲେ । ଏହି ବିଲ୍ ସପକ୍ଷରେ ମଧ୍ୟ ସେମାନେ ସମର୍ଥନ ଯୋଗାଡ଼ କରିଥିଲେ । ରୁଷ କାର୍ଯ୍ୟାନୁଷ୍ଠାନ ବିଲ୍କୁ ଆଗକୁ ବଢ଼ାଇବା ଲାଗି ଉଦ୍ୟମ ଜାରି ରହିବ ବୋଲି ଏକ୍ସ ହ୍ୟାଣ୍ଡେଲରେ ରିଚାର୍ଡ ବ୍ଲୁମେନ୍ଥାଲ କହିଛନ୍ତି । ତେଲ ଏବଂ ଗ୍ୟାସ କିଣି ରୁଷକୁ ସମର୍ଥନ କରୁଥିବାରୁ ଭାରତ, ବ୍ରାଜିଲ ଏବଂ ଚୀନ ଉପରେ ୫୦୦ ଟାରଫ୍ ଲାଗୁ ବୋଲି ସେମାନେ ଦାବି କରିଛନ୍ତି । ଏଭଳି ସ୍ଥିତିରେ ରୁଷ ଯଦି ୫୦ ଦିନ ମଧ୍ୟରେ ଯୁଦ୍ଧ ବିରତି ଚୁକ୍ତି ନ କରେ ଭାରତ, ବ୍ରାଜିଲ ଏବଂ ଚୀନ ଉପରେ ୧୦୦% ଅତିରିକ୍ତ ଟାରିଫ୍ ଲାଗିପାରେ । ପୁଟିନଙ୍କୁ ଶାନ୍ତି ଚୁକ୍ତିରେ ଦସ୍ତଖତ କରିବାକୁ ଆମେରିକା ଏଭଳି କାମ ଦ୍ୱାରା ବାଧ୍ୟ କରିବ । ଏହି ଟାରିଫ୍ ୫୦୦% ଯାଏ ରହିପାରେ । ଏଭଳି ପ୍ରସଙ୍ଗକୁ ନେଇ ଭାରତ ଚିନ୍ତା ବ୍ୟକ୍ତ କରିଛି । ଭାରତ ଏହାର ତେଲ ଆବଶ୍ୟକତାର ୮୫% ବିଦେଶରୁ ଆମଦାନି ଦ୍ୱାରା ପୂରଣ କରିଥାଏ । ଏକ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଭାବେ ଶକ୍ତି ନିରାପତ୍ତା ଲାଗି ଭାରତ ରୁଷର ଶସ୍ତା ତେଲ ଉପରେ ନିର୍ଭର କରୁଛି । ମଧ୍ୟପ୍ରାଚ୍ୟରେ ଅଶାନ୍ତି ବଢ଼ିବା ପରେ ଦେଶ ରୁଷରୁ ତେଲ କିଣାକୁ ବହୁ ଗୁଣରେ ବଢ଼ାଇ ଦେଇଛି । ମାତ୍ର ଟ୍ରମ୍ପ ଯଦି ଏଭଳି ଟାରିଫ ଲଗାନ୍ତି ଏହା ଭାରତ ଲାଗି ଶକ୍ତ ଝଟ୍କା ହେବ ।