ଖଲ୍ଲିକୋଟ,୧୩/୦୮: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ତଥା ରମ୍ଭା ଥାନା ଅନ୍ତର୍ଗତ ଏଚ.ବାହାଡାପଲ୍ଲୀ ଛକରେ ଘଟିଛି ଏହି ଘଟଣା। ମୃତ ବ୍ୟକ୍ତି ଜଣକ ଆର. ବାହାଡାପଲ୍ଲୀ ଗ୍ରାମର ଅଭିମନ୍ୟୁ ପ୍ରଧାନ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ଆଜି ସକାଳ ୮ଟାରେ ଆର. ବାହାଡାପଲ୍ଲୀ ଗ୍ରାମର ଅଭିମନ୍ୟୁ ପ୍ରଧାନ ବାଇକ୍ ଯୋଗେ ପରିବା ଆଣିବାକୁ ଯାଇଥିଲେ । ସେହି ସମୟରେ ଏଚ. ବାହାଡାପଲ୍ଲୀ ଛକରେ କିଛି ଯୁବକ ତାଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିବାରୁ ଅଭିମନ୍ୟୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଖବରପାଇ ରମ୍ଭା ଥାନା ଅଧିକାରୀ କୁମାର ମୁଦୁଲି, ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ ଅନ୍ୟାନ୍ୟ ପୁଲିସ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି।
ପ୍ରକାଶ ଥାଉକି, ଗତ ୨ ତାରିଖ ରାତିରେ ଆର. ବାହାଡାପଲ୍ଲୀ ଗ୍ରାମର ବି. ମନୁ ପ୍ରଧାନଙ୍କୁ ରମ୍ଭା ରେଳ ଷ୍ଟେସନ ନିକଟରେ ସଂଘବଦ୍ଧ ଭାବେ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମନୁ ଗାଁରେ ଏକ ରାସନ ସାମଗ୍ରୀ ଦୋକାନ କରିଥିଲେ। ସେହି ଘଟଣାରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଇଥିଲା। ଆଜି ହତ୍ୟାର ଶିକାର ହୋଇଥିବା ଅଭିମନ୍ୟୁ ପ୍ରଧାନ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଭାଇ ବୋଲି ଜଣାପଡ଼ିଛି। ତେଣୁ ପୂର୍ଵ ହତ୍ୟାକାଣ୍ଡ ସହ ଆଜିର ହତ୍ୟା ଘଟଣାର ଲିଙ୍କ ରହିଥିବା ପୁଲିସ ସନ୍ଦେହ କରୁଛି। ମୃତ ଅଭିମନ୍ୟୁଙ୍କ ମୃତଦେହ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ସୂଚନା ମିଳିଛି।