ବାରିପଦା,୧୩/୦୧:ମୟୂରଭଂଜବାସୀଙ୍କ ପାଇଁ ଗଣପର୍ବ ମକର ଆଣିଦିଏ ଅନେକ ଆନନ୍ଦ ଓ ଉଲ୍ଲାସ ସହିତ ଭାଇଚାରର ସଂସ୍କୃତି । କୃଷିଜୀବୀ ହେଉ ବା ବ୍ୟବସାୟୀ ଅଥବା ଚାକିରିଆ ସମସ୍ତଙ୍କ ପାଇଁ ମକର ଆଣେ ନୂଆ ଉତ୍ସାହ ଓ ଉଦ୍ଦୀପନା । ଗାଁ ଠୁ ସହର ବଜାର ସବୁଠି ମକରର ଛାପ ସ୍ପଷ୍ଟ ବାରି ହୋଇ ପଡେ । ମୟୂରଭଂଜର ମୁଖ୍ୟ ଫସଲ ଧାନ ଅମଳ ସରିଥିବାରୁ ବିଶେଷ କରି ଗରିବ ଖଟିଖିଆ ଓ କୃଷିଜୀବୀ ମାନଙ୍କ ପାଖରେ ଏହି ସମୟରେ ହାତରେ ଦି' ପଇସା ଥାଏ । ପୁଣି ବାହାରକୁ କାମଧନ୍ଦା ପାଇଁ ଯାଇ ଘରକୁ ଫେରିଥିବା ପ୍ରତ୍ୟେକଙ୍କ ପାଖରେ ଟଙ୍କା ପଇସାର ଅଭାବ ବି ନଥାଏ । ତେଣୁ କୁଣିଆ ମୈତ୍ରଙ୍କ ସହ ଆମୋଦ ପ୍ରମୋଦ କରି ଏହି ସମୟରେ ବର୍ଷ ଯାକର କର୍ମକ୍ଲାନ୍ତ ଓ ଦୁଖ ଭୁଲନ୍ତି ସଭିଏଁ । ମକରରେ ପୁରପଲ୍ଲୀ ସବୁଠି ଘରେ ଘରେ ଆରିସା କାକରା, ମଣ୍ଡା, ଖିରି, ପୁରୀ ଆଦି ନାନା ରକମର ପିଠାପଣା ସାଙ୍ଗକୁ ମାଛ ମାଂସର ମହ ମହ ବାସ୍ନା ପୂରା ପରିବେଶକୁ ମହକାଇ ଦିଏ । ଗାଁ ଗାଁରେ ଧୁମସା ମାଦଳର ତାଳେ ତାଳେ ଆଦିବାସୀ ନୃତ୍ୟଗୀତର ଆସର ଜମେ । ଏଥି ସହିତ ମେଳା ମହୋତ୍ସବ ନାଚଗୀତ ସାଙ୍ଗକୁ ବିଭିନ୍ନ ପ୍ରକାର ସ୍ପୋର୍ଟସର ମଧ୍ୟ ଆୟୋଜନ ହୁଏ । ଗାଁ ଗାଁରେ ଏହି ସମୟରେ ଏକ ବହୁ ଚର୍ଚ୍ଚିତ ଲୋକଗୀତ ବି ଶୁଣିବାକୁ ମିଳେ ମକର ସମୟରେ 'ମହୁଆ ବନେ, ବାଦଲ ଦିନେ, ହାଣ୍ଡିଆ ପିଇ ମାତାଲ ନାଗର, ଆସେ ଛପି ଛପି.... ।'
ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ହେଉଥିବାରୁ ଏହାକୁ ନବବର୍ଷ ଭାବେ ପାଳନ କରନ୍ତି ମୟୂରଭଞ୍ଜବାସୀ । କୃଷିଜୀବୀ ମଣିଷମାନେ ନୂତନ ବର୍ଷରେ ଚାଷକାର୍ଯ୍ୟ କିପରି ଭଲ ହେବ ସେଥିପାଇଁ ପ୍ରାର୍ଥନା କରନ୍ତି । ମକର ଦିନ ବଡିଭୋରରୁ ଉଠି ଜଳାଶୟକୁ ଯାଇ ବୁଡ ପକାଇବା ସହ ନୂଆ ଲୁଗା ପିନ୍ଧି ସମସ୍ତେ ମକରକୁମା ଜାଳି ନିଆଁ ପୁଅଁନ୍ତି । (ମକରପଲା-କୁଟା ବାଉଁଶ, ତାଳ ବାହୁଙ୍ଗା ଓ ଖଜୁରୀ ବାହୁଙ୍ଗାରେ ନିର୍ମିତ । ଯାହାକୁ ମକର ଦିନ ଭୋରରେ ନିଆଁ ପୁଇଁବା ପାଇଁ ସ୍ୱତନ୍ତ୍ର ଭାବେ ପୂର୍ବରୁ ପ୍ରସ୍ତୁତ କରାଯାଇଥାଏ) । ଜିଲ୍ଲା ବାହାରେ ଥିବା ମୟୂରଭଞ୍ଜିଆ ସଭିଏଁ ନିଜ ଜନ୍ମମାଟିରେ ଏକାଠି ହୁଅନ୍ତି ମକର ସମୟରେ । ବଣପାହାଡଘେରା ପ୍ରକୃତିର ଶୋଭାରାଜିରେ ଭରପୁର ଏ ଜିଲ୍ଲାର ବିଭିନ୍ନ ସ୍ଥାନରେ ମକର ସମୟରେ ବିଭିନ୍ନ ପ୍ରକାର ଉତ୍ସବ ଆୟୋଜିତ ହୁଏ ।
ଗାଁ ଗାଁରେ ବିଭିନ୍ନ ପ୍ରକାର କ୍ରୀଡା କୌତୁକ ଅନୁଷ୍ଠିତ ହୁଏ । ଯାହାକୁ ସ୍ଥାନୀୟ ଲୋକେ ଇସ୍ପୋଟ ଖେଳ ବୋଲି କହିଥାନ୍ତି । କେଉଁଠି ସାହିତ୍ୟ ଆସର ଜମେ ତ କେଉଁଠି ଅଷ୍ଟପ୍ରହର ନାମ ଯଜ୍ଞ ସାଙ୍ଗକୁ ସତ୍ସଙ୍ଗ, ପୁଣି କେଉଁଠି ପାଲା ସଂସ୍କୃତିର ଝଲକ ଦେଖିବାକୁ ମିଳେ ତ କେଉଠି ପୁଣି ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ଅଭିନୀତ ନାଟକ ମଞ୍ଚସ୍ଥ ହୁଏ। କେତେକ ସ୍ଥାନରେ ୧୫ଦିନରୁ ଅଧିକ ସମୟ ଧରି ମେଳା ମଉଚ୍ଛବ ବସେ । ଓଡ଼ିଶାର ନାମକରା ଯାତ୍ରାଦଳଙ୍କର ଆଗମନ ବି ହୁଏ । ବିଶେଷକରି ଭୀମକୁଣ୍ଡ, ଦେବକୁଣ୍ଡ, ସମୀବୃକ୍ଷ, କେଶରୀକୁଣ୍ଡ, ଦୁଆରଶୁଣି ଘାଟି, ରଙ୍ଗାମାଟିଆ ଏମିତି ଜିଲ୍ଲାର ବିଭିନ୍ନ ସ୍ଥାନରେ ମକରମେଳା ବା ଭୀମମେଳା ଆୟୋଜିତ ହୁଏ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଦିବାସୀ ନୃତ୍ୟଗୀତର ଆସର ସାଙ୍ଗକୁ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୁଏ ।