ମୁମ୍ବାଇ,୨୧/୧୨: ଆକ୍ସନ ମୁଡରେ କଷ୍ଟମ ବିଭାଗ । ବିମାନ ବନ୍ଦରରୁ ୧୧ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି । ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୧ କୋଟି ମୂଲ୍ୟରେ ଗଞ୍ଜେଇ ଜବତ କରିଛି କଷ୍ଟମ ବିଭାଗ । ଜଣେ ଯାତ୍ରୀଙ୍କ ବ୍ୟାଗରୁ ଏହି ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ ହୋଇଛି । ଘଟଣାରେ ଜଣକୁ ଗିରଫ କରାଯାଇଛି ।
ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିମାନ ବନ୍ଦରରେ ସମସ୍ତ ଯାତ୍ରୀଙ୍କ ବ୍ୟାଗକୁ ଟିକନିକ୍ କରି ଯାଞ୍ଚ କରାଯାଇଥିଲା । ଏହି ସମୟରେ ଜଣେ ଯାତ୍ରୀଙ୍କ ବ୍ୟାଗରୁ କିଛି ପଦାର୍ଥ ଦେଖିବାକୁ ମିଳିଥିଲା । ସେଗୁଡିକୁ ବାହାରକୁ କାଢିଲା ପରେ ତାହା ଗଞ୍ଜେଇ ହୋଇଥିବା ଜଣାପଡିଥିଲା । ଜବତ ଗଞ୍ଜେଇର ଓଜନ ୧୧ କେଜି ୩୨୨ ଗ୍ରାମ ହୋଇଥିବା ଜଣାପଡିଥିଲା । ଯାହାର ଆନୁମାନିକ ମୂଲ୍ୟ ୧୧ କୋଟି ୩୨ ଲକ୍ଷ ଟଙ୍କା ହେବ ବୋଲି କଷ୍ଟମ ବିଭାଗ ପକ୍ଷରୁ ଜଣାପଡିଛି ।
ଘଟଣାରେ ପୋଲିସ ସମ୍ପୃକ୍ତ ଯାତ୍ରୀଙ୍କୁ ଅଟକାଇ ପଚରାଉଚରା ଜାରି ରଖିଛି । ଏତେ ଟଙ୍କା ମୂଲ୍ୟର ଗଞ୍ଜେଇ କେଉଁଠୁ ଆଣିଲେ ଏହାକୁ କେଉଁଠାକୁ ପଠାଯାଉଥିଲା ଏଥିରେ କିଏ କିଏ ଅଛନ୍ତି ତାର ତଦନ୍ତ କରୁଛି ପୋଲିସ । ଦିନକ ପୂର୍ବରୁ ମୁମ୍ବାଇ ଏୟାରପୋର୍ଟରୁ ୨ ଜଣଙ୍କ ନିକଟରୁ ୨ କେଜି ସୁନା ଜବତ ହୋଇଥିଲା । ପୋଷାକ ଭିତରେ ଲୁଚାଇ ସୁନା ନେଉଥିବା ବେଳେ ଜଣେ ଯାତ୍ରୀ କଷ୍ଟମ ଅଧିକାରୀଙ୍କ ହାବୁଡରେ ପଡିଯାଇଥିଲେ । ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିଲା ।