କଣ୍ଟାବାଞ୍ଜି, ୩୦।୬: ତୁରେଇକେଲା ଯିବା ରାସ୍ତାର ନୂଆ ବସ୍ଷ୍ଟାଣ୍ଡ ପଛପଟେ ଥିବା ଏକ ପରିତ୍ୟକ୍ତ କୂଅରେ ରବିବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ପୋଲିସ ଏବଂ ଅଗ୍ନିଶମ ବିଭାଗ ଦ୍ୱାରା କୂଅରୁ ମୃତଦେହ ଉଦ୍ଧାର ହେବା ପରେ ପରିବାର ଲୋକ ଚିହ୍ନଟ କରିଥିଲେ । ଗତକିଛି ଦିନ ତଳେ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଡୁମେରଚୁଆ ଗାଁ ରକୁଞ୍ଜ ମାଝୀ ନାମକ ଯୁବକ ରାତିରେ ଘରେ ଥିବାବେଳେ ତାଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା, ପରେ ସେ ରାତିରେ ଘରୁ ବାହାରି ଚାଲିଯାଇଥିଲେ । ପରେ ସେ ଘରକୁ ନ ଫରିବାରୁ ପରିବାର ଲୋକ ବହୁତ ଖୋଜା ଖୋଜି କରିଥିଲେ । ଶେଷରେ ଥାନରେ ଏକ ନିଖୋଜ ଅଭିଯୋଗ ଦେଇଥିଲେ ।
ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ କରୁଥିବାବେଳେ ଗତକାଲି କୂଅରେ ଏକ ମୃତଦେହ ଭାସୁଥିବାର ଜଣାପଡ଼ିଥିଲା । ପରେ ମୃତଦେହକୁ ପରିବାର ଲୋକେ ଚିହ୍ନଟ କରିବା ପରେ କୁଞ୍ଜକୁ କେହି ହତ୍ୟାକରି କୂଅରେ ଫିଙ୍ଗିଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ପୁଲିସ ତଦନ୍ତ କରି ୩ ଜଣଙ୍କୁ ଥାନାରେ ଅଟକ ରଖିଛି । ଗ୍ରାମବାସୀ ଓ ପରିବାର ଲୋକ ଉଚିତ୍ ନ୍ୟାୟ ସାଙ୍ଗକୁ ଦୋଷୀକୁ ଫାଶୀ ଦେବାକୁ ଦାବି କରି ଥାନା ଘେରାଉ କରିଛନ୍ତି । ଥାନା ଅଧିକାରୀ ରଶ୍ମିତା ବେହେରା, ଏସ୍ଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡି, ବିଧାୟକ ଲଖମନ୍ ବାଗ୍ ପ୍ରମୁଖ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଏମାନେ ସମସ୍ତେ ନିଜ ଜିଦ୍ରେ ଅଡ଼ି ବସିଛନ୍ତି ।