କଟକ, ୧୧/୦୮: ପାର୍ବଣ ପାଇଁ ଯଦି କେହି ଜବରଦସ୍ତ ଟଙ୍କା ମାଗୁଛି ତାହାଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ସେ’କ୍ଲବ୍ କିମ୍ବା ପୂଜା କମିଟିର କର୍ମକର୍ତ୍ତା ହୁଅନ୍ତୁ ନଚେତ ଅସାମାଜିକ ଯୁବକ,ସମସ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ।-ଏଭଳି କିଛି କଡ଼ା ଆଭିମୁଖ୍ୟ ଦେଖାଇଛି କଟକ ପୁଲିସ । ଗଣେଶ ପୂଜାକୁ ମାତ୍ର ତିନି ସପ୍ତାହ ବାକିଥିବା ବେଳେ ଏବେଠୁ ଅସାମାଜିକ ଯୁବକ ଓ ଅମାନିଆ କମିଟିକୁ ସାବାଡ଼ କରିବାକୁ ପୁଲିସ ଏଭଳି ନୀତି ଆପଣାଇଛି । ଏନେଇ କଟକ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ମୋବାଇଲ୍ ନମ୍ବର ଖୁବ୍ଶୀଘ୍ର ଜାରି କରାଯିବ ବୋଲି ସୂଚନା ମିଳିଛି ।
ଆସନ୍ତା ୨୭ ତାରିଖ ଗଣେଶ ପୂଜାରୁ କଟକରେ ପାର୍ବଣ ଋତୁ ଆରମ୍ଭ ହେଉଛି । ଗଣେଶ ସହିତ ଖୁଦୁରୁକୁଣୀ ଓ ବିଶ୍ୱକର୍ମା ପୂଜା ମଧ୍ୟ ହେବ। ପରେ ପରେ ଦଶହରା, କାଳୀପୂଜା ଓ କାର୍ତ୍ତିକେଶ୍ୱର ପୂଜାରେ ପାର୍ବଣର ପର୍ବ ଶେଷ ହେବ । ତେବେ ପାର୍ବଣରେ କଟକରେ ଅସାମାଜିକ ଯୁବକ, ଅପରାଧୀ ଦାଦାବଟି ମାଗିବା କିଛି ନୂଆ ଘଟଣା ନୁହେଁ । କିଛି ବର୍ଷ ପୂର୍ବରୁ ଏଭଳି ଦାଦାବଟି ମାଗିବା ଓ ପୂଜା ପାଇଁ ଟଙ୍କା ନେବାକୁ ଜୁଲମ କରିବାରୁ ପୁଲିସ ମଧ୍ୟ ତତ୍ପରତା ଦେଖାଇଥିଲା । ଏଥିପାଇଁ କଟକ ପୁଲିସ ମଧ୍ୟ ବଟି ରୋକିବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିଲା । ପେସାଦାର ଅପରାଧୀଙ୍କୁ ଗିରଫ କରି ଜେଲ୍ରେ ପୁରାଇବା ସହିତ ଅସାମାଜିକ ଯୁବକଙ୍କୁ ଥାନାକୁ ଡାକି ତାଗିଦ୍ କରିଥିଲା । ପରେ ସ୍ୱତନ୍ତ୍ର ଅଭିଯାନ ଜରିଆରେ ଲୋକଙ୍କଠାରୁ ଅଭିଯୋଗ ପାଇ ବହୁ ଅପରାଧୀଙ୍କୁ ଗିରଫ କରାଯାଇଥିଲା । ଏପରିକି କିଛି ବ୍ୟବସାୟୀକ ପ୍ରତିଷ୍ଠାନରୁ ଅଭିଯୋଗ ପାଇବା ପରେ ବହୁ ପୂଜା କମିଟି କର୍ମକର୍ତ୍ତା ଓ କ୍ଲବ୍ କର୍ମକର୍ତ୍ତା ବି ଗିରଫ ହୋଇଥିଲେ ।
ଚଳିତ ବର୍ଷ ମଧ୍ୟ ପୁଲିସ ଠିକ୍ ସେହି ଢଙ୍ଗରେ କାମ କରିବାକୁ ନିଷ୍ପତ୍ତି ନେଇଛି । ପୂଜା ପାଇଁ ଯଦି କେହି ଜବରଦସ୍ତ ଟଙ୍କା ମାଗନ୍ତି ତାହାଲେ ପୁଲିସକୁ ଜଣାଇବାକୁ କୁହାଯାଇଛି । ଖାସ୍କରି କୌଣସି ବାସଗୃହରେ ଯଦି ପୂଜା ନାଁରେ କେହି ଜବରଦସ୍ତ ଟଙ୍କା ମାଗିବାକୁ ଉଦ୍ୟମ କରନ୍ତି ତାହାଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଏକ ସ୍ୱତନ୍ତ୍ର ଫୋନ୍ ନମ୍ବର ମଧ୍ୟ ପୁଲିସ ଜାରି କରିବ । କେବଳ ସେହି ନମ୍ବର ନୁହେଁ, ସ୍ଥାନୀୟ ପୁଲିସ ଥାନା କିମ୍ବା ୧୧୨ ନମ୍ବରରେ ମଧ୍ୟ ଅଭିଯୋଗ କରାଯାଇପାରିବ । ପୂଜା ବେଳେ ଚାନ୍ଦା ଓ ବଟିକୁ ପୁଲିସର ଶୂନ୍ୟ ସହନଶୀଳତା ରହିଛି । ଏହାକୁ ଚଳିତ ବର୍ଷ ମଧ୍ୟ ବଳବତ୍ତର ରଖାଯିବ । ଜବରଦସ୍ତ ଚାନ୍ଦା ମାଗିଲେ କିମ୍ବା ବଟି ଆଦାୟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଡିସିପି ଖିଲାରୀ ରିଷିକେଶ ଦ୍ୟାନ୍ଦେଓ ସୂଚନା ଦେଇଛନ୍ତି ।
ତେବେ ‘ଦାଦାବଟିକୁ ନାଁ’ ଭଳି ଏକ ଯୋଜନା ଅନୁସାରେ ତ ୨୦୨୦ରେ ଟୁଇନ୍ସିଟି ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା । ମାତ୍ର ୫ ବର୍ଷ ପରେ ବର୍ତ୍ତମାନ ସେହି ନମ୍ବର କାମ କରୁନି । ସେହି ନମ୍ବରକୁ ମଧ୍ୟ ଟୁଇନ୍ସିଟି ପୁଲିସ କମିସନରେଟ୍ ପକ୍ଷରୁ ପୂନର୍ବାର କାର୍ଯ୍ୟକାରୀ କରାଗଲେ ଦୁଇ ସହରରେ ବଟି ଘଟଣା ବହୁମାତ୍ରାରେ କମିପାରିବ ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି ।