ଭୁବନେଶ୍ୱର, ୧୩/୦୧: ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମ୍କେଭିୱାଇ) ଅଧୀନରେ ସୋଆ ବିଶ୍ୱବିଦ୍ୟାଳୟ ଠାରେ ଦକ୍ଷତା ବିକାଶ ନିମନ୍ତେ ତାଲିମ ପାଇଥିବା ଛାତ୍ର ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ।
ଏକ ବିଶେଷ ଉତ୍ସବରେ ତାଲିମ ଗ୍ରହଣ କରିଥିବା ୮ମ ବ୍ୟାଚର ଛାତ୍ର ମାନଙ୍କୁ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରଫେସର ନନ୍ଦ ଏହି ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବଗୋଷ୍ଠୀଙ୍କୁ ବିଭିନ୍ନ ଶିଳ୍ପ ନିମନ୍ତେ ପ୍ରସ୍ତୁତ କରାଯାଇପାରୁଛି ବୋଲି କହିଥିଲେ। ସୋଆ ବୈଷୟିକ ଶିକ୍ଷା ଓ ଶିଳ୍ପ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରୁଛି ବୋଲି ସେ ପ୍ରକାଶ କରିଥିଲେ। ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନ୍ସେସ୍ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସ୍କିଲ ହବ୍ ଇନିସିଏଟିଭ୍ ଯୋଜନା ଅଧୀନରେ ପିଏମ୍କେଭିୱାଇ କାର୍ଯ୍ୟକ୍ରମ ପରିଚାଳିତ ହେଉଛି। ଏହି କାର୍ଯ୍ୟକ୍ରମରେ ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ତଥା ସେଂଟର ଫର୍ ସ୍କିଲ୍ ଡେଭଲପ୍ମେଂଟ ଆଣ୍ଡ ଏନ୍ଟରପ୍ରିନିୟରସିପ୍ର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ।
ସ୍କିଲ୍ ଡେଭଲପ୍ମେଂଟ ଆଣ୍ଡ ଏନ୍ଟରପ୍ରିନିୟରସିପ୍ର ଡେପୁଟି ଜେନେରାଲ ମ୍ୟାନେଜର ଶ୍ରୀ ଅଶୋକ କୁମାର ନାୟକ ମଧ୍ୟ ଏହି ଅବସରରେ ନିଜର ମତ ରଖିଥିଲେ। ଅନ୍ୟପଟେ ଶ୍ରୀ ରାମକୃଷ୍ଣ ମହାନ୍ତି ଏହି କାର୍ଯ୍ୟକ୍ରମର ପରିଚାଳନା ଭାର ସମ୍ଭାଳିଥିଲେ ।