ବ୍ରହ୍ମପୁର,୧୧/୦୮: ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଶକ୍ତି ନଗର ସ୍ଥିତ ଶ୍ରୀମା ନଗର ଦ୍ୱିତୀୟ ଲାଇନରେ ମାଆ ଓ ଝିଅକୁ ଘରେ ପଶି ହାଣିଦେଲେ ଦୁର୍ବୃତ୍ତ । ଘର ତାଲା ଭାଙ୍ଗି ମାଆ ଗାଯାତ୍ରୀ ସ୍ୱାଇଁ (୩୩ ବର୍ଷ)ଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଝିଅ ନିଲମ ସ୍ୱାଇଁ(୧୨ ବର୍ଷ)ଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ କେହି କିଛି କହିପାରୁନାହାନ୍ତି। ଘଟଣାସ୍ଥଳରେ ନିମାଖଣ୍ଡି ଥାନା ଆଇଆଇସି କୃଷ୍ଣ ସାହା ଓ ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ପରିଡ଼ା ପହଞ୍ଚି ତଦନ୍ତ କରୁଛନ୍ତି। ବ୍ରହ୍ମପୁର ଏସପି ଡା ସରବଣା ବିବେକ ଏମ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଘର ମାଲିକ ଏନ ଲୀଲା ଦେବୀଙ୍କ କହିବା ପ୍ରକାରେ, ଅଗଷ୍ଟ ୩ ତାରିଖରୁ ମାଆ ଝିଅ ଭଡ଼ାରେ ରହୁଥିଲେ। ଗାୟତ୍ରୀଙ୍କ ସ୍ୱାମୀ ସାଧୁ ସ୍ୱାଇଁ ଭୁବନେଶ୍ୱରରେ ରହୁଛନ୍ତି । ତିନିଦିନ ହେଲା ଗାୟତ୍ରୀ ଝିଅକୁ ନେଇ ହିଞ୍ଜିଳିକାଟୁ ମାଆ ଘରକୁ ଯାଇଥିଲେ। ରବିବାର ସନ୍ଧ୍ୟାରେ ତାଙ୍କ ଭାଇ ଚିତ୍ରସେନ ସ୍ୱାଇଁ ବ୍ରହ୍ମପୁର ଘରକୁ ଆଣି ଛାଡିଥିଲେ। ସୋମବାର ସକାଳୁ ଘରେ ତାଲା ପଡ଼ିଥିବା ଦେଖି ଘର ମାଲିକ ସାଧୁଙ୍କୁ ଫୋନ କରି ଜଣାଇଥିଲେ । ସାଧୁ ଗାୟତ୍ରୀଙ୍କ ଭାଇ ଚିତ୍ରସେନଙ୍କୁ କହିଥିଲେ। ଚିତ୍ରସେନ ଓ ତାଙ୍କ ସାଙ୍ଗମାନେ ଆସି ତାଲା ଭାଙ୍ଗି ଘରକୁ ଯାଇଥିଲେ। ଘର ଭିତରେ ଗାୟତ୍ରୀ ମୃତ ଅବସ୍ଥାରେ ପଡ଼ିଥିବା ବେଳେ ଝିଅ ନିଲମ ଗୁରୁତର ଅବସ୍ଥାରେ ପଡ଼ିଥିଲେ। ଏହା ଦେଖି ତୁରନ୍ତ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ନିମାଖଣ୍ଡି ଥାନା ଆଇଆଇସି କୃଷ୍ଣ ସାହା ଓ ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ପରିଡ଼ା ପହଞ୍ଚି ତଦନ୍ତ କରୁଛନ୍ତି ।