ଦାରିଙ୍ଗବାଡି,୭/୭(ଆପ୍ର): ନୂତନ ଭାବେ ଲୋକ ସଭାକୁ ନିର୍ବାଚିତ ହୋଇଥିବା କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଛନ୍ତି । ଉକ୍ତ ଗାଁ ଟି ହେଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ଗବାଟବାଡ଼ି ଗ୍ରାମ ।
ଉକ୍ତ ଗ୍ରାମଟି ଉପାନ୍ତ ଅଞ୍ଚଳରେ ଅବସ୍ଥିତି । ଉକ୍ତ ଗାଁରେ ସାଂସଦ ପହଞ୍ଚିବା ପରେ ଗ୍ରାମବାସୀ ସମ୍ବର୍ଦ୍ଧନା ଜଣାଇଥିଲେ । ଏହା ପରେ ଲୋକଙ୍କ ସୁଖଦୁଃଖ ବୁଝିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଗ୍ରାମବାସୀଙ୍କ ଠାରୁ ଲିଖିତ ଅଭିଯୋଗ ଗ୍ରହଣ କରିଥିଲେ । ଆଖପାଖ ଅଂଚଳର ଅନେକ ଲୋକ ନିଜ ଗାଁ ତଥା ନିଜ ନିଜର ସମସ୍ୟା ସମ୍ପର୍କରେ ସାଂସଦକୁ ଭେଟି ଲିଖିତ ଭାବେ ଜଣାଇ ଥିଲେ । ସିମନବାଡ଼ି ଠାରୁ ଡକରବାଡ଼ି ଦେଇ ଗୁଞ୍ଜିବାଡ଼ିକୁ ରାସ୍ତା ନିର୍ମାଣ ,ଗବାଟବାଡ଼ି ନଦୀରେ ସେତୁ ନିର୍ମାଣ, ଲାରିବାଡ଼ି ଠାରୁ କୁଡ଼ିମୁଞ୍ଜା ଗ୍ରାମ ମଧ୍ୟରେ ଥିବା ନାଳ ରେ ପୋଲ ନିର୍ମାଣ ସହ ଆବାସ ଯୋଜନାରେ ସାମିଲ, ନେଟୱର୍କ ସ୍ଥାପନ, ଜଳ ଯୋଗାଣ ଭଳି ଅନେକ ସମସ୍ୟା ନେଇ ସାଂସଦ ଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ । ଏହା ପରେ ସାଂସଦ ସିମନବାଡ଼ି ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରି କୁନ୍ଦୁପାଙ୍ଗା ଗ୍ରାମ ଗସ୍ତ କରିଥିଲେ । ସାଂସଦ ଙ୍କ ଗସ୍ତ ସମୟରେ ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର, ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଙ୍କ ସମେତ ବିଜେପି ମଣ୍ଡଳ ସଭାପତି ସନ୍ତୋଷ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ହରେନ ସାହୁ, ଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ମିଟୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।