ମୁମ୍ୱାଇ : ତିରୁପତିର ଲଡୁ ପ୍ରସାଦକୁ ନେଇ ଜାରି ବିବାଦ ମଧ୍ୟରେ, ମୁମ୍ୱାଇ ସ୍ଥିତ ସିଦ୍ଧିବିନାୟକ ମନ୍ଦିରର ପ୍ରସାଦକୁ ନେଇ ଆଉ ଏକ ବିବାଦ ମୁଣ୍ଡ ଟେକିଛି। ଏହାର ପ୍ରସାଦ ପ୍ୟାକେଟ୍ରେ ମୂଷା ଥିବାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି। ହେଲେ, ଶ୍ରୀ ସିଦ୍ଧିବିନାୟକ ଗଣପତି ମନ୍ଦିର ଟ୍ରଷ୍ଟ ( ଏସଏସଜିଟି) ଅଭିଯୋଗକୁ ଖଣ୍ଡନ କରି କହିଛି, ସେ ଉକ୍ତ ମାମଲାର ଯାଞ୍ଚ ଆରମ୍ଭ କରି ଦେଇଛି।
ବିବାଦ ସତ୍ତ୍ୱେ ତିରୁପତି ଲଡୁ ଉପରୁ କମି ନାହିଁ ଭକ୍ତଙ୍କ ଭରସା, ପୂର୍ବ ଭଳି ଖୁବ୍ ହେଉଛି ବିକ୍ରି
ଶିବସେନା ନେତା ତଥା ଏସଏସଜିଟି ଅଧ୍ୟକ୍ଷ ସଦା ସର୍ଭଙ୍କର ମଙ୍ଗଳବାର କହିଛନ୍ତି , ପ୍ରତିଦିନ ଲକ୍ଷ ଲକ୍ଷ ଲଡୁ ବଣ୍ଟାଯାଏ ଏବଂ ଯେଉଁ ସ୍ଥାନରେ ତାହା ତିଆରି କରାଯାଏ, ତାହା ପରିଷ୍କାର ଓ ସ୍ୱଚ୍ଛ ସ୍ଥାନ। ଭିଡ଼ିଓରେ ଏକ ଅପରିଷ୍କାର ସ୍ଥାନ ଥିବା ନଜର ଆସୁଛି। ମୁଁ ଦେଖି ପାରୁଛି ଯେ ଏହା ମନ୍ଦିରର ନୁହେଁ। ଭିଡ଼ିଓଟି ବାହାରେ କେଉଁଠି ସୁଟ୍ କରାଯାଇଛି। ଭାଇରାଲ ଭିଡ଼ିଓରେ ନୀଳ ରଙ୍ଗର ଏକ ଟ୍ରେରେ ରଖାଯାଇ ଥିବା ଲଡୁର ପ୍ୟାକେଟ୍କୁ ମୂଷା ମୁହଁ ମାରୁଥିବାର ନଜର ଆସୁଛି।
ସର୍ଭଙ୍କର କହିଛନ୍ତି , ଆମେ ସିସିଟିଭି ଫୁଟେଜ୍କୁ ଯାଞ୍ଚ କରିବୁ ଏବଂ ଏହାର ସଠିକ୍ ତଦନ୍ତ ପାଇଁ ଜଣେ ଡିସିପି ରାଙ୍କର ଅଧିକାରୀଙ୍କୁ ନିଯୁକ୍ତ କରାଯିବ। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ପୂର୍ବରୁ , ସାମ୍ୱାଦିକ ସମ୍ମିଳନୀରେ ସର୍ଭଙ୍କର କହିଛନ୍ତି , ମନ୍ଦିର ଏହା ସୁନିଶ୍ଚିତ କରିବାକୁ ଯଥାସମ୍ଭବ ଚେଷ୍ଟା କରିଥାଏ ଯେ, ପ୍ରସାଦ କେମିତି ସ୍ୱଚ୍ଛ ସ୍ଥାନରେ ପ୍ରସ୍ତୁତ କରାଯାଇ ପାରିବ।
ସେ କହିଛନ୍ତି , ଘିଅ , କାଜୁ ଓ ଅନ୍ୟ ସାମଗ୍ରୀ ପୂର୍ବରୁ ଯାଞ୍ଚ ପାଇଁ ବୃହନ୍ମୁମ୍ୱାଇ ମହାନଗରପାଳିକା (ବିଏମସି)ର ଲ୍ୟାବ୍କୁ ପଠାଯାଏ ଏବଂ ସେଠାରୁ ସ୍ୱୀକୃତି ପରେ ବ୍ୟବହାର କରାଯାଏ। ସେ କହିଛନ୍ତି, ପାଣିକୁ ମଧ୍ୟ ଲ୍ୟାବ୍ରେ ଯାଞ୍ଚ କରାଯାଇ ଥାଏ। ସେ କହିଛନ୍ତି , ଏହାର ଅର୍ଥ ଯେ , ଆମେ ଏହା ସ୍ପଷ୍ଟ କରିବା ଉପରେ ପୂରା ଧ୍ୟାନ ଦେଇଥାଉ ଯେ ଶ୍ରଦ୍ଧାଳୁମାନେ ପାଉଥିବା ପ୍ରସାଦ ପୂରା ଶୁଦ୍ଧ।