ଯାଜପୁର ୧୬/୦୫: ଘରୋଇ କଳହକୁ ନେଇ ଦାଦାକୁ କଟୁରୀରେ ହାଣି ହତ୍ୟା କରିବା ମାମଲାରେ ଆଜି ଯାଜପୁର ଜିଲ୍ଲା ଦୌରା ଜଜ ଅମୃତ ରଂଜନ ନନ୍ଦ ଅଭିଯୁକ୍ତ ପୁତୁରାକୁ ଆଜୀବନ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି ।ଏଥି ସହିତ ୨୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ହେଲେ ୬ ମାସ ଅଧିକ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ପ୍ରକାଶ କରିଛନ୍ତି l ସୂଚନା ମୁତାବକ ୨୦୨୧ ମେ ୧୯ ତାରିଖ ମଧ୍ୟାହ୍ନ ସମୟରେ ବରୀ ଥାନା ରମ୍ପା ଗ୍ରାମର ଦେବାଶିଷ ବାହାଳିଆଙ୍କୁ ତାଙ୍କ ପୁତୁରା ପିଜୁଶକାନ୍ତ ବାହାଳିଆ ଘରୋଇ କଳହକୁ ନେଇ ଏକ କଟୁରିରେ ହାଣି ହତ୍ୟା କରିଥିଲା । ସେବେଠାରୁ ସେ ଯାଜପୁର ଜେଲରେ ବିଚାରାଧୀନ କଏଦୀଭାବେ ରହୁଥିଲା । ଆଜି ୨୨ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଜିଲ୍ଲା ଦୌରା ଜଜ ଏହି ରାୟ ପ୍ରଦାନ କରିଛନ୍ତି ।