ଗୋଳାମୁଣ୍ଡା,୨୮/୫ : ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥି ହୋଇଥିଲେ । ମୃତ୍ୟୁ ପରେ କିଭଳି ସେ ଅଲଗା ରହିଥାନ୍ତେ । ସ୍ବାମୀଙ୍କ ସୁଖ ଦୁଖରେ ସାଥି ହୋଇ ଚାଲିବାକୁ କଥା ଦେଇଥିଲେ । ସ୍ବାମୀ ଆଗେ ଆରପାରିକୁ ଚାଲିଗଲେ । ସ୍ତ୍ରୀଙ୍କୁ ଏହା କିଭଳି ସହ୍ୟ ହୋଇଥାନ୍ତା । ସ୍ବାମୀଙ୍କ ଦଶାହରେ ଆଖି ବୁଜିଲେ ସ୍ତ୍ରୀ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ପଞ୍ଚାୟତର ସାନଚେରଗାଁ ଗ୍ରାମରେ ।
ପ୍ରକାଶ ଯେ, ଗ୍ରାମର ବାଶୁରାମ ଦାସ(୯୦)ଙ୍କ ଗତ ସୋମବାର ଅର୍ଥାତ ୧୯ତାରିଖ ଦିନ ମୃତ୍ୟୁ ହୋଇଥିଲା । ଆଜି ତାଙ୍କର ଦଶାହ ଥିଲା । ମାତ୍ର ସ୍ତ୍ରୀ ଖୀରାନ୍ଦ୍ରୀ ଦାସ (୮୦)ଙ୍କ ବୁଧବାର ମୃତ୍ୟୁ ହୋଇଛି । ସ୍ଵାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଚିନ୍ତାରେ ରକ୍ତଚାପ ଓ ହୃତଘାତ ବଢ଼ିବାରୁ ଆଜି ତାଙ୍କର ମୃତ୍ୟୁ ହୋଇଛି । ଏ ନେଇ ସାନଚେରଗାଁ ଗ୍ରାମରେ ଦାସ ପରିବାର ମଧ୍ୟରେ ଶୋକର ଛାଇ ଖେଳିଯାଇଛି । ସ୍ୱାମୀଙ୍କ ଦଶାହ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସମ୍ପର୍କୀୟ ଯୋଗଦେଇଥିଲେ । ଖୀରାନ୍ଦ୍ରୀଙ୍କ ମୃତ୍ୟୁ ହେବା ପରେ ତାଙ୍କୁ ସ୍ମଶାନକୁ ନେଇ ଶବ ସତ୍କାର କରିଥିବା ପରିବାର ପକ୍ଷରୁ ହୃଦାନନ୍ଦ ଦାସ, ହେମନ୍ତ ଦାସ, ଲାବଣ୍ୟ ଦାସ, ମଦନ ଦାସ, ଶ୍ରୀନିବାସ ଦାସ ପ୍ରମୁଖ ପ୍ରକାଶ କରିଛନ୍ତି ।