ଚନ୍ଦାହାଣ୍ଡି,୧୩/୩ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଫୁଣ୍ଡେଲପଡା ଗ୍ରାମର ସରୋଜ ନାୟକ ଏବଂ ପୂର୍ଣ୍ଣିମା ନାୟକଙ୍କ ଶିଶୁପୁତ୍ରକୁ ୪୦ରୁ ଊର୍ଦ୍ଧ୍ବ ଚେଙ୍କ ଦେବା ଅଭିଯୋଗରେ ଶିଶୁର ଆଈ କୁନ୍ତଳା ମଶ୍ରାଙ୍କୁ ଗିରଫ । ଆଜି ଝରିଗାଁ କୋର୍ଟରେ କୁନ୍ତଳାଙ୍କୁ ହାଜର କରିଥିବା ନେଇ ଚନ୍ଦାହାଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୋଲର୍ସ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି l ଗିରଫ ଆଇଙ୍କ ଘର କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଧିନ ପର୍ଲା ଗ୍ରାମରେ ବୋଲି ଆଇଆଇସି କୋଲର୍ସ ସୂଚନା ଦେଇଛନ୍ତି l
ପ୍ରକାଶ ଯେ, ଫୁଣ୍ଡେଳପଡା ଗ୍ରାମର ସରୋଜ ନାୟକ ଏବଂ ପୂର୍ଣ୍ଣିମା ନାୟକଙ୍କ ୧୦ଦିନର ଶିଶୁପୁତ୍ର କୌଣସି କାରଣରୁ ଅସୁସ୍ଥ ହେବା ସହ ଜୋରରେ କାନ୍ଦିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ଧର୍ମଗଡ଼, ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିଥିଲେ । ମାତ୍ର ଶିଶୁର ଦେହ ସୁସ୍ଥ ନ ହେବା ସହ କାନ୍ଦ ବନ୍ଦ ହୋଇ ନ ଥିଲା l ଏହାକୁ କଳା ସିରା କହି ଶିଶୁର ମୁଣ୍ଡ ଏବଂ ପେଟରେ ଗରମ ଲୁହା କଣ୍ଟାରେ ୪୦ରୁ ଊର୍ଦ୍ଧ୍ବ ଚେଙ୍କ ଦେବାରୁ ଶିଶୁ ଗୁରୁତର ହୋଇ ପଡିଥିଲା l ପରିବାର ଲୋକେ ଚିକିତ୍ସା ପାଇଁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଶିଶୁପୁତ୍ର ସୁସ୍ଥ ହୋଇଥିଲା l ଏହାକୁ ନେଇ ଚନ୍ଦାହାଣ୍ଡି ପୋଲିସ ନିଜ ଆଡ଼ୁ କେସ ନଂ ୩୩/୨୫ରେ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ ଭାର ଆଇଆଇସି ନିଜେ ନେବା ସହ ଆଜି ଶିଶୁପୁତ୍ରର ଆଈ କୁନ୍ତଳାଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିଲେ l ଜାମିନ ନାମଞ୍ଜୁର ହେବାରୁ ଆଈ କୁନ୍ତଳାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି l