କେସିଙ୍ଗା,୨୯|୫(ଆପ୍ର): କେବିକେ ଜିଲ୍ଲା ପାଇଁ ସ୍ୱତନ୍ତ୍ର ପ୍ରକଳ୍ପ ନାମରେ କଳାହାଣ୍ଡି ଜିଲ୍ଲାର ଚାରି ଗୋଟି ସ୍ଥାନରେ ୧୨୦ ଶଯ୍ୟା ବିଶିଷ୍ଟ ବାଳକ ହଷ୍ଟେଲ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଅନୁଦାନ ଯୋଗାଇ ଦିଆଯାଇଥିଲା । ଯାହାକି ୪ ଗୋଟି ସ୍ଥାନରେ ହଷ୍ଟେଲ ବିଲଡିଙ୍ଗ ନିର୍ମାଣ କାମ ପାଇଁ ୩ କୋଟି ୫୭ ଲକ୍ଷ ୫୧ ହଜାର ୮୬୨ ଟଙ୍କା ରହିଥିବା ବେଳେ ଭୁବନେଶ୍ବର ସ୍ଥିତ ବ୍ରିଜ ଏଣ୍ଡ ରୁଫ୍ କୋ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ ନାମକ ଏକ ସଂସ୍ଥାକୁ ବିଲଡିଙ୍ଗ ନିର୍ମାଣ କାମ ଦାୟିତ୍ଵ ଦିଆଯାଇଥିଲା ।
ଏଥିରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ପରଲସିଙ୍ଗା ପଞ୍ଚାୟତ ହାଇସ୍କୁଲ ଠାରେ ୧୨୦ ଶଯ୍ୟା ବିଶିଷ୍ଟ ବାଳକ ହଷ୍ଟେଲ ନିର୍ମାଣ ପାଇଁ ୮୮ ଲକ୍ଷ ୮ ହଜାର ୫୪୩ ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିଲା ଏବଂ ବିରସେନ ଜୈନ ନାମକ ଜନୈକ ଠିକାଦାର ଉକ୍ତ ବିଲଡିଙ୍ଗ ନିର୍ମାଣ କାମ କରିଥିଲେ । ଯାହାକି କାମ ଆରମ୍ଭ ତାରିଖ ୧/୧୧/୨୦୧୮ ରହିଥିଲା ଏବଂ ପ୍ରକଳ୍ପର ନିର୍ମାଣ କାମ ଶେଷ ୧୫ ମାସ ରଖାଯାଇଥିଲା । ହେଲେ ବିଲଡିଙ୍ଗ ନିର୍ମାଣ କାମ ଆରମ୍ଭ ହେବାର ଆଜକୁ ପ୍ରାୟ ୭ ବର୍ଷ ହେବାକୁ ବସିଲାଣି ତଥାପି ହଷ୍ଟେଲ ନିର୍ମାଣ କାମ ସଂପୂର୍ଣ୍ଣ ହୋଇପାରି ନାହିଁ । ନିର୍ମାଣଧିନ ଦୁଇ ମହଲା ବିଶିଷ୍ଟ ହଷ୍ଟେଲ ବିଲଡିଙ୍ଗ ଭିତରେ ଅନେକ କାମ ବାକି ରହିଥିବା ବେଳେ ଦୀର୍ଘ ବର୍ଷ ହେଲା ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଥିବା ବିଷୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ନିର୍ମାଣ କାମ ଆରମ୍ଭ ହେବାର ଦୀର୍ଘ ବର୍ଷ ପରେ ମଧ୍ୟ କାହିଁକି ହଷ୍ଟେଲ ବିଲଡିଙ୍ଗ ନିର୍ମାଣ କାମ ସଂପୂର୍ଣ୍ଣ ହୋଇପାରି ନାହିଁ ତାହା ତଦନ୍ତ ସାପେକ୍ଷ ।
ଏ ବିଷୟରେ କଳାହାଣ୍ଡି ଡିଡବ୍ଲୁଓ ଅନ୍ତର୍ଯ୍ୟାମୀ କହଁରଙ୍କୁ ପଚାରିବାରୁ ଏସସି ଏଣ୍ଡ ଏସଟି ଉନ୍ନୟନ ବିଭାଗ ଅନୁଦାନରେ ହଷ୍ଟେଲ ବିଲଡିଙ୍ଗ ନିର୍ମାଣ କାମ ହେଉଥିଲେ ମଧ୍ୟ ସରକାରଙ୍କ ଠାରୁ ଏବିଷୟରେ କୌଣସି ସୂଚନା ଆସୁନଥିବା ଯୋଗୁଁ କିଛି ଜଣାପଡୁ ନାହିଁ ବୋଲି କହିଛନ୍ତି । ତେବେ ଏଥିପ୍ରତି କଳାହାଣ୍ଡି ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।