ପ୍ରମୂଖ ଖବର
  • ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ଝାରସୁଗୁଡ଼ା ଇକୋ ପାର୍କରେ ଅଗ୍ନିକାଣ୍ଡ, ଜଳିଗଲା ୨୨ ହଜାରରୁ ଉର୍ଦ୍ଧ୍ୱ ଗଛ
  • ||
  • କଟକ : ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ
  • ||
  • ବଲାଙ୍ଗୀର : ବରକୁ ହତ୍ୟା ଷଡ଼ଯନ୍ତ୍ର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ପୁରୀ : ବାଲିକପିଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ରାତି ୩ଟାରେ ଉଠିବ ମହାଦୀପ
  • ||
  • ବାଲେଶ୍ୱର : ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଶିବରାତ୍ରୀ ପାଇଁ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସମାଗମ, ରାତି ୧ଟାରେ ଉଠିବ ମହାଦୀପ
  • ||
  • ଶ୍ରୀଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଠେଲାପେଲା ଭିତରେ ୨ ମହିଳା ଗୁରୁତର
  • ||
  • ଭଦ୍ରକ : ଦୁର୍ଘଟଣାଗ୍ରସ୍ତ ହୋଇ ଓଭର୍ ବ୍ରିଜ୍‌ରୁ ତଳକୁ ଖସିଲା ଦୁଇ ଟ୍ରକ୍‌, ୩ ଗୁରୁତର
  • ||
  • ଜାଗର ପାଇଁ ଚଳଚଞ୍ଚଳ ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ
  • ||

କମୁଛି ଆଦର୍ଶ ବିଦ୍ୟାଳୟର ପାସ୍‌ ହାର, ୯୯%ରୁ ଖସି ୬୩%ରେ ପହଞ୍ଚିଲାଣି

Published By : Prameya | February 26, 2025 9:35 AM

ଭୁବନେଶ୍ୱର,୨୬/୦୨ : ଲଗାତାର ୪ ବର୍ଷ ହେଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପାସ୍‌ ହାର କମୁଛି । ଏପରି ଅବସ୍ଥା ହେଲାଣି ଯେ ଦ୍ୱାଦଶ ଶ୍ରେଣୀରେ ୨୦୨୦-୨୧ ମସିହାରେ ପାସ୍‌ ହାର ୯୯.୦୯ ପ୍ରତିଶତ ଥିବାବେଳେ ଗତବର୍ଷ ଅର୍ଥାତ୍‌ ୨୦୨୩-୨୪ରେ ପାସ୍‌ ହାର ଖସି ୬୩.୨୦ ପ୍ରତିଶତରେ ପହଞ୍ଚିଛି । କେବଳ ଯେ ଦ୍ୱାଦଶ ଶ୍ରେଣୀରେ ଏପରି ଅବସ୍ଥା ତାହା ନୁହେଁ, ଦଶମ ଶ୍ରେଣୀ ବୋର୍ଡରେ ମଧ୍ୟ ସମାନ ଅବସ୍ଥା । ୨୦୨୦-୨୧ରେ ୯୫.୭୧ ପ୍ରତିଶତ ଥିବାବେଳେ ଏହା ଏବେ ୮୨.୨୬ ପ୍ରତିଶତକୁ ଖସି ଆସିଛି । ଏହି ରେଜଲ୍ଟ କ୍ରମାଗତ ଭାବେ କମୁଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କିନ୍ତୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ କରୁଛି କ’ଣ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । 

ସୂଚନାଯୋଗ୍ୟ, ରାଜ୍ୟରେ ୩୧୫ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି । ଏଥିରୁ ପ୍ରାୟ ୨୩୦ରୁ ଅଧିକ ସ୍ଥାନରେ ଦଶମ ଶ୍ରେଣୀ ଖୋଲିସାରିଛି । ବର୍ତ୍ତମାନ ଯାଏ ୧୬୬ରୁ ଅଧିକ ସ୍କୁଲରେ ଦ୍ୱାଦଶ ଶ୍ରେଣୀ ରହିଛି । ସେହପରି କେବଳ ଏକାଦଶ ଶ୍ରେଣୀ ଥିବା ୧୬ରୁ ଅଧିକ ଶିକ୍ଷାନୁଷ୍ଠାନରେ ଚଳିତବର୍ଷରୁ ଦ୍ୱାଦଶ ଶ୍ରେଣୀ ଖୋଲିବ । ଦଶମ ଶ୍ରେଣୀର ଗତ ୪ ବର୍ଷର ରେଜଲ୍ଟକୁ ଲକ୍ଷ୍ୟ କଲେ, ୨୦୨୦-୨୧ ଶିକ୍ଷାବର୍ଷରେ ୯୮.୧୧ ପ୍ରତିଶତ ଥିଲା । ୨୦୨୧- ୨୨ରେ ଏହା ଖସି ୯୫.୭୧ ପ୍ରତିଶତରେ ପହଞ୍ଚିଥିଲା । ପରେ ୨୦୨୨-୨୩ରେ ଏହା ୯୦ ପ୍ରତିଶତ ତଳକୁ ଖସି ୮୫.୫୯ ପ୍ରତିଶତରେ ପହଞ୍ଚିଥିଲା । ସେହିପରି ୨୦୨୩-୨୪ ବର୍ଷରେ ଏହା ଆହୁରି ୩ ପ୍ରତିଶତ କମିଥିଲା । ଅର୍ଥାତ୍‌ ୮୨.୨୬ ପ୍ରତିଶତରେ ପହଞ୍ଚିଥିଲା । ୪ ବର୍ଷରେ ୧୫.୮୫ ପ୍ରତିଶତ ଖସିଲାଣି । ସେହିପରି ଦ୍ୱାଦଶ ଶ୍ରେଣୀର ରେଜଲ୍ଟକୁ ଲକ୍ଷ୍ୟ କଲେ, ୨୦୨୦-୨୧ ଶିକ୍ଷାବର୍ଷରେ ୯୯.୦୯ ପ୍ରତିଶତ ରେଜଲ୍ଟ ହୋଇଥିଲା । ଏହାର ଠିକ୍‌ ବର୍ଷକ ପରେ ଅର୍ଥାତ୍‌ ୨୦୨୧- ୨୨ରେ ସିଧାସଳଖ ୩୦.୫୮ ପ୍ରତିଶତ କମିଯାଇ ୬୮.୫୧ ପ୍ରତିଶତରେ ପହଞ୍ଚିଥିଲା । ସେହିପରି ୨୦୨୨-୨୩ରେ ୬୫.୬୭ ପ୍ରତିଶତ ରେଜଲ୍ଟ ହୋଇଥିବାବେଳେ ଗତବର୍ଷ (୨୦୨୩-୨୪ ଶିକ୍ଷାବର୍ଷରେ) ଏହା ୬୩.୨୦ ପ୍ରତିଶତରେ ପହଞ୍ଚିଛି । ୪ ବର୍ଷରେ ୩୫.୮୯ ପ୍ରତିଶତ ପାସ୍‌ ହାର ଖସିଲାଣି । 

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାଧ୍ୟମିକ ଶିକ୍ଷା ବୋର୍ଡ ଅଧୀନ ଦଶମ ଶ୍ରେଣୀ ପରୀକ୍ଷାରେ ସରକାରୀ ହାଇସ୍କୁଲର ରେଜଲ୍ଟ କିପରି ଭଲ ହେବ ସେଥିପ୍ରତି ଅଧିକ ଧ୍ୟାନ ଦେଉଛି । ବିଭିନ୍ନ ସମୟରେ ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ କାର୍ଯ୍ୟକ୍ରମ କରାଯାଉଛି । ପିଲାଙ୍କ ପାଇଁ ଟିପ୍ସ ପ୍ରଦାନ କରାଯାଉଛି । ପରୀକ୍ଷା ସମୟରୁ କାଉନ୍‌ସେଲିଂ କରାଯାଉଛି । ରେଜଲ୍ଟର ସମୀକ୍ଷା ହେଉଛି । ଅଭିଭାବକଙ୍କୁ ନେଇ ବୈଠକ ହେଉଛି । ହେଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କ୍ଷେତ୍ରରେ ଏସବୁ ସ୍ୱପ୍ନ ପାଲଟିଛି । ବାରମ୍ବାର ରେଜଲ୍ଟ କମୁଥିବାବେଳେ ଏଥିପ୍ରତି ଧ୍ୟାନ ଦିଆଯାଉନି । ଏତିକି କୁହାଯାଉଛି, ପାସ୍‌ହାରରେ ଉନ୍ନତି ଆଣିବା ପାଇଁ ପ୍ରତିବର୍ଷ ନୂତନ ଶିକ୍ଷକ ନିଯୁକ୍ତି ଦିଆଯାଉଛି । ସ୍କୁଲରେ ବିଜ୍ଞାନାଗାର ସ୍ଥାପନା ସହ କମ୍ପ୍ୟୁଟର ଲାବୋରେଟାରୀ ସହ ସ୍ମାର୍ଟ କ୍ଲାସ୍‌ରୁମ୍‌ ସ୍ଥାପନ କରାଯାଉଛି ବୋଲି ବିଭାଗ ପକ୍ଷରୁ ହାଲୁକା ମନ୍ତବ୍ୟ ଦିଆଯାଉଛି । ଏପରିକି ଇଚ୍ଛାଧୀନ ବିଷୟ ଭାବେ ପେଣ୍ଟିଂ, ଆଇଟି, ପିଇ ନେବାକୁ ଅନୁପ୍ରାଣିତ କରାଯାଉଛି ବୋଲି ବିଭାଗ ସଫେଇ ଦେଉଛି । ହେଲେ କିପରି ପାସ୍‌ ହାରରେ ଉନ୍ନତି ଆସିବ ସେଥିପ୍ରତି ସଜାଗ ହେଉନି । 

ଅନ୍ୟପଟେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଧାୟକ ଓ ସାଂସଦ କୋଟାରେ ପିଲାଙ୍କ ନାମ ଲେଖାଯାଉଛି । ଏହି କୋଟା ପାଇଁ ମେଧାବୀ ଛାତ୍ରଛାତ୍ରୀ ନାମଲେଖାରୁ ବାଦ୍‌ ପଡ଼ୁଛନ୍ତି । ତେଣୁ କୋଟା ବ୍ୟବସ୍ଥା ଉଚ୍ଛେଦ କରିବାକୁ ଦାବି ହେଉଛି । ଏପରିକି ବିଧାନସଭାରେ ଏନେଇ ବିରୋଧୀ ପ୍ରଶ୍ନ ମଧ୍ୟ କରୁଛନ୍ତି । ଅନ୍ୟପଟେ ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ଯେଉଁଠି ସବୁ ଦ୍ୱାଦଶ ଶ୍ରେଣୀ ଚାଲିଛି, ସବୁଠି ଅତିଥି ଅଧ୍ୟାପକଙ୍କୁ ନେଇ ଚାଲିଛି । ସେହିପରି ଅଧିକାଂଶ ସ୍କୁଲରେ ଶିକ୍ଷକ ଅଭାବ । ଅନେକ ସ୍କୁଲ ଭାରପ୍ରାପ୍ତ ଅଧ୍ୟକ୍ଷରେ ଚାଲିଛି । ଏପରି ସ୍ଥିତିରେ କିପରି ପାଠପଢ଼ା ହେବ ବୋଲି ପ୍ରଶ୍ନ କରିଛନ୍ତି । ସରକାର ପିଲାଙ୍କୁ ସିବିଏସ୍‌ଇ ମାଧ୍ୟମରେ ପଢ଼ାଇ ଇଂରାଜୀ ପିଲାଙ୍କ ସହ ଟକ୍କର ଦେବାକୁ ଆଦର୍ଶ ବିଦ୍ୟାଳୟ ଖୋଲିଲେ, ହେଲେ ଏହାର ଉନ୍ନତି ପାଇଁ ବିଭାଗୀୟ ଅଧିକାରୀମାନେ ଚିନ୍ତା କରୁନାହାନ୍ତି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପାସ୍‌ ହାର କମିବାର ମୁଖ୍ୟ ୨ଟି କାରଣ ରହିଛି । ବିଶେଷ କରି ଦ୍ୱାଦଶ ଶ୍ରେଣୀର ପାସ୍‌ ହାର କମୁଛି । ଏହାର କାରଣ ହେଉଛି, ଦଶମରେ ଯେଉଁମାନେ ସବୁଠୁ କମ୍‌ ପ୍ରତିଶତ ମାର୍କ ରଖି ପାସ୍‌ କରୁଛନ୍ତି, ସେମାନଙ୍କୁ ଓଏଭିରେ ନାମଲେଖାଇବା ପାଇଁ ବିଜ୍ଞାନ ଷ୍ଟ୍ରିମ୍‌କୁ ଛାଡ଼ି ଅନ୍ୟ ଷ୍ଟ୍ରିମ୍‌ର ସୁବିଧା ନାହିଁ । ଫଳରେ କମ୍‌ ପ୍ରତିଶତ ମାର୍କ ରଖିଥିବା ପିଲାଟି ବିଜ୍ଞାନ ପଢ଼ିବା ପାଇଁ ସକ୍ଷମ ହେଉନି ଏବଂ ପରୀକ୍ଷାରେ ଫେଲ୍‌ ହେଉଛି । 

ସେହିପରି ଦଶମ ଶ୍ରେଣୀରେ ମାର୍କ କମିବାର ମୁଖ୍ୟ କାରଣ ହେଉଛି ବିଧାୟକ, ସାସଂଦ କୋଟାରେ ନାମଲେଖା । ଏହି କୋଟାରେ ନାମଲେଖାଉଥିବା ପିଲାମାନଙ୍କ ଏକାଡେମିକ୍‌ ଦକ୍ଷତା କମ୍‌ ଥିବାରୁ ସେମାନେ ପରୀକ୍ଷାରେ ଭଲ କରୁନାହାନ୍ତି । ଓଏଭି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ମାନର ପାଠପଢ଼ା ନେଇ ସଚେତନ ଅଛି । ଏପରିକି ପରୀକ୍ଷା ସମୟରେ ଅତିରିକ୍ତ କ୍ଲାସ୍‌ ନିଆଯାଉଛି । ଗଣିତରେ ଅଧିକ ଦକ୍ଷ କରିବା ପାଇଁ ଖାନ୍‌ ଏକାଡେମି ସହ ଚୁକ୍ତି ମଧ୍ୟ ହୋଇଛି । ଏଥିରେ ପିଲାଙ୍କୁ ଅତିରିକ୍ତ କ୍ଲାସ୍‌ ସହ ସେମାନଙ୍କର ଦ୍ୱନ୍ଦ୍ୱ ଦୂର କରାଯାଉଛି ।

ଏହି ଖବରଟିକୁ ପଢନ୍ତୁ-ମାର୍ଚ୍ଚ ୮ ଏବଂ ୯ରେ ପୁଲିସ ଏସ୍‌ଆଇ ପରୀକ୍ଷା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.