ଗଞ୍ଜାମ,୯/୮ : ଗଞ୍ଜାମ ପ୍ରସିଦ୍ଧ ସୋରଡ଼ାର ମା’ କନ୍ଧୁଣି ଦେବୀଙ୍କ ପ୍ରସିଦ୍ଧ କଣ୍ଟା ପିଢ଼ା ଯାତ୍ରା ଓ ମହୋତ୍ସବ ପାଇଁ ପରମ୍ପରା ଅନୁଯାୟୀ ଶନିବାର ସନ୍ଧ୍ୟାରେ ଶୁଭ ଖୁଣ୍ଟି ନଗର ପରିକ୍ରମା କରିଛି I ମନ୍ଦିର ପରିସରରୁ ଶୁଭଖୁଣ୍ଟିକୁ ପୂଜା କରାଯାଇ ବାଦ୍ୟ ବାଜଣା ସହ ନଗର ପରିକ୍ରମା ପରେ ମନ୍ଦିର ପରିସରରେ ସ୍ଥାପନ କରାଯାଇଛି I ବିଧାୟକ ନୀଳମଣି ବିଷୋୟୀ, ନଗରପାଳ ଶିବ ଶଙ୍କର ପଣ୍ଡା, ଉପସଭାପତି ଦୁର୍ଗାଚରଣ ଶତପଥୀ, ସମ୍ପାଦକ ରଜନୀ ମହାପାତ୍ର, କୋଷାଧ୍ୟକ୍ଷ ପ୍ରମୋଦ ଅଧିକାରୀ, ସମେତ ମନ୍ଦିର କମିଟି ସଦସ୍ୟ ଓ ଭକ୍ତ ମାନେ ଯୋଗଦେଇଥିଲେ I
ସୂଚନାଯୋଗ୍ୟ ଯେ, ସ୍ଥାନୀୟ ବଡ଼ କାଳି ମନ୍ଦିର ପରିସରରେ ବୁଧବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା I ମହୋତ୍ସବ ସଭାପତି ତଥା ବିଧାୟକ ନୀଳମଣି ବିଷୋୟୀଙ୍କ ସଭାପତିତ୍ବରେ ଆୟୋଜିତ ଏଥିରେ ନଗରପାଳ ଶିବଶଙ୍କର ପଣ୍ଡା, ବିଡ଼ିଓ ତନ୍ମୟ ପାତ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମେଶ ସାହୁ, ଉପସଭାପତି ଦୁର୍ଗା ଚରଣ ଶତପଥୀ, ଆଇନଜୀବୀ ଉମାଚରଣ ଶତପଥୀ, କୋଷାଧ୍ୟକ୍ଷ ପ୍ରମୋଦ ଅଧିକାରୀ, ସମ୍ପାଦକ ରଜନୀ ମହାପାତ୍ର, ସହ ସମ୍ପାଦକ କୈଳାସ ପଣ୍ଡା, ସାଂସଦ ପ୍ରତିନିଧି ସିମାଞ୍ଚଳ ଅଧିକାରୀ, ଯୁବ ନେତା ଭି ଜଗଦୀଶ ରାଜୁ, ସୀଙ୍କୁ ପାତ୍ର, ମଣ୍ଟୁ ପତ୍ରି, ସମାଜସେବୀ ପିଣ୍ଟୁ କର, ରାଜା ଦାସ, ଶାନ୍ତନୁ ପାତ୍ର, ପିଣ୍ଟୁ ପାତ୍ର, ସରପଞ୍ଚ ଦେବରାଜ ମଲିକ ସମେତ ମନ୍ଦିର କମିଟିର ଶିବ ସୁଆର, ଲଷ୍ମୀ ପଣ୍ଡା, ବଣିକ ସଙ୍ଘ, କ୍ରିକେଟ କ୍ଲବ, କନ୍ଧୁଣି ଦେବୀ ସଙ୍ଘ, ଦିବ୍ୟ ଜୀବନ ସଙ୍ଘ,ଅଟୋ ସଙ୍ଘ ସଦସ୍ୟ ମାନେ ଯୋଗ ଦେଇଥିଲେ l
ଚଳିତ ମାସ ରାକ୍ଷୀପୂର୍ଣ୍ଣିମାରେ ଶୁଭ ଖୁଣ୍ଟି ନଗର ପରିକ୍ରମା କରି ମନ୍ଦିର ପରିସରରେ ସ୍ଥାପନ ହେବ I ସେପ୍ଟେମ୍ବର ୪ ତାରିଖରେ ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ୧୦ତାରିଖରୁ ୧୩ତାରିଖ ପର୍ଯ୍ୟନ୍ତ ୪ଦିନ ସ୍ଥାନୀୟ ରଥ ପଦାଠାରେ ଅସ୍ଥାୟୀ ମଣ୍ଡପରେ ମା’ କନ୍ଧୁଣି ଦେବୀ ମହୋତ୍ସବ ଅନୁଷ୍ଠିତ ହେବ I ଆସାମ, ପଶ୍ଚିମ ବଙ୍ଗ, ଆନ୍ଧ୍ରପ୍ରଦେଶ, ମଣିପୁର, ପଞ୍ଜାବ ପ୍ରଦେଶ ସହ ଓଡିଶାର ବିଭିନ୍ନ ଜିଲ୍ଲାରୁ ଲୋକ ନୃତ୍ୟ ଦଳମାନେ ଆସି ନୃତ୍ୟ ପରିବେଷଣ କରିବେ I ରାମ ଦୋଳି, ମୀନା ବଜ଼ାର, ମତ କା କୁଆଁ ଖେଳ ପଡିଆରେ ମେଳା ଜମେଇବେ I ବଡଦାଣ୍ଡରେ ଭାରତର ବିଭିନ୍ନ ସ୍ଥାନରୁ ଆସୁଥିବା ବ୍ୟବସାୟୀ ଓ ପଲିଶ୍ରୀ ମେଳା ପସରା ମେଲେଇବେ I ୧୪ତାରିଖରେ କଣ୍ଟାପିଢ଼ା ଯାତ୍ରାର ଉଦଯାପନୀରେ ମା’ଙ୍କ ନଗର ପରିକ୍ରମା ସହ ମା’ କଣ୍ଟା ପିଢାରେ ବସି ଭକ୍ତଙ୍କୁ ଦର୍ଶନ ଦେବେ I ଉକ୍ତ ଦିନ ରାତ୍ରରେ ଅଂଚଳ କଳାକାରମାନଙ୍କ ଦ୍ୱାରା ଅପେରା ମଞ୍ଚସ୍ଥ ହେବ I ଦିନମାନଙ୍କରେ ପୋଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଶାନ୍ତି ଶୃଙ୍ଖଳା ଦାୟିତ୍ୱ ନିର୍ବାହ ପାଇଁ ଅନୁରୋଧ କରାଯାଇଥିଲା I
ସାମୁହିକ ସହଯୋଗରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ସହ ବାହାରୁ ଆସୁଥିବା କଳାକାର, ବ୍ୟବସାୟୀ, ଭକ୍ତ, ପ୍ରଦର୍ଶନ କାରୀଙ୍କ ସହ ସମସ୍ତେ ଉଚିତ ବ୍ୟବହାର ପାଇଁ ବିଧାୟକ କହିଥିଲେ I ଆମ ଅଂଚଳର ଏହା ପାରମ୍ପରିକ ଯାତ୍ରା ଯେଉଁଥିରେ ସଂସ୍କୃତି, ମହାନତା, ଆଧ୍ୟାତ୍ମିକତା ଭରି ରହିଛି I ଆମର ଏହି ଯାତ୍ରା ସାରା ଓଡିଶାକୁ ପରିଚୟ ପ୍ରଦାନ କରୁଛି ତେଣୁ ଏକତାର ସୂତ୍ରରେ ମିଳିତ ଭାବେ ଏହା ସମ୍ପାଦନ କରିବା ବୋଲି ସମସ୍ତେ ନିଷ୍ପତ୍ତି ନେଇଥିଲେ I ପ୍ରତିବର୍ଷ ପରି ମା‘ କନ୍ଧୁଣି ଦେବୀ ଯୁବକ ସଙ୍ଘ ତରଫରୁ ଉଦଯାପନ ଦିବସ ସନ୍ଧ୍ୟାରୁ ରାତ୍ର ପର୍ଯ୍ୟନ୍ତ ୧୦୦୦୦ରୁ ଊର୍ଦ୍ଧ୍ୱ ଭକ୍ତଙ୍କୁ ମାର୍କେଟ ପରିସରରେ ରନ୍ଧା ଖାଦ୍ୟ ବଣ୍ଟନ କରାଯିବ ବୋଲି ସଙ୍ଘର ପିଣ୍ଟୁ କର କହିଛନ୍ତି I