ପ୍ରମୂଖ ଖବର
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ବିଜେପିରୁ ନିର୍ବାଚନ ଜିତିଥିବା ପ୍ରଥମ ମୁସଲିମ୍ ନେତା, ମୋଦି ସରକାରରେ କ୍ୟାବିନେଟ୍ ମନ୍ତ୍ରୀ, ଜାଣନ୍ତୁ କିଏ ସେହି ନେତା...

ନୂଆଦିଲ୍ଲୀ, ୧୫/୧୦ : ମୁଖତାର ଅବ୍ବାସ ନକଭି... ଜଣେ ବିଶିଷ୍ଟ ରାଜନୀତିଜ୍ଞ, ଭାରତୀୟ ଜନତା ପାର୍ଟିର ଜଣେ ରାଜନେତା ତଥା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ। ୧୭ତମ ଲୋକସଭାରେ ସେ ଏବେ କ୍ୟାବିନେଟ ମନ୍ତ୍ରୀ। ରାଜ୍ୟସଭା ସାଂସଦ ଏବଂ ବିଜେପିର ପ୍ରମୁଖ ମୁସଲିମ ପ୍ରାର୍ଥୀଙ୍କ ମଧ୍ୟରେ ଅନ୍ୟତମ ମୁଖତାର। ବିନମ୍ର ଏବଂ ମେଳାପୀ ସ୍ଵାଭାବର ମୁଖତାର ବିଜେପି ସହ ଦେଶର ଜଣେ ବରିଷ୍ଠ ମୁସଲିମ ନେତା ଭାବେ ସୃଷ୍ଟି କରିଛନ୍ତି ପରିଚୟ। ଛାତ୍ର ଜୀବନରୁ ରାଜନୀତି ପ୍ରତି ରୁଚି ରଖୁଥିବା ନକଭି ବିଜେପି ଯୁବ ମୋର୍ଚ୍ଚାର ଉପାଧ୍ୟକ୍ଷ ଦାୟିତ୍ଵ ତୁଲାଇ ସାରିଛନ୍ତି। 

୧୯୫୭ ମସିହା ଅକ୍ଟୋବର ୧୫ରେ ଉତ୍ତର ପ୍ରଦେଶର ଆଲହାବାଦରେ ମୁଖତାର ଅବ୍ବାସ ନକଭିଙ୍କ ଜନ୍ମ। ହଣ୍ଡିଆ ତହସିଲ ପ୍ରତାପପୁର ବ୍ଲକର ଏକ ଛୋଟ ଗାଁ ଭଦାରୀରେ ତାଙ୍କର ସ୍କୁଲ ଜୀବନ କଟିଥିଲା। ଆଲହାବାଦରେ ସେ ତାଙ୍କର କଲେଜ କ୍ୟାରିଅର ଆରମ୍ଭ କରିଥିଲେ। କଲେଜ ଯିବା ପରେ ସେ ରାଜନୀତି ପ୍ରତି ଆକର୍ଷିତ ହୋଇଥିଲେ। ଏହି ସମୟରେ ସମାଜବାଦୀ ନେତା ରାଜନାରାୟଣଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ସେ ରାଜନାରାୟଣଙ୍କ ଦ୍ଵାରା ପ୍ରଭାବିତ ହୋଇ ରାଜନୀତି କରିବାକୁ ସ୍ଥିର କରିଥିଲେ। ବହୁ ଆନ୍ଦୋଳନରେ ଭାଗ ନେଇଥିଲେ। ୧୯୭୫ରେ ଏମରଜେନ୍ସି ସମୟରେ ସେ ଜୟପ୍ରକାଶ ନାରାୟଣଙ୍କ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ସକ୍ରିୟ ଥିଲେ। ମାତ୍ର ୧୭ ବର୍ଷ ବୟସରେ ତାଙ୍କୁ ନଜରବନ୍ଦୀ କରାଯାଇଥିଲା। ଜନତା ପାର୍ଟିରୁ ରାଜନାରାୟଣ ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କୁ ପରାସ୍ତ କରିଥିଲେ ସେହି ସମୟରେ ମୁଖତାରଙ୍କ ସମେତ ବହୁ ଲୋକ ଉତ୍ସାହିତ ହୋଇଥିଲେ। 

ଜନ ସଂଚାରରେ ସ୍ନାତକୋତ୍ତର ଡିଗ୍ରୀ ତାଙ୍କର ରାଜନୈତିକ କ୍ୟାରିଅରରେ ସହାୟକ ହୋଇଥିଲା। ୧୯୭୮-୧୯୭୯ ପର୍ଯ୍ୟନ୍ତ ସେ ଯୁବ ଜନତାର ଉପାଧ୍ୟକ୍ଷ ଥିଲେ। ଜଣେ ହିନ୍ଦୁ ଝିଅ ସୀମାଙ୍କ ସହ ତାଙ୍କର ଲଭ୍ ଅଫେୟାର ଚର୍ଚ୍ଚାରେ ଥିଲା। ସୀମା ଏବଂ ନକଭିଙ୍କ ପରିବାର ତାଙ୍କର ପ୍ରେମ ସମ୍ପର୍କକୁ ନେଇ ଅରାଜି ଥିଲେ। ହେଲେ ସବୁ ବାଧାବିଘ୍ନ ସତ୍ତ୍ଵେ ମୁଖତାର ହାର୍ ନମାନି ସୀମାଙ୍କୁ କୋର୍ଟ ମ୍ୟାରେଜ୍ କରିଥିଲେ। ଏହା ପରଠାରୁ ନକଭିଙ୍କ ଘରେ ଉଭୟ ହିନ୍ଦୁ ଏବଂ ମୁସଲିମ୍ ଉତ୍ସବ ପାଳନ ହୋଇଆସୁଛି। 

ବିଜେପିର ସଂଖ୍ୟାଲଘୁ ଚେହେରା ଭାବରେ ପରିଚିତ ମୁଖତାର ନରେନ୍ଦ୍ର ମୋଦିଙ୍କ ସରକାରରେ ଦ୍ଵିତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥର ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ଵ ଦିଆଯାଇଛି। ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ସେ ମହାତ୍ମା ଗାନ୍ଧୀ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ଜୟପ୍ରକାଶ ନାରାୟଣ, ରାମ ମନୋହର ଲୋହିୟା, ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାଣୀ, ଏବଂ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ପ୍ରଭାବିତ ହୋଇଛନ୍ତି। 

ରାଜନେତା ବ୍ୟତୀତ ସେ ଜଣେ ଲେଖକ। ତାଙ୍କର ୩ଟି ପୁସ୍ତକ- ସ୍ୟାହ (୧୯୯୧), ଦଙ୍ଗା (୧୯୯୮), ଏବଂ ବୈଶାଲି (୨୦୦୭) ପ୍ରକାଶିତ ହୋଇଛି। ସେ ମାସ୍ କମ୍ୟୁନିକେସନରେ ପୋଷ୍ଟ ଗ୍ରାଜୁଏସନ ଶେଷ କରିଛନ୍ତି। ବିଜେପି ପ୍ରାର୍ଥୀ ଭାବରେ ସେ ୨ ଥର ବିଧାନସଭା ଏବଂ ୩ ଥର ଲୋକସଭା ନିର୍ବାଚନ ଲଢିଛନ୍ତି। ୧୯୯୮ରେ ଉତ୍ତର ପ୍ରଦେଶର ରାମପୁର ସଂସଦୀୟ କ୍ଷେତ୍ରରୁ ସେ ବିଜେପିର ପ୍ରଥମ ମୁସଲିମ୍ ଲୋକସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୨, ୨୦୧୦, ୨୦୧୬ରେ ସେ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୮ରେ ତତ୍କାଳୀନ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସୂଚନା ପ୍ରସାରଣ ଏବଂ ସଂସଦୀୟ କାର୍ଯ୍ୟ ରାଜ୍ୟମନ୍ତ୍ରୀ ଥିଲେ। ତାଙ୍କର କାର୍ଯ୍ୟକାଳ ସମୟରେ ଡାଇରେକ୍ଟ ଟୁ ହୋମ୍ ପ୍ରସାରଣ ବ୍ୟବସ୍ଥା ଏବଂ ଭାରତୀୟ ଫିଲ୍ମ କ୍ଷେତ୍ରରେ ଉଦ୍ୟୋଗ ଭଳି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। 

ସରଳ ଏବଂ ମେଳାପୀ ସ୍ଵାଭବ ଯୋଗୁଁ ଲୋକପ୍ରିୟ ହୋଇଥିବା ମୁଖତାର ବିପକ୍ଷ ସହ ସମ୍ପର୍କ-ସମ୍ବାଦ-ସମନ୍ଵୟ ରକ୍ଷା କରି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ ସଫଳତାପୂର୍ବକ ସମ୍ପନ୍ନ କରିଛନ୍ତି। ବିଜେପିର ରାଷ୍ଟ୍ରମନ୍ତ୍ରୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ରାଷ୍ଟ୍ରୀୟ ପ୍ରବକ୍ତା, ବିଜେପି ଯୁବ ଶାଖା ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ, କେନ୍ଦ୍ରୀୟ ନିର୍ବାଚନ ସମିତର ସଦସ୍ୟ ଭାବେ ବହୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ବହୁ ରାଜ୍ୟର ସେ ସଙ୍ଗଠକ ପ୍ରଭାରୀ ଦାୟିତ୍ଵ ତୁଲାଇଛନ୍ତି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.