ସିମୁଳିଆ, ୩୦।୬: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ମଇତାପୁର ଗାଁରେ ଶନିବାର ସନ୍ଧ୍ୟାଠୁ ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ମିଳିଲା । ରବିବାର ସକାଳେ ଗାଁ ପୋଖରୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହକୁ ପରିବାର ଲୋକେ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । ପରେ ପରିବାର ଲୋକେ ଏ ସମ୍ପର୍କରେ ସିମୁଳିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୃତ ଯୁବକ ଜଣକ ୩୨ ବର୍ଷୀୟ କମଳାକାନ୍ତ ସେନାପତି ବୋଲି ଜଣାପଡ଼ିଛି ।
ଶନିବାର ସନ୍ଧ୍ୟାରେ କମଳାକାନ୍ତ ନିଖୋଜ ଥିଲେ ଏବଂ ଦୀର୍ଘ ଦିନ ହେବ ସେ ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ ବୋଲି କହିଛନ୍ତି ପରିବାର ଲୋକ । ସମ୍ପର୍କୀୟ ବହୁ ଖୋଜାଖୋଜି କରିବା ସତ୍ତ୍ୱେ ତାଙ୍କୁ ପାଇନଥିଲେ । ରବିବାର ସକାଳେ ପରିବାର ଲୋକେ ଘରଠାରୁ କିଛି ଦୂରରେ ଥିବା ପୋଖରୀରୁ କମଳାକାନ୍ତଙ୍କ ମୃତଦେହ ଭାସୁଥିବାର ଦେଖି ଉଦ୍ଧାର କରିଥିଲେ । ମୃତକଙ୍କ ବାପା ଗଜେନ୍ଦ୍ର ସେନାପତି ଏନେଇ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି ।