ବିଶ୍ୱନାଥପୁର.୨୬।୫ : ଘରେ ଛିଣ୍ଡିକି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ମା’ ଓ ପୁଅର ମୃତ୍ୟୁ ଘଟିଛି। ତେବେ ପୂର୍ବରୁ ବାପାକୁ ହରାଇଥିବା ବେଳେ ଏବେ ମା’ ଓ ସାନ ଭାଇ ହରାଇ ବେସାହାର ହୋଇପଡିଛି ନାବାଳକ ଜଗଦୀଶ। ଏଭଳି ହୃଦୟ ବିଦାରକ ଘଟଣା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପୋଇଗୁଡ଼ା ଗାଁରେ ଦେଖିବାକୁ ମିଳିଛି। ମୃତ ମା’ ଓ ପୁଅ ହେଲେ ଫୁଲମତି ନାଏକ ଓ ସବୀର ନାୟକ
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପୋଇଗୁଡ଼ା ଗାଁର ସନ୍ତୋଷ ନାୟକଙ୍କ ୮ ମାସ ତଳେ ଦେହାନ୍ତ ହେବା ପରେ ଫୁଲମତି ନାଏକ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ଆଠ ବର୍ଷର ବଡ ପୁଅ ଜଗଦିଶ ନାଏକ ଓ ସାତ ମାସର ସାନ ପୁଅ ସବୀର ନାଏକଙ୍କୁ ନେଇ କୁଲୀ ମଞ୍ଜୁରୀ କରି ଶିଶୁ ମାନଙ୍କୁ ପ୍ରତିପୋଷଣ କରି ଆସୁଥିଲେ l କିନ୍ତୁ ସୋମବାର ଘରେ ସତେ ଯେମିତି ସକାଳୁ ଯମରାଜ ଛକି ରହିଥିଲା ପରି ମା’ ପୁଅଙ୍କୁ ଯମ ଦଉଡ଼ିରେ ବାନ୍ଧି ନେଇଛି। ଫୁଲମତି ନାଏକ (୨୯)ସାନ ପୁଅ ସବୀର ନାଏକ (୭ମାସ)ଙ୍କୁ କାଖେଇ ନିଜ ଘର କାମ କରୁଥିବା ସମୟରେ ଅଜାଣତରେ ଘରେ ଛିଣ୍ଡି ରହିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଘଟଣା ସ୍ଥଳରେ ମା’ ପୁଅଙ୍କ ମୃତ୍ୟୁ ଘଟିଥିଲା lବାପାଙ୍କ ମୃତ୍ୟୁର ୮ ମାସ ନ ପୂରୁଣୁ ଏବେ ମା’ ଓ ସାନ ଭାଇଙ୍କୁ ହରାଇ ବେସାହାର ହୋଇପଡିଛନ୍ତି ଜଗଦୀଶ। ପରିବାର କହିଲେ ବାପା, ମା’ ଓ ସାନ ଭାଇ ଥିଲେ । ହେଲେ ପରିବାରର ସମସ୍ତଙ୍କୁ ହରାଇଲା ପରେ ନିଜର ବୋଲି ଜଗଦୀଶଙ୍କ ନିକଟରେ କେହିଁ ନାହାନ୍ତି l
ଖବର ପାଇ ବିଶ୍ୱନାଥ ପୁର ବିଦ୍ୟୁତ ବିଭାଗ ଯନ୍ତ୍ରୀ ସନ୍ଦୀପ ଠାକୁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ମୃତକଙ୍କ ସମ୍ପର୍କୀୟ ଲୋକେ ଏ ନେି ବିଜେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ବିଜେପୁର ଥାନା ଏଏସ୍ ଆଇ ଶ୍ୟାମ କୁଲସିକା ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ l ଏହି ଦୁଃଖ ଖବର ପାଇ ଲାଞ୍ଜିଗଡ ଜୋନ-୨ଜିଲ୍ଲାପରିଷଦ ପରୀକ୍ଷିତ ନାଏକ, ବିଜେପୁର ସରପଞ୍ଚ ପ୍ରତିନିଧି ଟିକା ମାଝୀ, ଆମର ନାଏକ, ଇନ୍ଦ୍ର ମାଝୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ବାପା, ମା’ ଛେଉଣ୍ଡ ଜଗଦୀଶକୁ ସମବେଦନା ଜଣାଇଛନ୍ତି l