ମାଲକାନଗିରି, ୨୪/୧୨ : ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାର ତାରେମ ଥାନା ଅନ୍ତର୍ଗତ କୋମାଟପାଲି ଜଙ୍ଗଲରେ ମାଓ ଡମ୍ପ ଠାବ। ମାଓ ଡମ୍ପରୁ ନକ୍ସଲପନ୍ଥୀଙ୍କ ଅସ୍ତ୍ରଶସ୍ତ୍ର ତିଆରି କରିବା ଉପକରଣ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି।
ସୂଚନାନୁଯାୟୀ, ବିଜାପୁର ଜିଲ୍ଲାର ତାରେମ ଥାନା ଅନ୍ତର୍ଗତ ୱାଟେଭାଗୁ ଗାଁରେ ଏକ ନୂତନ କ୍ୟାମ୍ପ ସ୍ଥାପନ ହେବା ପରେ ଡିଆରଜି, ଏସଟିଏଫ ଓ ସିଆରପିଏଫ ବାହିନୀ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା। ସର୍ଚ୍ଚ ଅପରେସନ ବେଳେ କୋମାଟପାଲି ଜଙ୍ଗଲ ଭିତରେ ନକ୍ସଲମାନେ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ତିଆରି କରିବା ଉପକରଣ ସହ ମାଓ ସାମଗ୍ରୀ ଜବତ ହୋଇଛି। ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ଗ୍ୟାସ୍ ୱେଲ୍ଡିଂ ମେସିନ୍, ଅକ୍ସିଜେନ୍ ସିଲିଣ୍ଡର, କ୍ୟାନ୍ ପାଉଡର, ଇନଭର୍ଟର, ଷ୍ଟାବିଲାଇଜର, ଷ୍ଟିଲ୍ କଣ୍ଟେନର, ମୋଟର, ୱେଲ୍ଡିଂ ରଡ୍, ବଡ଼ ଲୁହା ରଡ୍, ଖାଲି ମାଗାଜିନ୍, ରାଇଫଲ୍ ସିଲିଂ ରଡ୍ ରହିଛି।
ପୋଲିସ ଶିବିର ପ୍ରତିଷ୍ଠା ପରେ ଉକ୍ତ ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଛି। ଏହା ସହ କୋମାଟପାଲିରେ ମାଓବାଦୀଙ୍କ ଦ୍ୱାରା ନିର୍ମିତ ୬୨ ଫୁଟ ଉଚ୍ଚ ସହିଦ ସ୍ତମ୍ଭକୁ ସୁରକ୍ଷା ବାହିନୀ ଭାଙ୍ଗି ଦେଇଛନ୍ତି।