ଭୁବନେଶ୍ୱର,୧୧/୦୮: ଭକ୍ତଚରଣ ଦାସ ପିସିସି ସଭାପତି ହେବା ଦିନଠୁ ରାଲି ଧାରଣା କରି ଶୋଇ ପଡ଼ିଥିବା କଂଗ୍ରେସକୁ ଉଠାଇ ରାସ୍ତାରେ ଦୌଡ଼ାଇବା ଆରମ୍ଭ କରିଛନ୍ତି । ହେଲେ କଂଗ୍ରେସର ମୁଖ୍ୟ ଛାମୁଆ ସଙ୍ଗଠନ ଛାତ୍ରକଂଗ୍ରେସର ଏବେ କେହି ମୁଖିଆ ନାହାନ୍ତି । ଗତ ଜୁଲାଇ ୨୧ ତାରିଖରୁ ଉଦିତ ପ୍ରଧାନ ଛାତ୍ରକଂଗ୍ରେସ ସଭାପତି ପଦରୁ ବିଦା ହେବା ପରେ ଏହି ପଦବିରେ କେହି ନିୟମିତ ସଭାପତି ନାହାନ୍ତି । ଛାତ୍ର କଂଗ୍ରେସର ନୂଆ ରାଜ୍ୟ ସଭାପତି କିଏ ହେବ ସେ ନେଇ ଦୌଡ଼ ଆରମ୍ଭ ହୋଇଯାଇଛି ।
ରାଜ୍ୟର ୫ରୁ ଅଧିକ ଛାତ୍ରନେତା ଏହି ପଦ ପାଇଁ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ଲବି ଆରମ୍ଭ କରିଛନ୍ତି । ଦୌଡ଼ରେ ଏକ ମାତ୍ର ଛାତ୍ରୀ ଭାବେ ସ୍ଥାନ ପାଇଛନ୍ତି ଛାତ୍ର କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ସମ୍ପାଦକ ମନସା ତ୍ରିପାଠୀ । ଜଣେ ସୁବକ୍ତା ଭାବେ ତାଙ୍କର ସୁଖ୍ୟାତି ରହିଛି । ତାଙ୍କର ‘ଭକ୍ତ ସମଝ କେ ଫୁଲ୍ ସମଝା କ୍ୟା’ ସଂଳାପ ବେଶ ଭାଇରାଲ୍ ହୋଇଥିଲା । ସେ ବରିଷ୍ଠ କଂଗ୍ରେସ ନେତା ମନୋରଞ୍ଜନ ତ୍ରିପାଠୀଙ୍କ କନ୍ୟା ତଥା ଦିଲ୍ଲୀରେ ବରିଷ୍ଠ ନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି ।
ସେହିପରି ଏହି ଦୌଡ଼ରେ ଛାତ୍ରକଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର କଂଗ୍ରେସ ନେତା ଅଖିଳେଶ ଯାଦବ ଅଛନ୍ତି। ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଭାପତିଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି । ଛାତ୍ର କଂଗ୍ରେସର ଲଢ଼ୁଆ ନେତା ବିଭୂତି ଭୂଷଣ ମହାପାତ୍ର ମଧ୍ୟ ରାଜ୍ୟ ସଭାପତି ଲବିରେ ଅଛନ୍ତି । ଶ୍ରୀ ମହାପାତ୍ର ପୂର୍ବଥର ସଭାପତି ଦୌଡ଼ରେ ଆଗରେ ଥାଇ ଶେଷ ମୁହୂର୍ତ୍ତରେ କଟି ଯାଇଥିଲେ । ପରେ ଷ୍ଟୁଡେଣ୍ଟ ଏଗେନ୍ଷ୍ଟ କରପସନ୍ ନାମକ ସଂଗଠନ କରି ଛାତ୍ରମାନଙ୍କ ପାଇଁ ନିଯୁକ୍ତି ଦୁର୍ନୀତି ବିରୋଧରେ ଲଢେଇ ଜାରି ରଖିଛନ୍ତି । ଛାତ୍ରକଂଗ୍ରେସର ପୂର୍ବତନ ରାଜ୍ୟ ଉପସଭାପତି ଆଦିତ୍ୟ ପ୍ରୀତମ୍ ମଧ୍ୟ ଦୌଡ଼ରେ ଅଛନ୍ତି ।
ଆଦିତ୍ୟ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଂଯୋଜକ ରାଜୀବ ପଟ୍ଟନାୟକଙ୍କର ଏକାନ୍ତ ଅନୁଗତ । ରାଜୀବ ଛାତ୍ର କଂଗ୍ରେସରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଓ ଯୁବ କଂଗ୍ରେସରେ ରାଷ୍ଟ୍ରୀୟ ସମ୍ପାଦକ ଥିଲେ । ତେଣୁ ଦିଲ୍ଲୀ ଲବି ତାଙ୍କର ଭଲ ଥିବା କଂଗ୍ରେସ ମହଲରେ ଚର୍ଚ୍ଚା ହେଉଛି । ଦେବୀ ପ୍ରସାଦ ଜେନା ମଧ୍ୟ ଦୌଡ଼ରେ ଅଛନ୍ତି । କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମରେ ବିଶେଷ କରି ବାଇକ୍ ରାଲିରେ ଅଧିକ ସଂଖ୍ୟକ ସମର୍ଥକ ଯୋଗାଡ଼ରେ ସେ ବେଶ ସିଦ୍ଧହସ୍ତ । ତାଙ୍କ ଜନ୍ମଦିନରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି, ପିସିସି ଉପସଭାପତି ପ୍ରମୁଖ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ । ଏମାନଙ୍କ ବ୍ୟତୀତ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ତଥା କଂଗ୍ରେସର ଗୋଟିଏ ଗୋଷ୍ଠୀର ସମର୍ଥନରେ ଅନ୍ୟ ଜଣେ ଛାତ୍ରନେତା ମଧ୍ୟ ଦିଲ୍ଲୀରେ ଲବି କରୁଥିବା ସୂଚନା ମିଳିଛି ।