ଭୁବନେଶ୍ବର, ୨୫।୨ ମୋ ବସ୍’ ଧକ୍କାରେ ୨ ଜଣ ଆହତ ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କ୍ରୁଟ। ଡ୍ରାଇଭର ଓ ଗାଇଡ୍ଙ୍କୁ ବର୍ହିଷ୍କତ କଲା କ୍ରୁଟ। ଡ୍ରାଇଭର ଓ ଗାଇଡ୍ ଚାହିଁଥିଲେ ଦୁର୍ଘଟଣାକୁ ଏଡ଼ାଯାଇ ପାରିଥାନ୍ତା ବୋଲି କ୍ରୁଟ ପକ୍ଷରୁ ଦର୍ଶାଯାଇଛି। ମଙ୍ଗଳବାର ମାଷ୍ଟରକ୍ୟାଣ୍ଟିନରେ ଘଟିଥିଲା ଅଘଟଣ।
ମାଷ୍ଟର କ୍ୟାଣ୍ଟିନ ଛକରେ ଅଟୋକୁ ଅପେକ୍ଷା କରି ମୋ ବସ ଆଗରେ ବସିଥିଲେ ୨ ଜଣ। ଏହି ସମୟରେ ମୋ ବସ ରୁଟ ନମ୍ବର ୨୩ ଗାଡ଼ିଟି ସେମାନଙ୍କ ଉପରେ ମାଡି ଯାଇଥିଲା। ଏଥିରେ ରଞ୍ଜିତ ବେହେରା ଏବଂ ହୃଦାନନ୍ଦ ମହାନ୍ତି ଆହତ ହୋଇଥିଲେ। ଯୁବକ ରଞ୍ଜିତ ବେହେରାଙ୍କ ଡାହାଣ ଗୋଡରେ ଆଘାତ ଲାଗିଥିବା ବେଳେ ଅନ୍ୟଜଣେ ହୃଦାନନ୍ଦ ମହାନ୍ତିଙ୍କ କାନ୍ଧ ଓ ଅଣ୍ଟାରେ ଆଘାତ ଲାଗିଥିଲା। ତେବେ ଏହି ଦୁର୍ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇ ରହିଥିଲା। ଏହାକୁ ଦେଖି କ୍ରୁଟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।