ବୀରମିତ୍ରପୁର, ୧୨/୦୫: ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ବ୍ଲକର ପୁଟୁରିଖମନ ପଞ୍ଚାୟତର ଶାଗାବେଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଶୋଇଥିବା ଅବସ୍ଥାରେ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହାଣି ହତ୍ୟା କରାଯାଇଛି। ହତ୍ୟା କରିଥିବା ପୁଅ ଓ ତାଙ୍କ ବାପାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ସୂଚନା ମୁତାବକ, ଆଜି ଅପରାହ୍ନରେ ଉକ୍ତ ଗ୍ରାମର କ୍ରିଷ୍ଣା ଲାଖୁଆ( ୩୭) ନିଜ ଘର ବାହାରେ ଏକ ଖଟିଆ ପକାଇ ଶୋଇଥିଲେ। ଉକ୍ତ ସମୟରେ ସେହି ଗ୍ରାମର ଟିକି ଲାଖୁଆ (୨୫) ଏକ ଟାଙ୍ଗିଆରେ ଅଚାନକ କ୍ରିଷ୍ଣାଙ୍କୁ ହାଣି ହତ୍ୟା କରିଥିଲେ। ଶବ୍ଦ ଶୁଣି ଘରେ ଥିବା କ୍ରିଷ୍ଣାଙ୍କ ସ୍ତ୍ରୀ ଜାନକି ଦୌଡ଼ିଆସି ଦେଖିଥିଲେ ଯେ ତାଙ୍କ ସ୍ବାମୀଙ୍କୁ ଟିକି ଟାଙ୍ଗିଆରେ ଆକ୍ରମଣ କରୁଛନ୍ତି। ଜାନକିଙ୍କ ଚିତ୍କାରରେ ଗ୍ରାମବାସୀ ଆସିବା ପରେ ଟିକି ସେଠାରୁ ପଳାଇଥିଲେ।
ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କ୍ରିଷ୍ଣାଙ୍କୁ କୁଆଁରମୁଣ୍ଡା ସରକାରୀ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ବର୍ଗ ଓ ଗ୍ରାମବାସୀ ବୀରମିତ୍ରପୁର ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଟିକୀଙ୍କୁ ଓ ତାଙ୍କ ବାପା ନିରପତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ ଉକ୍ତ ହତ୍ୟାର କାରଣ ଅସ୍ପଷ୍ଟ ରହିଛି।