ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ଏବେ ଚର୍ଚ୍ଚାରେ ରହିଛି । ଦୁଇ ଦିନ ପୂର୍ବରୁ ମୁମ୍ବାଇରେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଅନ୍ୟପଟେ ମୁମ୍ବାଇର ଦିଣ୍ଡୋଶୀରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ହତ୍ୟାକଣ୍ଡର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । କିଛି ଲୋକ ଯୁବକଙ୍କୁ ପଟିପିଟି ମାରିଦେଇଥିବା ଦେଖିବାକୁ ମିଳିଛି । ଅତ୍ୟନ୍ତ ହୃଦୟ ବିଦାରକ ଏହି ଭିଡିଓରେ ପୁଅର ଜୀବନ ରକ୍ଷା ପାଇଁ ବାପା-ମା କିଭଳି କାକୁତି ମିନତୀ ହେଉଛନ୍ତି ତାହା ସମସ୍ତଙ୍କ ଆଖିରେ ଲୁହ ନେଇଆସିବ ନିଶ୍ଚୟ । ଶତଚେଷ୍ଟା ପରେ ମଧ୍ୟ ବାପା-ମା ନିଜର ୨୭ ବର୍ଷୀୟ ପୁଅର ଜୀବନ ବଞ୍ଚାଇ ପାରିଲେ ନାହିଁ ।
ଭିଡ଼ ହିଂସାର ଶିକାର ହୋଇ ଯୁବକଙ୍କ ମୃତ୍ୟୁ ହୋଇଛି । ପୁଅକୁ ବଞ୍ଚାଇବା ପାଇଁ ତା ଉପରେ ମା’ ଶୋଇପଡ଼ିଲା ଏବଂ ବାପା ହାତ ଯୋଡି ପୁଅକୁ ଛାଡ଼ି ଦେବାକୁ ଗୁହାରି କରୁଥିଲା । ଏସବୁ ସତ୍ତ୍ବେ କିଛି ରାକ୍ଷସ ବୁଢ଼ା ବାପା-ମାକୁ ମାଡ଼ ମାରିବାକୁ ବି ପଛାଇଲେ ନାହିଁ । ତଳେ ପଡ଼ିଯାଇଥିବା ଯୁବକଙ୍କୁ ଗୋଇଠା ମାରି ମାରି ମାରିଦେଲେ ଅସାମାଜିକ ଲୋକମାନେ ।
ଏହି ଭିଡିଓ ଏବେ ଭାଇରାଲ୍ ହେଉଥିବା ବେଳେ ସମାଜରେ ମଣିଷ ପଣିଆ କିଭଳି ମରିଯାଇଛି ତାକୁ ଦର୍ଶାଉଛି । ପୋଲିସର ସୂଚନା ଅନୁସାରେ, ମୃତକଙ୍କ ନାଁ ଆକାଶ । ବାପା-ମାଙ୍କୁ ନୂଆ କାରରେ ନେଇ ଯାଉଥିବା ବେଳେ ରାସ୍ତାରେ ଏକ ଅଟୋକୁ ଓଭରଟେକ୍ କରିଥିଲେ ଆକାଶ । ଏହାକୁ ନେଇ ଅଟୋ ଡ୍ରାଇଭର ଏବଂ ଆକାଶଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଅଟୋ ଡ୍ରାଇଭର ଏବଂ ତାର କିଛି ସାଥି ଆକାଶଙ୍କ ଉପରେ ଆକ୍ରମଣ କରିଥିଲେ । ଏହାକୁ ଦେଖି ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା ।
ଭିଡ଼ ମଧ୍ୟରୁ କିଛି ଲୋକ ମଧ୍ୟ ଆକାଶଙ୍କୁ ମାଡ଼ ମାରିଥିଲେ । ପୁଅକୁ ବଞ୍ଚାଇବା ପାଇଁ ତାଙ୍କ ବାପା-ମା ବହୁ ପ୍ରୟାସ କରିଥିଲେ । ବାପା ହାତଯୋଡ଼ି ଲୋକଙ୍କୁ ନେହୁରା ହେଉଥିବା ବେଳେ ଆକାଶଙ୍କ ମା’ ତାଙ୍କ ଉପରେ ଶୋଇପଡ଼ିଥିଲେ । ପୁଅକୁ ଲୋକେ ଯେମିତି ଆକ୍ରମଣ କରିପାରିବେ ନାହିଁ ସେଥିପାଇଁ ତାଙ୍କ ମା’ ଚେଷ୍ଟା କରିଥିଲେ । ତଥାପି ଲୋକେ ଆକାଶଙ୍କ ଉପରେ ଆକ୍ରମଣ ଜାରି ରଖିଥିଲେ । ସେପଟେ ଆକଶ ଏବଂ ତାଙ୍କ ବାପା-ମାଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ ପୋଲିସର ଅନୁପସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପରେ ଦିଣ୍ଡୋଶୀ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ୯ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।