ଜଳେଶ୍ବର-୧୬/୩ : ଘରେ କେହି ନଥିବାର ସୁଯୋଗ ନେଇ ତାଲା ଭାଙ୍ଗି କଳକନା ବୁଲାଇଲେ ଦୁର୍ବୃତ୍ତ। ଜୀବନ ଯାକର ସଞ୍ଚିତ ଅର୍ଥ ସମେତ ସୂନା ଗହଣା ଲୁଟି ନେଲେ ଦୁର୍ବୃତ୍ତ। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଆମ୍ବପୂଞ୍ଜା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ୫୦ ଲକ୍ଷ ଟଙ୍କା ର ସୂନା ଗହଣା ଏବଂ ନଗଦ ୧୦ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ ଆମ୍ବପୂଞ୍ଜା ଗ୍ରାମର ପୂର୍ଣ୍ଣଚନ୍ଦ୍ର ପରିଡା ଦୀର୍ଘ ୩୦ବର୍ଷ ଧରି ନାମ୍ପୋ ବଜାରରେ ତେଲ ଛଣା ଦୋକାନ କରି ବ୍ଯବସାୟ କରୁଛନ୍ତି। ତାଙ୍କର ତିନ ପୂଅ ବୋହୂ ବାହାର ରାଜ୍ଯରେ କମ୍ପାନୀରେ ଚାକିରୀ କରିଛନ୍ତି । ସବୁଦିନ ଭଳି ପୂର୍ଣ୍ଣଚନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ଘରର ତାଲା ବନ୍ଦ କରି ଅପରାହ୍ନରେ ଦୋକାନକୁ ଯାଇଥିଲେ। ରାତି ୮ ଟା ସମୟରେ ଘରକୁ ଫେରିବା ବେଳେ ତାଲା ଭାଙ୍ଗି ତଳେ ପଡିଥିବା ସହ ଘର ଖୋଲା ଥିବା ଦେଖିଥିଲେ। ଘର ଭିତରକୁ ଯିବାରୁ ସମସ୍ତ ଟଙ୍କା ଏବଂ ସୂନା ଗହଣା ଲୁଟ ହୋଇଥିବା ଦେଖିଥିଲେ । ଘରର ତାଲା ଭାଙ୍ଗି ତିନି ବୋହୂ ଏବଂ ପୂର୍ଣ୍ନଚନ୍ଦ୍ରଙ୍କ ସ୍ତ୍ରୀ ଙ୍କ ସମସ୍ତ ସୂନା ଗହଣା ଏବଂ ନଗଦ ୧୦ ଲକ୍ଷ ରୁ ଊର୍ଦ୍ଧ୍ବ ଟଙ୍କା ଲୁଟ କରି ଦୁର୍ବୃତ୍ତମାନେ ଚମ୍ପଟ ମାରିଛନ୍ତି। ଖବର ପାଇ ଜଳେଶ୍ବର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।