ନୂଆଦିଲ୍ଲୀ: ଜର୍ମାନର କୋଲୋନ୍-ବନ୍ ବିମାନ ବନ୍ଦରରେ କୁକିଜ୍ ବକ୍ସରେ ଚାଲାଣ ହେଉଥିବା ବହୁତ ଗୁଡିଏ ବୁଢିଆଣୀ କିଟକୁ ଜବତ କରିଛି କଷ୍ଟମ ବିଭାଗ । ପ୍ରାୟ ସାତ କିଲୋଗ୍ରାମ (୧୫ ପାଉଣ୍ଡ) ଓଜନର ଏହି କୁକିଜ୍ ବକ୍ସ ଭିଏତନାମରୁ ଆସିଥିଲା ଏବଂ ଅଧିକାରୀ ମାନେ ଏକ ଅସ୍ୱାଭାବିକ ଗନ୍ଧ ବାରିବା ପରେ ଏହା ଅଟକାଇଥିଲେ ।
ଯାଞ୍ଚ ପରେ, କର୍ତ୍ତୃପକ୍ଷ ପ୍ରାୟ ୧୫୦୦ ବୁଢିଆଣୀ କିଟ ସେଥିରୁ ଜବତ କରିଥିଲେ । ସେମାନଙ୍କ ମଧ୍ୟରୁ ଅନେକ ବିଷାକ୍ତ ଥିଲେ। ପ୍ୟାକେଜ୍ ଭିତରେ ପ୍ଲାଷ୍ଟିକ୍ ଟ୍ୟୁବ୍ ଭିତରେ ଏଗୁଡିକୁ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଏଗୁଡିକ ମଧ୍ୟରୁ ଅନେକ ବୁଢିଆଣୀ ଯାତ୍ରା ସମୟରେ ବଞ୍ଚି ପାରିନଥିଲେ । ଆଉ ବଞ୍ଚିଥିବା ମାନଙ୍କୁ ଅତି ଯତ୍ନର ସହିତ ରଖାଯାଇଛି।
ଏନେଇ କଷ୍ଟମ୍ସ ମୁଖପାତ୍ର ଜେନ୍ସ ଆହଲାଣ୍ଡ କହିଛନ୍ତି ଯେ,ଏହି ଅସାଧାରଣ କିଟ ଗୁଡିକ ଆମର ଅଧିକାରୀ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ,"କିଛି ଲୋକ କେବଳ ଲାଭ ପାଇଁ ଏହି ପ୍ରାଣୀ ମାନଙ୍କ ପ୍ରତି ଯାହା କରନ୍ତି ତାହା ଗଭୀର ଭାବରେ ଚିନ୍ତାଜନକ।"ଜର୍ମାନ କଷ୍ଟମ୍ସ କର୍ତ୍ତୃପକ୍ଷ ଏହି ମାମଲାକୁ ପ୍ରାଣୀ ଆମଦାନୀ ଏବଂ କଷ୍ଟମ୍ ନିୟମର ଏକ ଗମ୍ଭୀର ଉଲ୍ଲଂଘନ ଭାବରେ ବିଚାର କରୁଛନ୍ତି।
ବନ୍ୟଜୀବନ ଚୋରା ଚାଲାଣ ସହିତ ଏହା ବିମାନବନ୍ଦରର ପ୍ରଥମ ଘଟଣା ନୁହେଁ। ୨୦୨୦ରେ କଷ୍ଟମ୍ସ ଅଧିକାରୀ ମାନେ ୧୬ ଜୀବନ୍ତ ଏବଂ ୧୦ ମୃତ ସରୀସୃପଙ୍କୁ ମେକ୍ସିକୋରୁ ପଠାଯାଇଥିବା ଖେଳନା, ମିଠା ଏବଂ ଡଲ ଭିତରୁ ଉଦ୍ଧାର କରିଥିଲେ ।