ପୁରୀ,୨୯/୦୫: ଲଗାଣ ବର୍ଷା ଯୋଗୁ ବୁଧବାର ରଥର ଦଣ୍ଡା କାର୍ଯ୍ୟ ଆରମ୍ଭ ସମ୍ଭବ ହେଲାନି । ଦଣ୍ଡା କାର୍ଯ୍ୟ ଅନୁକୂଳ ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିଲା । ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ବାଧକ ହେଲା ବର୍ଷା । ଅସରାକୁ ଅସରା ବର୍ଷା ଅଜାଡ଼ିବାରେ ଦଣ୍ଡା କାର୍ଯ୍ୟ ଅଟକି ରହିଲା । ଗୁରୁବାର ଦଣ୍ଡା କାର୍ଯ୍ୟ ଅନୁକୂଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏପଟେ ରଥ ଖଳାରେ ଚାରିନାହାକା, ଗରଗରା ଓ ଗୁଜ ଆଦିର ନିର୍ମାଣ କାର୍ଯ୍ୟ ଏବଂ ଖଳା ବାହାରେ ରଥର ଅଖ ଓ ଗୟଳ କାର୍ଯ୍ୟ ଚାଲିଛି ।
ଦଣ୍ଡାକୁ ରଥର ମୂଳଦୁଆ କୁହାଯାଏ । ତାଳଧ୍ୱଜ ଓ ନନ୍ଦିଘୋଷର ୯ଦଣ୍ଡା ରହିଥିବା ବେଳେ ଦେବଦଳନ ରଥର ୭ଦଣ୍ଡା ରହିଛି । ବୁଧବାର ସୁଦ୍ଧା ତିନି ରଥର ନିର୍ଦ୍ଦିଷ୍ଟ ସ୍ଥାନ ନିରୁପଣ ହୋଇ ଦଣ୍ଡା କାଠ ସବୁ ଖେଳା ଯାଇଛି । ୪୦ ଫୁଟିଆ କାଠରେ ଦଣ୍ଡା ପ୍ରସ୍ତୁତ ହେବ । ଦଣ୍ଡା କାମ ସରିଲେ ଏଥିରେ ସଂଯୋଗ ହେବ ମୁହାଁଟ । ପୂର୍ବରୁ ବିନ୍ଧ ହୋଇ ମୁହାଁଟ ପ୍ରସ୍ତୁତ ରହିଛି । ରଥର ୪୨ ଚକ ପ୍ରସ୍ତୁତ ସରିଛି । ୨୧ଟି ଅଖ ନିର୍ମାଣ ଚାଲିଛି । ଚକ ଓ ଅଖ ସଂଯୋଗ ହେଲେ ଏଥିରେ ଦଣ୍ଡା ଉଠିବ । ଚାରି ନାହାକା ହଣା ଜାରି ରହିଛି । ଗରଗରା ଚଉପଟ କରୁଛନ୍ତି ବିଶ୍ୱକର୍ମା । ପ୍ରତି ରଥରେ ଦୁଇ ଗୋଟି ଗରଗରା ଲାଗିବ । ଅଖ ଉପରେ ଦଣ୍ଡା ପଡ଼ିଲେ ଗରଗରା ରହି ଚାରିନାହାକା ଉଠିବ ।
ରୂପକାର ସେବକମାନେ ଗୁଜ କାମ ଜାରି ରଖିଛନ୍ତି । କରତି ସେବକମାନେ ରଥର ଗୟଳ ଚିରଟ କରୁଛନ୍ତି । ତିନୋଟି ପୃଥକ ଶାଳରେ କମାର ତଥା ଓଝା ସେବକ ରଥର ଲୁହା ସାମଗ୍ରୀ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ତାଳଧ୍ୱଜର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର, ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର ଓ ଦେବଦଳନର ମୁଖ୍ୟ ବିଶ୍ୱକର୍ମା ନାରାୟଣ ମହାରଣାଙ୍କ ତତ୍ୱାବଧାନରେ ରଥ ନିର୍ମାଣ ଜାରି ରହିଛି ।
ଆସିଲା ୨୬ ରଥ କାଠ
ବୁଧବାର ରେଢ଼ାଖୋଲରୁ ଆସିଛି ୨୬ଟି ଧଉରା ରଥ କାଠ । ସେଥିରେ ୪୦ ଫୁଟିଆ ୨୪ଟି ଓ ୨୦ ଫୁଟିଆ ୨ଟି ରହିଛି । ଦଫା ଦଫା ହୋଇ ୪୦ ଫୁଟିଆ କାଠ ପହଞ୍ଚିବାରେ ରଥ ନିର୍ମାଣକାରୀ ଆଶ୍ୱସ୍ତ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ । ଏଥିରୁ ବଛା ହୋଇ ବିଭିନ୍ନ ରଥାଂଶ ପ୍ରସ୍ତୁତ ହେବ । ରଥର ଅଖ, ଦଣ୍ଡା ଓ ଗୟଳ ନିର୍ମାଣ ପାଇଁ ୧୦୦ ଟି ୪୦ ଫୁଟିଆ କାଠ ଅବଶ୍ୟକ ହୁଏ । ଏଥିରୁ ୩୦ ଅସନ ଓ ଓ ୭୦ଟି ଧଉରା କାଠ ଲୋଡ଼ା ହୁଏ । ଧାର୍ଯ୍ୟ ସମୟରେ ୪୦ ଫୁଟିଆ କାଠ ନପହଞ୍ଚିବାରେ ରଥଖଳାରେ ଭାଳେଣି ପଡ଼ିଯାଇଥିଲା । ଏବେ ବରାଦି ମୁତାବକ ୪୦ ଫୁଟିଆ କାଠ ପହଞ୍ଚିବା ଯିବାରେ ରଥ ନିର୍ମାଣ ନେଇ ଆଶଙ୍କା ଟଳିବା ସହ ରଥ ନିର୍ମାଣକାରୀ ଖୁସି ବ୍ୟକ୍ତ କରିଛନ୍ତି ।