ଜଳେଶ୍ଵର, ୧୩/୦୩: ଦୀନକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦ ଜଳେଶ୍ଵର ତରଫରୁ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଗିରଫ କରିବା ନିମନ୍ତେ ଜଳେଶ୍ଵର ଥାନାରେ ଏକ ଏତଲା ଦିଆଯାଇଛି । ଏକ ଜନସଭାରେ ଓଡ଼ିଶା ବିଭାଜନ ପାଇଁ ମନ୍ତବ୍ୟ ଦେବା ସହ ଉତ୍କଳ ବନ୍ଦନାକୁ ଅସମ୍ମାନ କରିଥିଲେ ବିଧାୟକ । ଯାହାକୁ ବିରୋଧ କରି ଏଭଳି ପଦକ୍ଷେପ ନେଇଛନ୍ତି ଦୀନକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦ । ତାଙ୍କୁ ତୁରନ୍ତ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାାଇଁ ଦାବି କରାଯାଇଛି ।
ଶୋଇଥିବା ବେଳେ ଭୁଶୁଡ଼ି ପଡ଼ିଲା ଘର, ସ୍ୱାମୀ ମୃତ ସ୍ତ୍ରୀ ଆହତ
ସୂଚନା ଥାଉକି, ଜଣେ ଲୋକ ପ୍ରତିିନିଧି ଓଡ଼ିଶା ବିଧାନସଭାର ବିଧାୟକ ଥାଇ ଓଡ଼ିଶାକୁ ବିଭାଜନ କରିବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି ସରକାରୀ ଦଳର ବିଧାୟକ ଜୟନାରାୟଣ ମିଶ୍ର । ସେ ଏକ ଜନସଭାରେ କହିଛନ୍ତି, ଓଡ଼ିଶା ସହିତ ମିଶିବା ପଶ୍ଚିମ ଓଡିଶାର ଐତିହାସିକ ଭୁଲ୍ । ଇତିହାସ ଗଠନ ସମ୍ପର୍କରେ କୌଣସି ଧ୍ୟାନ ଧାରଣା ନଥିବା ବିଧାୟକ ଏଭଳି ମନ୍ତବ୍ୟ ଦେଇଥିଲେ । ଏଭଳି ମନ୍ତବ୍ୟ ଦେବା ଉତ୍କଳ ପ୍ରଦେଶ ଗଠନରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ମହାମୁନିଷୀ ମାନଙ୍କ ପ୍ରତି ଅପମାନ ନୁହେଁ, ଓଡ଼ିଶାକୁ ବିଭାଜନ କରିବା ପାଇଁ ସେ ଜନସାଧାରଣଙ୍କୁ ଉସୁକାଉଛନ୍ତି । ବିଧାୟକ ଶ୍ରୀ ମିଶ୍ର ବୋଧହୁଏ ଭୁଲି ଯାଇଛନ୍ତି ଭାଷା ଭିତ୍ତିକ ରାଜ୍ୟ ଗଠନରେ ଓଡ଼ିଶା ହେଉଛି ପ୍ରଥମ। ଏଭଳି ଏକ ଗୌରବମୟ ଇତିହାସକୁ ଅବଜ୍ଞା କରି ବିଧାୟକ ମିଶ୍ର ଅପରାଧ କରିଛନ୍ତି ।
କେବଳ ଏତିକି ନୁହେଁ, ଉତ୍କଳ ବନ୍ଦନା ଗାନ ହେବା ବେଳେ ସମସ୍ତେ ଛିଡ଼ାହୋଇ ଏହାକୁ ସମ୍ମାନ ପ୍ରଦର୍ଶନ କରନ୍ତି, ଯାହା ଆମର ଅସ୍ମିତା । ଜୟନାରାୟଣ ବାବୁ ଏଥିରେ ଛିଡ଼ା ନହେବା ଆଉ ଏକ ଦଣ୍ଡନୀୟ ଅପରାଧ। ଏଭଳି ଅପରାଧ କରିବା ଏବଂ ଦର୍ପ ସହକାରେ କହିବା "ମୁଁ କେବେ ଉତ୍କଳ ବନ୍ଦନା ଗାନ ସମୟରେ ଛିଡ଼ା ହୁଏ ନାହିଁ କି ହେବି ନାହିଁ" ଏହା ସମଗ୍ର ଓଡିଆ ଜାତି ପ୍ରତି ଅପମାନ ସୂଚକ । ଏଭଳି ଅହଙ୍କାରୀ ଜନ ପ୍ରତିନିଧିଙ୍କ ତୁରନ୍ତ ଗିରଫ କରିବା ଆବଶ୍ୟକ ମନେ କରି ଜଳେଶ୍ଵର ଥାନାରେ ଏକ ଏତଲା ଦିଆଯାଇଛି ।
ଦୀନକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦ ତରଫରୁ ସଭାପତି ଇନ୍ଦୁ ମାଧବ ମହାନ୍ତି, କାର୍ଯ୍ୟକାରୀ ସଭାପତି ଭାଗବତ ଚନ୍ଦ୍ର ପରିଡା, ସମ୍ପାଦକ ଅକ୍ଷୟ କୁମାର ମିଶ୍ର, ଉପସଭାପତି ଦିଲ୍ଲୀପ କୁମାର ଗିରି, ବିଶିଷ୍ଟ ଗାଳ୍ପିକ ସୀତାଂଶୁ ସେନାପତି,ଦିପ୍ତିମାନ ଆଚାର୍ଯ୍ୟ, ରବିନ୍ଦ୍ର ବାରିକ, ପ୍ରଫୁଲ୍ଲ ମହାନ୍ତି, ଜ୍ୟୋତିଷ ଚନ୍ଦ୍ର କର,ପଲ୍ଟୁ ଦାସ, ଗଗନ ପରିଡା,ରାଜାରାମ କରଶର୍ମା, ସବିତା ଭୂୟାଁ , ଦିଲ୍ଲୀପ ଶତପଥୀ ଏହି ଏତଲା ଦେଇଛନ୍ତି । ସଂସଦ ତରଫରୁ ଏକ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଓଡ଼ିଆ ଅସ୍ମିତାକୁ ରକ୍ଷା କରିବାର ନାରା ନେଇ ନିର୍ବାଚନରେ ବିଜୟୀ ହୋଇଥିବା ବିଜେପି ସରକାରକୁ ଆସିବାର କିଛି ମାସ ପରେ ନିଜର ଜଣେ ବରିଷ୍ଠ ବିଧାୟକଙ୍କର ଏତାଦୃଶ ଘୃଣ୍ୟ ମନ୍ତବ୍ୟ ଏବଂ କାର୍ଯ୍ୟକଳାପକୁ ଦେଖି ମଧ୍ୟ ସରକାର ନୀରବ ଦ୍ରଷ୍ଟା ସାଜିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ସେଥିରେ ଉଲ୍ଲେଖ ରହିଛି । ଏଭଳି ଅଭ୍ୟାସ ଗତ ଅପରାଧୀକୁ ତୁରନ୍ତ ଗିରଫ କରି ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।