ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ ରାଜନୀତିରେ ପ୍ରବେଶ କରିପାରନ୍ତି । ନିଶାନ୍ତ କୁମାରଙ୍କ ପୋଷ୍ଟର ଏବେ ସୁବଠି ଦେଖିବାକୁ ମିଳୁଛି । ଜେଡିୟୁ କାର୍ଯାଳୟ ସମ୍ମୁଖରେ ଲାଗିଥିବା ପୋଷ୍ଟର ବେଶୀ ଚର୍ଚ୍ଚା ସାଉଁଟିଛି । ନୀତୀଶ କୁମାର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ସଂପର୍କରେ ଲୋକଙ୍କୁ ସଚେତନ କରିବେ ଏବଂ ନିଜର ମତ ବାଣ୍ଟିବେ ନିଶାନ୍ତ । ସେପଟେ ନିଶାନ୍ତ କୁମାର ଯଦି ରାଜନୀତିରେ ପ୍ରବେଶ କରନ୍ତି ତେବେ ତାଙ୍କୁ ସ୍ବାଗତ କରିବେ ବୋଲି କହିଛନ୍ତି ରାଜ୍ୟର ଯୁବ ନେତା ତେଜସ୍ୱୀ ଯାଦବ ଏବଂ ଚିରାଗ ପାଶୱାନ । ବରିଷ୍ଠଙ୍କ ମତରେ, ଯିଏ (ନୀତୀଶ କୁମାର) ବଂଶବାଦ ରାଜନୀତିକୁ ବିରୋଧ କରନ୍ତି, ସେ ନିଶାନ୍ତଙ୍କୁ ରାଜନୀତିକୁ କେମିତି ଆଣିବେ ? ଅନ୍ତତଃ ସେ ରାଜନୀତିରୁ ଅବସର ନନେବା ପର୍ଯ୍ୟନ୍ତ ଏହା ସମ୍ଭବ ହୋଇନପାରେ ।
ଚଳିତ ବର୍ଷ ହୋଲି ସମୟରେ ନିଶାନ୍ତଙ୍କ ରାଜନୀତିରେ ଯୋଗଦାନ ନେଇ କଳ୍ପନାଜଳ୍ପନା ଜୋର ଧରିଥିଲା। ସେତେବେଳେ ସେ ତାଙ୍କ ପିତାଙ୍କ ସଫଳତାକୁ ପ୍ରଶଂସା କରୁଥିଲେ ଏବଂ ତାଙ୍କୁ ପୁଣି କ୍ଷମତାକୁ ଆଣିବା ପାଇଁ ଲୋକଙ୍କୁ ନିବେଦନ କରୁଥିଲେ। ସହରରେ ନିଶାନ୍ତଙ୍କୁ ଜେଡିୟୁର ‘ନୂତନ ଆଶା‘ ବୋଲି ପୋଷ୍ଟର ଲଗାଯାଇଥିଲା । ଏପରିକି ତାଙ୍କୁ ଆଗାମୀ ବିଧାନସଭା ନିର୍ବାଚନରେ ହରନୌତରୁ ପ୍ରାର୍ଥୀ କରିବାର ଯୋଜନା ରହିଛି ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏହି ଆସନରୁ ତାଙ୍କ ପିତା ଅନେକ ଦଶନ୍ଧୀ ପୂର୍ବରୁ ପ୍ରତିନିଧିତ୍ୱ କରୁଥିଲେ । ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଜେଡିୟୁରେ ସାମ୍ପ୍ରତିକ ସଙ୍କଟର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ।
ବିହାର ମନ୍ତ୍ରୀ ସନ୍ତୋଷ କୁମାର ସୁମନ ନିଶାନ୍ତ କୁମାରଙ୍କ ରାଜନୀତିରେ ପ୍ରବେଶ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ, ସମାଜର ହିତ ପାଇଁ ରାଜନୀତି କରିବାକୁ ଚାହୁଁଥିବା ପ୍ରତ୍ୟେକ ନାଗରିକଙ୍କର ସାମ୍ବିଧାନିକ ଅଧିକାର ଅଛି । ନିଶାନ୍ତ କୁମାର ତାଙ୍କ ପିତାଙ୍କ ଦୀର୍ଘ ଅଭିଜ୍ଞତାର ଲାଭ ପାଇଛନ୍ତି ଏବଂ ଯଦି ସେ ରାଜନୀତିରେ ଆସନ୍ତି ତେବେ ଏହା ଲାଭଦାୟକ ସାବ୍ୟସ୍ତ ହେବ । ସନ୍ତୋଷ କୁମାର ସୁମନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବର୍ଷ ବର୍ଷ ଧରି ତାଙ୍କ ଦକ୍ଷତା ସହିତ ରାଜ୍ୟକୁ ନେତୃତ୍ୱ ଦେଇଛନ୍ତି। ସେ ନିଶ୍ଚିତ ଯେ, ତାଙ୍କ ପୁଅଙ୍କର ମଧ୍ୟ ଏହି କ୍ଷମତା ଅଛି । ସେ କହିଛନ୍ତି ଯେ, ଯଦି ନିଶାନ୍ତ କୁମାର ରାଜନୀତିକୁ ଆସନ୍ତି, ତେବେ ସେ ତାଙ୍କୁ ବ୍ୟକ୍ତିଗତ ଭାବରେ ମଧ୍ୟ ସ୍ୱାଗତ କରିବେ । ବିହାରକୁ ଏପରି ଯୁବକଙ୍କ ଆବଶ୍ୟକତା ଅଛି ଯେଉଁମାନଙ୍କ ପାଖରେ ନେତୃତ୍ୱ ନେବାର ଦକ୍ଷତା ରହିଛି ।