ଭୁବନେଶ୍ୱର,୨୬/୦୨ : ଥରିଲା ଉପକୂଳ। ବାଜିଲା ସତର୍କ ଘଣ୍ଟି। ଆଗକୁ ବଡ଼ ଝଟ୍କା... ମାଡ଼ି ଆସୁଛି ବଡ଼ ବିପଦ। ସମୁଦ୍ର ଭିତରେ ସକ୍ରିୟ ହେଉଛି ସୁପ୍ତ ଫାଟ। ୧୦ ବର୍ଷର ବ୍ୟବଧାନ ପରେ ପୁରୀ ପାଖ ସମୁଦ୍ର ଭିତରୁ ଉତ୍ପନ୍ନ ହୋଇଛି ଭୂକମ୍ପ । ଥରାଇ ଦେଇଛି ପୁରୀ, ଭୁବନେଶ୍ୱର ସମେତ ସାରା ଉପକୂଳ ଓଡ଼ିଶାକୁ । ମନରେ ଭୟ ପଶିଛି, ସମୁଦ୍ର ଭିତର ଭୂଖଣ୍ଡରେ କିଛି ଚାଲିଛି କି? ୧୦ ବର୍ଷ ଭିତରେ ଅନୁଭୂତ ହେଲା ଭଳି ଦୁଇଟି ଭୂକମ୍ପ ସତର୍କଘଣ୍ଟି ନୁହେଁ ତ? ଆଗକୁ କିଛି ବଡ଼ ବିପଦ ଆସିବ କି?
ହୁ ହୁ ହୋଇ ମାଡ଼ି ଚାଲିଛି ଉଚ୍ଚ ଅଟ୍ଟାଳିକା । ୫ ମହଲାରୁ ନେଇ ୨୦ ମହଲା ଯାଏ । ପଟିଆରୁ ପାହାଳ, ଧଉଳିରୁ ଖଣ୍ଡଗିରି ଯୁଆଡ଼େ ଦେଖିବ, ଅଟ୍ଟାଳିକା ପାହାଡ଼ । କିନ୍ତୁ, ଶକ୍ତିଶାଳୀ ଭୂକମ୍ପର ଝଟ୍କାରେ ଧସିଯାଇପାରେ ଅନେକ କୋଠାବାଡ଼ି । ୨୦୧୪ ଭୂକମ୍ପରେ ଅନେକ କୋଠାବାଡ଼ି, ଆପାର୍ଟମେଣ୍ଟ ଦୋହଲି ଯାଇଥିଲା । କାନ୍ଥରେ ଫାଟ ହେବା ସହ ରାଜଧାନୀରେ ଧାଁ ଧପଡ଼ ସ୍ଥିତି ଉପୁଜିଥିଲା । ଏବେ ଭୁବନେଶ୍ୱରରେ ପ୍ରାୟ ୫ ହଜାରରୁ ଅଧିକ ଉଚ୍ଚ ଅଟ୍ଟାଳିକା ଛିଡ଼ା ହୋଇଛି । ସେଥିରୁ ଅନେକ ବିନା ମାଟି ପରୀକ୍ଷା, ଭୂକମ୍ପ ପ୍ରତିରୋଧ ବ୍ୟବସ୍ଥାରେ ନିର୍ମାଣ ହୋଇଛି । କେଉଁଠି ଜଳାଶୟ ପୋତି, ଆଉ କେଉଁଠି ଫମ୍ପା ଭୂଖଣ୍ଡ ଉପରେ। କେତେବେଳେ କିଛି ବି ହୋଇପାରେ ।
ଭୁବନେଶ୍ୱରରେ ଭୟାନକ ସ୍ଥିତି ଆଣିପାରେ ଭୂକମ୍ପ ଝଟ୍କା। ଯେଉଁ ଅଞ୍ଚଳରେ ଶହଶହ ଆକାଶଛୁଆଁ ଅଟ୍ଟାଳିକା ଛିଡ଼ା ହୋଇଛି, ସେଇ ଅଞ୍ଚଳକୁ ବିପଦ ବେଶି । ନନ୍ଦନକାନନ, ଧଉଳି, କୁଆଖାଇ ଅଞ୍ଚଳରେ ଉଚ୍ଚ କୋଠାବାଡ଼ିକୁ ସର୍ବାଧିକ କ୍ଷତିଗ୍ରସ୍ତ କରିପାରେ ଭୂମିକମ୍ପ । ଖୋର୍ଦ୍ଧା, ଯାଁଳା, ପିତାପଲ୍ଲୀ ଇଲାକା ମଧ୍ୟ ରହିଛି ଭୂକମ୍ପର ବିପଦପୂର୍ଣ୍ଣ ଜୋନ୍ରେ । ଏଠି ବି ବଡ଼ ଧରଣର କ୍ଷୟକ୍ଷତି ଆଶଙ୍କା ରହୁଛି । ଭୂକମ୍ପ ସମ୍ବେଦନଶୀଳ ଅଞ୍ଚଳ ନେଇ ସତର୍କ କରାଇ ଦେଇଛି ଭାରତୀୟ ଭୂବିଜ୍ଞାନ ସର୍ବେକ୍ଷଣ (ଜିଏସ୍ଆଇ) । ନନ୍ଦନକାନନ, ରଘୁନାଥପୁର, ଧଉଳି ଓ କୁଆଖାଇ ନଈ ପାର୍ଶ୍ୱ ଅଞ୍ଚଳର ୨୨ ବର୍ଗ କିଲୋମିଟର ଅଞ୍ଚଳକୁ ଜିଏସ୍ଆଇ ଅତ୍ୟଧିକ ସମ୍ବେଦନଶୀଳ ଜୋନ୍ ଭାବେ ଚିହ୍ନଟ କରିଛି । ଖୋର୍ଦ୍ଧା, ପିତାପଲ୍ଲୀ ଓ ଯାଁଳା ସମେତ ଭୁବନେଶ୍ୱରର ଦକ୍ଷିଣରେ ଥିବା ୫୫ ବର୍ଗ କିଲୋମିଟର ଅଞ୍ଚଳକୁ ଅଧିକ ସମ୍ବେଦନଶୀଳ ଜୋନ୍ରେ ରଖାଯାଇଛି ।
ଚିନ୍ତାର ବିଷୟ ହେଲା- ଏହି ଦୁଇଟି ଜୋନ୍ରେ ଥିବା ଅଞ୍ଚଳକୁ ଭୁବନେଶ୍ୱର ଦ୍ରୁତ ଗତିରେ ମାଡ଼ି ଚାଲିଛି । ନନ୍ଦନକାନନ, ରଘୁନାଥପୁର ଅଞ୍ଚଳ ଆପାର୍ଟମେଣ୍ଟ ସହର ଭାବେ ମୁଣ୍ଡ ଟେକିଛି । ଗତ ଦୁଇ ଦଶନ୍ଧି ଭିତରେ ଶହଶହ ଉଚ୍ଚ ଅଟ୍ଟାଳିକା ଛିଡ଼ା ହୋଇଛି ଏ ଅଞ୍ଚଳରେ । ବହୁ ଜାତୀୟ ସ୍ତରର ରିୟଲ ଇଷ୍ଟେଟ ସଂସ୍ଥା ହାଉସିଂ କମ୍ପେ୍ଲକ୍ସ ଛିଡ଼ା କରିଛନ୍ତି । କୁଆଖାଇ ନଦୀ ପାର୍ଶ୍ୱ ହଂସପାଳ, ପାଣ୍ଡରା, ସତ୍ୟବିହାର, ରୁଦ୍ରପୁର, ପାହାଳ ଅଞ୍ଚଳକୁ ମଧ୍ୟ ଭୟ ରହୁଛି । ଏ ସବୁ ଅଞ୍ଚଳରେ ଥିବା କୋଠାବାଡ଼ି ଯଦି ଠିକ୍ ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରିନଥିବେ, ବିପଦମୁହାଁ ହେବେ । ଧଉଳି ଅଞ୍ଚଳରେ ଗଢ଼ି ଉଠିଥିବା ଶହଶହ କୋଠାବାଡ଼ି ବି ରହିଛି ବିପଦର ଆଁ ଭିତରେ । ଖୋର୍ଦ୍ଧା, ପିତାପଲ୍ଲୀ ଓ ଯାଁଳା ଅଞ୍ଚଳରେ ରିୟଲ ଇଷ୍ଟେଟ ବେପାର ଏବେ ଜୋରଦାର । ବହୁ ସଂଖ୍ୟାରେ ଶିକ୍ଷାନୁଷ୍ଠାନ ମଧ୍ୟ ଗଢ଼ି ଉଠିଛି । ଭୂକମ୍ପ ଝଟ୍କାରେ ଏହି ଅଞ୍ଚଳ ଗୁରୁତର ଭାବେ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହୁଛି । ଏହି ଅଞ୍ଚଳକୁ ଲାଗିଥିବାରୁ ଗଙ୍ଗପଡ଼ା, ମୁଣ୍ଡମୁହାଣ, ତମାଣ୍ଡୋ ଓ ଆଇଗିଣିଆ ଅଞ୍ଚଳକୁ ମଧ୍ୟ ଭୂକମ୍ପ ଭୟ ରହିଛି ।
ଭୂକମ୍ପ ଭୟ ନେଇ ମଧ୍ୟମ ଧରଣର ସମ୍ବେଦନଶୀଳ ଜୋନ୍ରେ ଭୁବନେଶ୍ୱରର ଅଧିକାଂଶ ଉପକଣ୍ଠ ଅଞ୍ଚଳ ଓ କେତେକ ଗାଁ ରହିଛି । ମଳିପଡ଼ା, ଗୋଠପାଟଣା, ଘଙ୍ଗାପାଟଣା, ଡୁମୁଡୁମା, ଯଦୁପୁର, ସରକନ୍ତରା, ଅନ୍ଧାରୁଆ, ମଞ୍ଚେଶ୍ୱର, ଡମଣା ଆଦି ଅଞ୍ଚଳ ରହିଛି ଏହି ଜୋନ୍ରେ । ୧୯୦ ବର୍ଗ କିମି ଅଞ୍ଚଳ ଏହି ପରିସରଭୁକ୍ତ । ଆଶ୍ୱସ୍ତିର କଥା ହେଲା, ଭୁବନେଶ୍ୱର ସହରର କେନ୍ଦ୍ରାଞ୍ଚଳରେ ଭୂକମ୍ପ କ୍ଷୟକ୍ଷତି ଆଶଙ୍କା କମ୍ । ଭୁବନେଶ୍ୱର ସହରର କେନ୍ଦ୍ରାଞ୍ଚଳ, ପଶ୍ଚିମ ପାର୍ଶ୍ୱ ଓ ଉତ୍ତର ପଟର ଅନେକ ଅଞ୍ଚଳକୁ କମ୍ ସମ୍ବେଦନଶୀଳ ଜୋନ୍ ପରିସରଭୁକ୍ତ କରିଛି ଜିଏସ୍ଆଇ । ଏହା ଭିତରେ ୫୩ ବର୍ଗ କିମି ଅଞ୍ଚଳ ରହିଛି । ସବୁଠୁ କମ୍ ସମ୍ବେଦନଶୀଳ ଅଞ୍ଚଳ ଭିତରେ ଚନ୍ଦକା, ଖଣ୍ଡଗିରି, ଭରତପୁର ସଂରକ୍ଷିତ ଜଙ୍ଗଲ ଇଲାକା ରହିଛି । ରାଜଧାନୀର ଉତ୍ତର ଓ ଉତ୍ତର ପଶ୍ଚିମ ପଟେ ଥିବା ଏହି ୯୦ ବର୍ଗ କିମି ଅଞ୍ଚଳରେ ଭୂକମ୍ପର ବଡ଼ ପ୍ରଭାବ ପଡ଼ିବା ସମ୍ଭାବନା କମ୍ ।