ନାକଟିଦେଉଳ, ୨୫।୨ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଠାରେ ଏକ ‘ଦୁଗ୍ଧ ଶୀତଳୀକରଣ କେନ୍ଦ୍ର’ ଉଦଘାଟିତ ହୋଇଯାଇଛି । ଦୁଗ୍ଧ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିଛନ୍ତି।
ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି ସମ୍ବଲପୁର ଜିଲ୍ଲାରେ ଦୁଗ୍ଧ ଚାଷର ଅନେକ ସମ୍ଭାବନା ଅଛି । ଏହି ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ନିର୍ମାଣ ପାଇଁ ମୋଟ ୪୦ ଲକ୍ଷ ଟଙ୍କା ନିବେଶ କରାଯାଇଛି ଏବଂ ଦୈନିକ ମୋଟ ୨୦୦୦ ଲିଟର ଦୁଗ୍ଧ ସଂଗ୍ରହର ବ୍ୟବସ୍ଥା କରାଯାଇଛି । ଲୋକାର୍ପିତ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଦ୍ଵାରା ଅଞ୍ଚଳବାସୀ ବିଶେଷ ଭାବରେ ଛାତ୍ରଛାତ୍ରୀମାନେ ପୁଷ୍ଟିକର କ୍ଷୀର ପାଇପାରିବେ । ରୋଜଗାରର ଏକ ମାଧ୍ୟମ ଭାବେ ଦୁଗ୍ଧ ଚାଷୀମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ । ଆଜିର ପଦକ୍ଷେପ ସମ୍ବଲପୁର ଜିଲ୍ଲାରେ ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି ସହ ଏହି ବର୍ଗର ଚାଷୀଙ୍କ ଆର୍ଥିକ ସମ୍ବଳକୁ ସଶକ୍ତ କରିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଆମ ଦେଶ ଦୁଗ୍ଧ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇଛି । ଦୁଗ୍ଧ ଚାଷୀଙ୍କ ପାଇଁ ସ୍ଵତନ୍ତ୍ର ପ୍ରୋତ୍ସାହନ, ସରକାରୀ ସହାୟତା ସହ ଅନେକ ଜନକଲ୍ୟାଣକାରୀ ଯୋଜନା ଦ୍ଵାରା ଗୋପାଳନ କରି ଚାଷୀଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରାଯାଉଛି । ଆଗାମୀ ଦିନରେ ସମ୍ବଲପୁର ଗୋଶାଳା ସ୍ଥିତ ଓମଫେଡ ପ୍ଲାଣ୍ଟର ସମ୍ପ୍ରସାରଣ କରାଯିବ । ସେହି ପ୍ଲାଣ୍ଟରୁ ପାଉଡର କ୍ଷୀର, ଦହି, ଚକୋଲେଟ୍, ପନିର, ଆଇସକ୍ରିମ୍ ସମେତ କ୍ଷୀରରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେବ । ରାଜ୍ୟ ସରକାରଙ୍କ ତରଫରୁ କାମଧେନୁ ଯୋଜନାରେ ଆଗାମୀ ଦିନରେ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବ । ଓଡ଼ିଶା ସରକାରଙ୍କ ଦ୍ୱାରା ସବୁ ପଞ୍ଚାୟତରେ ଦୁଗ୍ଧ ସମବାୟ ସମିତି ଗଠନ ହେବ ।
ଶ୍ରୀ ପ୍ରଧାନ କହିଥିଲେ ଦେଶର ମୋଟ ୭୦୦୦ ବ୍ଲକ ମଧ୍ୟରୁ ମୋଟ ୫୦୦ଟି ଆକାକ୍ଷୀ ବ୍ଲକର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତଦାରଖ କରୁଛନ୍ତି, ଯେଉଁଥିରେ ନାକଟିଦେଉଳ ବ୍ଲକ ସାମିଲ ଅଛି । ଏଠାରେ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ମୌଳିକ ସୁବିଧାକୁ ଉପଲବ୍ଧ କରାଇବା ଦିଗରେ ବିଜେପିର ଡବଲ ଇଞ୍ଜିନ ସରକାର କାମ କରୁଛନ୍ତି ।