ଭୁବନେଶ୍ୱର, ୨୬/୦୪: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା । ସରିଲା ଗୋପାଳଙ୍କ ସ୍ତ୍ରୀକୁ ଜେରା । ପାଖାପାଖି ୧ ଘଣ୍ଟା ଧରି ଜେରା କଲା କ୍ରାଇମବ୍ରାଞ୍ଚ । ୨୩ ତାରିଖରୁ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । କିଛି ସମୟ ପରେ ଗୋପାଳକୁ ଚିକିତ୍ସା କରୁଥିବା ମାନସିକରୋଗ ବିଶେଷଜ୍ଞ ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀଙ୍କୁ ମଧ୍ୟ କରାଯିବ ଜେରା ।
କହିରଖୁ କି, ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ପୁଣି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିବା ପରେ ଏବେ ବ୍ରହ୍ମପୁରରେ ପହଞ୍ଚିଛି । ୩ ଦିନ ହେଲା ବ୍ରହ୍ମପୁରରେ ଡେରା ପକାଇ ଅଭିଯୁକ୍ତ ଗୋପାଳ ଦାସଙ୍କ ପରିବାର ଓ ତାଙ୍କ ସହ କଥା ହୋଇଥିବା ଲୋକଙ୍କୁ ଥାନାକୁ ଡକାଇ ପଚରାଉଚରା କରୁଛି ।
ଏଏସ୍ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ବ୍ରହ୍ମପୁରରେ ଗତ ୨୩ ତାରିଖରୁ ଆସି ଗୋପାଳ ଦାସଙ୍କ ପରିବାର ଲୋକ ଏବଂ ତାଙ୍କ ସହ କଥା ହୋଇଥିବା ବିଭିନ୍ନ ଲୋକଙ୍କୁ ଥାନାକୁ ଡକାଇ ଜେରା କରୁଛି । ଗତକାଲି ଟାଉନ୍ ଥାନାରେ ଗୋପାଳଙ୍କ ବଡ଼ ଭାଇ ସତ୍ୟ ନାରାୟଣ ଦାସଙ୍କୁ ଜେରା ହୋଇଥିଲା । ନବ ଦାସ ହତ୍ୟା ଦିନ ସକାଳୁ ସେ କାହିଁକି ଝାରସୁଗୁଡ଼ାରୁ ବ୍ରହ୍ମପୁର ଆସିଥିଲେ । ସେ ନେଇ ଜେରା ହୋଇଥିବା ବେଳେ ତାଙ୍କଠାରୁ ବହୁ ତଥ୍ୟ ପାଇଛି କ୍ରାଇମ୍ବ୍ରାଞ୍ଚ ଟିମ୍ । ଗୋପାଳଙ୍କ ପୁଅ ମନୋଜ ଓ ପୁତୁରା ପ୍ରଦୀପଙ୍କୁ ମଧ୍ୟ ପଚରାଉଚରା ହୋଇଛି । ନବ ଦାସଙ୍କ ସମ୍ପର୍କରେ କେବେ କିଛି ଗୋପାଳ କହିଛନ୍ତି କି ନାହିଁ ଏବଂ ତାଙ୍କର ମାନସିକ ସ୍ୱାସ୍ଥ୍ୟ କେମିତି ଥିଲା ତାହା ମଧ୍ୟ ପଚରାଉଚରା ହୋଇଛି ।
ଶୁକ୍ରବାର ବୈଦ୍ୟନାଥପୁର ଥାନାରେ ଟିମ୍ ପହଞ୍ଚି ଓଡ଼ିଶା ରାଜ୍ୟ ସଡ଼କ ପରିବହନ (ଓଏସ୍ଆର୍ଟିସି)ର ଜଣେ କର୍ମଚାରୀଙ୍କୁ ଜେରା କରିଥିଲେ । ଘଟଣା ଦିନ ଗୋପାଳ କର୍ମଚାରୀଙ୍କ ସହ ଫୋନ୍ରେ କଥା ହୋଇଥିଲେ । ସେ କ’ଣ କଥା ହୋଇଥିଲେ ପଚରାଉଚରା କରାଯାଇଥିଲା । ସେହି ଦିନ ବସ୍ ଟିକଟ ପାଇଁ ଫୋନ୍ କରିଥିଲେ ଏବଂ ଟଙ୍କା ମଧ୍ୟ ପଠାଇଥିଲେ ବୋଲି କର୍ମଚାରୀ ଜଣକ କ୍ରାଇମ୍ବ୍ରାଞ୍ଚ୍ ଆଗରେ କହିଛନ୍ତି । ତେବେ କେତେ ଟଙ୍କା ଦେଇଥିଲେ ଏବଂ କାହା ପାଇଁ ଟିକଟ କରିଥିଲେ ତାହା ସ୍ପଷ୍ଟ କରିନାହାନ୍ତି । ଜଣେ ସୁନା ଦୋକାନୀଙ୍କୁ ମଧ୍ୟ କ୍ରାଇମ୍ ବ୍ରାଞ୍ଚ୍ ଜେରା କରିଛି । କାହିଁକି ସୁନା ଦୋକାନୀକୁ ଜେରା ହୋଇଛି ସ୍ପଷ୍ଟ ହୋଇ ନାହିଁ । ସୁନା ଦୋକାନୀ ଜେରା ସମ୍ପର୍କରେ କୌଣସି ସୂଚନା ମିଳିନି । ଝାରସୁଗୁଡ଼ାରେ ଗୋପାଳ ଦାସଙ୍କ ଭାଇ ହୋଟେଲ କରିଥିଲେ । ସେଠାରେ କାମ କରୁଥିବା ରୋଷେୟାଙ୍କୁ ମଧ୍ୟ ଆଜି ଜେରା କରିଛି କ୍ରାଇମ୍ବ୍ରାଞ୍ଚ ଟିମ୍ । ଘଟଣା ପୂର୍ବରୁ ଏବଂ ସେହିଦିନ ପ୍ରାୟ ୧୭ ଜଣଙ୍କ ସହ କଥା ହୋଇଛି ଗୋପାଳ । ପ୍ରଥମେ ତଦନ୍ତ ସମୟରେ କିଛି ଲୋକଙ୍କୁ ତଦନ୍ତ ପରିସର କରି ଜେରା କରାଯାଇଥିବା ବେଳେ ଅନ୍ୟମାନଙ୍କୁ ତଦନ୍ତରୁ ବାଦ୍ ଦିଆଯାଇଥିଲା । ବର୍ତ୍ତମାନ କେସ୍ ରି-ଓପନ୍ ହେବା ପରେ ପୁଣି ଥରେ ସମସ୍ତଙ୍କୁ ତଦନ୍ତ ପରିସର କରାଯାଇଛି । ବ୍ରହ୍ମପୁରରେ ତଦନ୍ତ ଜାରି ରହିଛି । ଏକ ଲମ୍ବା ତାଲିକା ପ୍ରସ୍ତୁତ ହୋଇଛି, ଯେଉଁମାନେ ଗୋପାଳଙ୍କ ସହ ଲିଙ୍କ୍ରେ ଥିଲେ ସମସ୍ତଙ୍କୁ ଥାନାକୁ ଡକାଇ ପଚରାଉଚରା କରାଯିବ । ଗୋପାଳ ଦାସଙ୍କ ବ୍ୟାଚ୍ର ପୁଲିସ କର୍ମଚାରୀଙ୍କୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ କ୍ରାଇମ୍ବ୍ରାଞ୍ଚ୍ ପଚାରିଥିବା ବେଳେ ସେ ମାନସିକ ରୋଗୀ ନ ଥିଲେ ବୋଲି ସମସ୍ତେ କହିଛନ୍ତି । ଚାକିରି ସମୟରେ ଗୋପାଳ ପୂରା ଠିକ୍ ଥିଲେ ଏବଂ ସେ ଜଣେ ଭଲ୍ ଫୁଟ୍ବଲ୍ ଖେଳାଳି ବୋଲି ତାଙ୍କ ବ୍ୟାଚ୍ର କିଛି ପୁଲିସ କର୍ମଚାରୀ କହିଥିବା କ୍ରାଇମ୍ବ୍ରାଞ୍ଚ ଏଏସ୍ପି ସୂଚନା ଦେଇଛନ୍ତି ।