ଭୁବନେଶ୍ୱର, ୧୪/୦୧ : ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପକୁ ବଡ଼ ଉପଲବ୍ଧି। ନୟାଗଡ଼ ଜିଲ୍ଲା ବୁଗୁଡ଼ା ଏବଂ ବାଣିଗୋଚ୍ଛା ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ ନମ୍ବର T3ର ସଫଳ ନିର୍ମାଣ। ଜାନୁଆରୀ ୧୩ ତାରିଖରେ ନୂତନ ଅଷ୍ଟ୍ରିଆନ୍ ଟନେଲିଂ ପଦ୍ଧତିରେ ୨,୬୨୦ ମିଟର ଲମ୍ବ ଏବଂ ୨-ଡିଗ୍ରୀ ବକ୍ର ବିଶିଷ୍ଟ ଏହି ସୁଡ଼ଙ୍ଗର ଖନନ ସମାପ୍ତ ହୋଇଛି।
T3 ହେଉଛି ନୟାଗଡ଼ ଜିଲ୍ଲାର ସବୁଠାରୁ ଲମ୍ବା ସୁଡ଼ଙ୍ଗ। ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ମଧ୍ୟରେ ଚାଲୁଥିବା ସମଗ୍ର ରେଳ ଲାଇନ ପ୍ରକଳ୍ପରେ T3 ହେଉଛି ଦ୍ୱିତୀୟ ଲମ୍ବା ସୁଡ଼ଙ୍ଗ। ସୁଡ଼ଙ୍ଗର ଖନନରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ମେସିନ୍ ନିୟୋଜିତ କରାଯାଇଥିଲା। ଯାହା ପୂର୍ବ ଘାଟର ଦୁର୍ଗମ ଭୂଖଣ୍ଡ ପାଇଁ ଡିଜାଇନ୍ କରାଯାଇଥିଲା। ଏହି ଐତିହାସିକ ସଫଳତା ଓଡ଼ିଶାର ପୂର୍ବ ଏବଂ ପଶ୍ଚିମ ଅଂଶକୁ ସଂଯୋଗ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଅଞ୍ଚଳର ପରିବହନ ଏବଂ ଆର୍ଥିକ ସମ୍ଭାବନାକୁ ବୃଦ୍ଧି କରିବ।
ସୁଡ଼ଙ୍ଗ ନିର୍ମାଣରେ ପ୍ରମୁଖ ଚ୍ୟାଲେଞ୍ଜ-
୩୦୧ କିଲୋମିଟର ବିଶିଷ୍ଟ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପରେ ଅନେକ ଚ୍ୟାଲେଞ୍ଜ୍ ରହିଛି। ବିଶେଷ କରି ଟନେଲ୍ ନିର୍ମାଣ କରିବା ଆହ୍ଵାନପୂର୍ଣ୍ଣ ଥିଲା। ଏହି ପ୍ରକଳ୍ପରେ ୭୫ କିଲୋମିଟର ମଧ୍ୟରେ ୭ଟି ସୁଡ଼ଙ୍ଗ ରହିଛି। ସବୁ ଟନେଲ୍ ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ରହିଛି। ଏହି ସୁଡ଼ଙ୍ଗର ନିର୍ମାଣ ପ୍ରକଳ୍ପର ସବୁଠୁ ଜଟିଳ କାମ ଥିଲା। ଏହି ଟନେଲ ଗୁଡ଼ିକ ମଧ୍ୟରୁ, ୪.୮୮୫ କିଲୋମିଟର ବିଶିଷ୍ଟ ୭ ନଂ ସୁଡ଼ଙ୍ଗ ପୂର୍ବରୁ ସଫଳତାପୂର୍ବକ ନିର୍ମାଣ ସରିଛି। ଏତଦ୍ ବ୍ୟତୀତ ୧ନଂ, ୩ନଂ, ଏବଂ ଅନ୍ୟ ଟନେଲ ଗୁଡ଼ିକର ନିର୍ମାଣ ସରିଛି। ମାଟିର ଘନତା ଏବଂ ପଥର ଗଠନ ସମେତ ଭୌଗୋଳିକ ପରିସ୍ଥିତି ପରିଚାଳନା ପାଇଁ ନୂତନ କୌଶଳ ବ୍ୟବହାର କରି ସୁଡ଼ଙ୍ଗ ଗୁଡ଼ିକ ନିର୍ମାଣ କରାଯାଉଛି।
ସୁଡ଼ଙ୍ଗ ସହ ଜଡ଼ିତ ମୁଖ୍ୟ ତଥ୍ୟ:
• ନିର୍ମାଣାଧୀନ ସାତଟି ସୁଡ଼ଙ୍ଗର ମୋଟ ଲମ୍ବ ୧୨.୭୬ କିଲୋମିଟର।
• ବୁଗୁଡ଼ା ଏବଂ ବାଣିଗୋଚ୍ଛା ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ ନମ୍ବର T3ର ଲମ୍ଵ ୨୬୨୦ ମିଟର ଏବଂ 2-ଡିଗ୍ରୀ ବକ୍ର।
• ସବୁଠାରୁ ଲମ୍ବା ସୁଡ଼ଙ୍ଗ ୪.୮୮୫ କିଲୋମିଟର ବ୍ୟାପିଛି। ଯାହା ଆଧେନିଗଡ଼ ନିକଟରେ ଅବସ୍ଥିତ। ଯେଉଁଥିରେ ସୁରକ୍ଷା ପାଇଁ ୭୦୦ ମିଟର ଏସ୍କେପ୍ ଟନେଲ୍ ରହିଛି।
• ଏପର୍ଯ୍ୟନ୍ତ ସାତଟି ସୁଡ଼ଙ୍ଗ ମଧ୍ୟରୁ ୪ଟିର ନିର୍ମାଣ ସଫଳତାର ସହ ସମାପ୍ତ ହୋଇଛି।
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ଆଞ୍ଚଳିକ ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ପ୍ରକଳ୍ପରେ ମୋଟ ୨୧୫ କିଲୋମିଟର ରେଳ ଲାଇନ ସମ୍ପୂର୍ଣ୍ଣ ହୋଇଛି। ଯେଉଁଥିରେ ଖୋର୍ଦ୍ଧା ରୋଡ୍ ରୁ ଦଶପଲ୍ଲା ପର୍ଯ୍ୟନ୍ତ ୧୦୫.୮ କିଲୋମିଟର ଏବଂ ବଲାଙ୍ଗୀରରୁ ପୁରୁଣାକଟକ ପର୍ଯ୍ୟନ୍ତ ୧୦୯ କିଲୋମିଟର ଅନ୍ତର୍ଭୁକ୍ତ। ପୁରୁଣାକଟକରୁ ଆଧେନିଗଡ଼ ପର୍ଯ୍ୟନ୍ତ ଅବଶିଷ୍ଟ ଅଂଶଗୁଡ଼ିକ ଆଗାମୀ ମାସଗୁଡ଼ିକରେ ସମାପ୍ତ ହେବାର ଆଶା କରାଯାଉଛି। ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ପରେ, ଏହି ରେଳ ଲାଇନ ଭୁବନେଶ୍ୱର ଏବଂ ବଲାଙ୍ଗୀର ମଧ୍ୟରେ ଯାତ୍ରା ସମୟକୁ ବହୁ ପରିମାଣରେ ହ୍ରାସ କରିବ। ଏହି ପ୍ରକଳ୍ପ ଓଡ଼ିଶାରେ ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ଭାରତୀୟ ରେଳବାଇ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପଦକ୍ଷେପ। ଏହି ରେଳ ଲାଇନ ସମ୍ପୂର୍ଣ୍ଣ ହେବା ପରେ, ଏହା ଆର୍ଥିକ ବିକାଶକୁ ବୃଦ୍ଧି କରିବ। ବାଣିଜ୍ୟକୁ ସମୃଦ୍ଧ କରିବ ଏବଂ ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିବ। ଏହାଦ୍ଵାରା ଯାତ୍ରୀ ଏବଂ ମାଲ ପରିବହନ ଉଭୟକୁ ଲାଭଦାୟକ ହେବ।