ଏକଲାପଣ ନିଃସଙ୍ଗତା ସହ ଜଡ଼ିତ ହେଲେ ମଧ୍ୟ ଏହା ଏକ ଭାବଗତ ଓ ଦୁଃଖଦ ମୁହୂର୍ତ୍ତର ଅନୁଭୂତି, ଯାହାକି ସାମାଜିକ ଯନ୍ତ୍ରଣା ଅଟେ । ମନୁଷ୍ୟ ଏକ ସାମାଜିକ ପ୍ରାଣୀ ଏବଂ ସର୍ବଦା ସାମାଜିକ ସମ୍ପର୍କ ସହ ଅନ୍ୟମାନଙ୍କ ସହ ମିଶିବା, ନିଜର ସୁଖ-ଦୁଃଖକୁ ପରିପ୍ରକାଶ କରିବା ଓ ପାରିବାରିକ ବନ୍ଧନରେ ନିଜକୁ ସାମିଲ କରିବାକୁ ପସନ୍ଦ କରିଥାଏ । ଏହା ଏକ ମାନସିକ ପ୍ରକ୍ରିୟା ଯାହା ସ୍ୱତଃ ସାମାଜିକ ସମ୍ପର୍କ ସହିତ ଜଡ଼ିତ ହୋଇଥାଏ । ଯେତେବେଳେ ସେ ସାମାଜିକ ସମ୍ପର୍କ ଠାରୁ ବିଚ୍ଛିନ୍ନ ହୋଇ ନିଃସଙ୍ଗତାକୁ ଆପଣାଇ ନିଏ, ସେହିଠାରୁ ଏକଲାପଣର ସୃଷ୍ଟି ବୋଲି ଧରିନିଆଯାଏ । ଏମିତିବି ହୋଇପାରେ, କୌଣସି ବ୍ୟକ୍ତିର ସାମାଜିକ ସମ୍ପର୍କ ଥାଇ ମଧ୍ୟ ସେ ବିଭିନ୍ନ କାରଣ ପାଇଁ ନିଃସଙ୍ଗତା ଦେଇ ଗତି କରିଥାଏ । ଅନେକ ଗବେଷଣାରୁ ଜଣାଯାଏ ଯେ, ସମାଜରେ ଉତ୍ତମ ବୈବାହିକ ସମ୍ପର୍କ ସହ ସଫଳ କାର୍ଯ୍ୟନିର୍ବାହ ପନ୍ଥା ଥାଇ ମଧ୍ୟ ଜୀବନର କିଛି ନିର୍ଦ୍ଦିଷ୍ଟ କ୍ଷଣରେ ଏକଲାପଣକୁ ଅନୁଭବ କରିହୁଏ । ଏହା ସର୍ବାଧିକ ଯୁବକ-ଯୁବତୀଙ୍କ କ୍ଷେତ୍ରରେ ଦେଖାଯାଇଥାଏ। ବି.ବି.ସି.ର ଏକ ନିଃସଙ୍ଗତା ସର୍ବେକ୍ଷଣ ଅନୁଯାୟୀ, ୧୬ରୁ ୨୪ବର୍ଷ ବୟସ୍କଙ୍କ ମଧ୍ୟରେ ୪୦% ଏହାକୁ ଅନୁଭବ କରୁଥିବାବେଳେ ୭୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ୨୭% ଅଟେ । ମାନସିକ ବିଶାରଦମାନେ କୁହନ୍ତି ଏହା ମହାମାରୀ ଭଳି ବ୍ୟାପିଲାଣି । ତେଣୁ ଏହାର ଡାକ୍ତରୀ ଚିକିତ୍ସା ସହ ସାମାଜିକ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯିବା ଜରୁରି ଅଟେ ।
ସମସ୍ତଙ୍କ ପାଇଁ ଜୀବନ ଧାରଣାର ମାନ ସମାନ ହୋଇନଥାଏ । ଯିଏ ଯେଉଁ ଦୃଷ୍ଟିଭଙ୍ଗୀରେ ଦେଖେ ଓ ଅନୁଭବ କରେ ଜୀବନ ତା’ ସମ୍ମୁଖରେ ସେମିତି ରଙ୍ଗରୂପ ନେଇ ଉଭା ହୁଏ । ପ୍ରତ୍ୟେକ ବ୍ୟକ୍ତି ନିଜ ଅନୁଭୂତିର ଆଇନାରେ ଜୀବନର ପ୍ରତିଚ୍ଛବିକୁ ଦେଖିଥାଏ । ଦୁଃଖ, ଯନ୍ତ୍ରଣା ଓ ପ୍ରତିକୂଳ ପରିସ୍ଥିତିକୁ ସମ୍ଭାଳିନପାରି ଜୀବନ ଠାରୁ ମୁହଁ ବୁଲାଇ ଦେଉଥିବା ମଣିଷ ପୁଣି ଜିଇଁବାର ସ୍ୱପ୍ନ ଦେଖେ । ପ୍ରତ୍ୟେକ ପରିସ୍ଥିତିକୁ ସାମ୍ନା କରି ଆଗେଇ ଚାଲିବାରେ ସେ ସନ୍ତୁଷ୍ଟି ପାଏ । ମାତ୍ର ତାକୁ ଜାବୁଡ଼ି ଧରି ଚିନ୍ତା କଲେ ନିଃସଙ୍ଗବୋଧ ଅନୁଭବ କରେ ଏବଂ ବାହାର ଦୁନିଆ ଠାରୁ ମୁହଁ ଫେରାଇନେଲେ ଏହା ଆହୁରି ଉଗ୍ରରୂପ ଧାରଣ କରି ନିଜର କ୍ଷତି ପହଞ୍ଚାଇଥାଏ । ଏହା ସମୟ ଓ ବ୍ୟକ୍ତିବିଶେଷଙ୍କର ମାନସିକ ସ୍ଥିତି, ମନୋଭାବ ଅନୁସାରେ ନିଜସ୍ୱ ଅଟେ ଏବଂ କ୍ଷଣସ୍ଥାୟୀ ବା ଦୀର୍ଘସମୟ ପର୍ଯ୍ୟନ୍ତ ଦେଖାଦେଇଥାଏ । ଯେତେବେଳେ ଜଣେ ଏକୁଟିଆ ରହେ ନିଃସଙ୍ଗତା ସାଧାରଣତଃ ଦେଖାଦିଏ ।
ଏହାର ଅର୍ଥ ନୁହେଁ ଯେ, ଯିଏ ସାମାଜିକ ସମ୍ପର୍କ, ସାଙ୍ଗସାଥୀ ଓ ପରିବାର ଭିତରେ ରହୁଥିବ ତାହାର ନିଃସଙ୍ଗତା ନଥିବ । ତେବେ ଏହା ଏକ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଅଟେ । ଦୀର୍ଘ ସମୟ ରହିଲେ ଏହାର ନାକାରାତ୍ମକ ପ୍ରଭାବ ସ୍ୱାସ୍ଥ୍ୟ ଉପରେ ରହିବ ଏବଂ ସର୍ବଦା ବିଷାଦଗ୍ରସ୍ତ, ବ୍ୟଗ୍ରତା ଓ ନିଦ୍ରାହୀନତା ଇତ୍ୟାଦି ସମସ୍ୟା ନେଇ ଚାପଗ୍ରସ୍ତ ରହିବେ । ଜୀବନ ସ୍ରୋତରେ ପ୍ରତ୍ୟେକ ମଣିଷକୁ ଶୈଶବ, ଯୌବନ ଓ ବାର୍ଦ୍ଧକ୍ୟ ଦେଇ ଗତି କରିବାକୁ ହୋଇଥାଏ । ଶାରୀରିକ ଓ ମାନସିକ ସ୍ତରରେ ବୟସ ବୃଦ୍ଧି ଘଟିଲେ ସେ କ୍ରମେ ଦୁର୍ବଳ ହୋଇଯାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତି ସେ ଚାକିରିଆ, ବ୍ୟବସାୟୀ ହୋଇଥାଉ ଅବା ବୃତ୍ତିଧାରୀ, ସମାଜସେବୀ ଓ ନେତା ହୋଇଥାଉ, ବୟସ ବୃଦ୍ଧି ସଙ୍ଗେ କର୍ମମୟ ଜୀବନରେ କ୍ଳାନ୍ତ ଅନୁଭବ କରେ ଓ ବିଶ୍ରାମ ଚାହିଁଥାଏ । ଅନେକ ସମୟରେ ମାନସିକ ଅବସାଦ, ବିଷାଦଗ୍ରସ୍ତ ଏବଂ ବ୍ୟଗ୍ରତା ପାଇଁ ବ୍ୟତିବ୍ୟସ୍ତ ହୋଇପଡ଼େ, ଯାହା ନିଃସଙ୍ଗତା ଆଡ଼କୁ ଟାଣିନିଏ । ପ୍ରତ୍ୟେକ ମନୁଷ୍ୟ ଉତ୍ତମ ଭାବରେ ବଞ୍ଚିବାର ନୈତିକ ଅଧିକାର ଅଛି । ସ୍ଥାନ, କାଳ ଓ ପାତ୍ର ଅନୁଯାୟୀ ଏହା ଭିନ୍ନ ହେଲେ ମଧ୍ୟ ସ୍ୱାଧୀନ ଜୀବନ ଅତିବାହିତ କରିବା ସମ୍ପୂର୍ଣ୍ଣ ନିଜସ୍ୱ ବ୍ୟାପାର ଅଟେ । ପରିସ୍ଥିତି ଓ ପରମ୍ପରାକୁ ଧରି ଜୀବନରେ ଆଗେଇବାକୁ ହୋଇଥାଏ । ସମୟର ପରିବର୍ତ୍ତନ ସହ ଏହାର ପରିବର୍ତ୍ତନ ମଧ୍ୟ ହେଉଅଛି । ପରିବର୍ତ୍ତିତ ସାମାଜିକ ବ୍ୟବସ୍ଥାରେ ଯୌଥ ପରିବାର କାଳକ୍ରମେ ଲୋପପାଇ ଏକକ ପରିବାର ସୃଷ୍ଟି ହେଲା ଏବଂ ଅସହାୟ ବୃଦ୍ଧ ପିତାମାତା ଏକକ ପରିବାର ଉପରେ ବୋଝ ବୋଲି ବିବେଚନା ହେଉଛି ।
ସନ୍ତାନ-ସନ୍ତତିମାନେ ନିଜ କର୍ମମୟ ଜୀବନ ତଥା ରୋଜଗାରରେ ବ୍ୟସ୍ତ ଥାଇ ପିତାମାତାଙ୍କୁ ଅବହେଳା ପ୍ରଦର୍ଶନ କରିବା ହେତୁ ସେମାନଙ୍କୁ ଏକୁଟିଆ ଓ ନିଃସଙ୍ଗତା ମଧ୍ୟରେ ସମୟ କାଟିବାକୁ ପଡୁଅଛି । ବରିଷ୍ଠମାନେ ମନରେ ଅନେକ ଦୁଃଖକଷ୍ଟ ଅନୁଭବ କରି ଜରା-ନିବାସକୁ ଅଧିକ ପସନ୍ଦ କରୁଛନ୍ତି, କାରଣ ସେଠାରେ ସମବୟସ୍କ ଓ ସମଦଶା ଭୋଗୁଥିବା ବ୍ୟକ୍ତିମାନଙ୍କ ସହିତ ମନଖୋଲା ଆଲୋଚନା ଦ୍ୱାରା ନିଜର ଦୁଃଖ ଲାଘବ ସହ ଏକଲାପଣରୁ ରକ୍ଷା ପାଇପାରିବେ । ପୁଣି କୃଷିକ୍ଷେତ୍ରରୁ ମୁହଁ ଫେରାଇବା ଓ ଜନ୍ମକ୍ଷେତ୍ର ଠାରୁ ଦୂରେଇ ରହି ଏକାଠି ରହିବାର ସମ୍ଭାବନାକୁ କ୍ଷୀଣ କରିବା ଏବଂ ସମୟର ସଦ୍ବ୍ୟବହାର ନକରି ଆଳସ୍ୟପଣ ହିଁ ନିଃସଙ୍ଗତାକୁ ଜନ୍ମ ଦେଇଥାଏ । ବୟସ୍କ ଲୋକମାନଙ୍କର ମାନସିକତା ସହ ଖାପଖୁଆଇ ଅନ୍ୟ ସଦସ୍ୟମାନେ ନିଜକୁ ନିୟନ୍ତ୍ରଣ କରିବା କ୍ରମେ ଲୋପ ପାଉଥିବାରୁ ନିଃସଙ୍ଗତାର ଆତ୍ମପ୍ରକାଶ ଘଟୁଛି ।
ଏକଲାପଣ ବା ନିଃସଙ୍ଗତା ଯେହେତୁ ଏକ ମାନସିକ ଅବସ୍ଥା ଦେଇ ଗତି କରିଥାଏ, ଏହାର ଅନେକ କାରଣର ତର୍ଜମା ଆବଶ୍ୟକ ପଡିଥାଏ। କେତେକ ବ୍ୟକ୍ତିଙ୍କର ଏହା ବଂଶଗତ ଥିଲାବେଳେ, କେତେକଙ୍କ ପାଇଁ ସାମାଜିକ ଓ ସାଂସ୍କୃତିକ ଘଟଣା ହିଁ ଦାୟୀ ହୋଇଥାଏ । ତାତ୍ପର୍ଯ୍ୟପୂର୍ଣ୍ଣ ସମ୍ପର୍କର ଅଭାବ ସହିତ ନିଜସ୍ୱ ଭାବନା ଓ ବିଚାରଧାରା ହିଁ କେତେକାଂଶରେ ଏଥିପାଇଁ ଦାୟୀ ରହିଥାଏ । ଅତ୍ୟଧିକ ଯାନ୍ତ୍ରିକ ବିଜ୍ଞାନ ଯଥା କମ୍ପ୍ୟୁଟର ଓ ଇଣ୍ଟରନେଟ୍ ଉପରେ ନିର୍ଭରଶୀଳ ହେଉଥିବାରୁ ଏହାର ସୃଷ୍ଟି ମଧ୍ୟ ହୋଇଥାଏ । ପ୍ରିୟଜନଙ୍କ ବିୟୋଗ, ଅବସର, ଚାକିରି ବା ରୋଜଗାର ପନ୍ଥାର ପରିବର୍ତ୍ତନ କିମ୍ବା କୌଣସି ନୂଆ ଦେଶ ବା ସ୍ଥାନକୁ ବିନା ପରିବାର, ସାଙ୍ଗସାଥୀ ଓ ବନ୍ଧୁ-ପରିଜନଙ୍କୁ ଛାଡ଼ି ସ୍ଥାୟୀ ବା ଦୀର୍ଘସମୟ ପାଇଁ ଯିବାଦ୍ୱାରା ଏକଲାପଣ ସୃଷ୍ଟି ହୋଇଥାଏ । ଏତଦ୍ ବ୍ୟତୀତ ପ୍ରଥମଥର ପିତା-ମାତା ହେବା କିମ୍ବା ଏକୁଟିଆ ସମସ୍ତ ସାମାଜିକ ସମ୍ପର୍କ ତୁଟାଇ କାହାର ସେବା-ଯତ୍ନ କରିବା, କୌଣସି ଅଞ୍ଚଳରେ ଅନ୍ୟମାନଙ୍କ ଠାରୁ ଭିନ୍ନ ହୋଇ ଏକ ସଂଖ୍ୟାଲଘୁ ଗୋଷ୍ଠୀ ହିସାବରେ ବସବାସ କରିବା ଓ ସାମାଜିକ କଟକଣା ପାଇଁ ଅର୍ଥାଭାବ ଯୋଗୁଁ ନିଃସଙ୍ଗତା ମଧ୍ୟ ପ୍ରକାଶ ପାଇଥାଏ । ବେଳେବେଳେ ଲିଙ୍ଗଗତ ବା ଜନ୍ମଗତ ଭିନ୍ନତା ପାଇଁ ମନୁଷ୍ୟ ଏହାକୁ ଆପଣାଇଥାଏ ।
ପ୍ରତ୍ୟେକ ସମସ୍ୟାର ସମାଧାନ ଥାଏ ଓ ନିଃସଙ୍ଗତାର ମଧ୍ୟ କେତେକ ନିରାକରଣ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିଥାଏ । ସର୍ବପ୍ରଥମେ ଯିଏ ଯେଉଁ କର୍ମସ୍ଥଳୀରେ ଥାଉନା କାହିଁକି, ନିଜକୁ ସହଜ ଅନୁଭବ କରିବା ଉଚିତ୍ ଏବଂ ଏହା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ନୁହେଁ ବୋଲି ଗ୍ରହଣ କରିବାକୁ ହେବ । ନିଜକୁ ସବୁବେଳେ ଏକୁଟିଆରେ ସୀମିତ ନରଖି ଜଣାଶୁଣା ଲୋକଙ୍କ ସାଙ୍ଗରେ ଖୋଲା ମିଶିବା ଦରକାର । ନୂତନ ସମ୍ପର୍କ ତିଆରି କରିବା, ସାଙ୍ଗସାଥୀ ମେଳରେ ସମୟ ବିତାଇବା ଓ ନିଜର ମନୋରଞ୍ଜନ ପାଇଁ ସର୍ବଦା ଯତ୍ନବାନ ହେବା ଆବଶ୍ୟକ। ପୁସ୍ତକ ପଠନ କରିବା, ବଗିଚାରେ କାମ କରିବା ଏବଂ ନିୟମିତ ବ୍ୟାୟାମ ଓ ଖେଳିବା ଦ୍ୱାରା ଏକଲାପଣ ଦୂର ହୋଇଯିବ । ସର୍ବଦା ନିଜକୁ ଦେଖି ଅନ୍ୟମାନଙ୍କ ସହିତ ତୁଳନା ନକରି, ଖୁସି ରହିବା ଆବଶ୍ୟକ । ନିଜ ରାଜ୍ୟ, ଦେଶ ଓ ଭାଷାକୁ ଭଲପାଅ । ନିଜର କୌଣସି ଅସୁସ୍ଥତା ଥିଲେ ଚିକିତ୍ସା ପ୍ରତି ଧ୍ୟାନ ଦିଆଯିବା ଓ ନିଃସଙ୍ଗତା ଦୂର ପାଇଁ ସମସ୍ତ ପଦକ୍ଷେପ ନେବା ଉଚିତ୍ ହେବ ।
ନିଃସଙ୍ଗତାବୋଧ ଏକ ମାନସିକ ଅପୂର୍ଣ୍ଣତା, ଯାହା ଶାରୀରିକ ଅସୁସ୍ଥତା ଆଡକୁ ବାଟ କଢ଼ାଇନିଏ । ଏହା କେବଳ ଆମ ଦେଶ ନୁହେଁ ବରଂ ପୃଥିବୀର ପ୍ରାୟ ସବୁ ଦେଶ ତଥା ଆମେରିକା ଭଳି ଉନ୍ନତ ଦେଶରେ ଅଧିକ ଅନୁଭୂତ ହେଉଛି । ଯୁକ୍ତରାଷ୍ଟ୍ରର ସର୍ଜ୍ଜନ ଜେନେରାଲ ବିବେକ ମୂର୍ତ୍ତିଙ୍କର ରିପୋର୍ଟରୁ ଜଣାଯାଏ ଯେ, ନିଃସଙ୍ଗତା ଯୋଗୁଁ ମାନସିକ କ୍ଷତିର ଆକଳନ ଅକଳ୍ପନୀୟ । ଏହା ଆଣିଦେଉଛି ଉଦ୍ବେଗ, ଉଦାସୀନତା, ବିଷାଦ, ବିସ୍ମିତ, ଅତୀତ ପ୍ରତି ଅସୁଖତା ଓ ଭବିଷ୍ୟତ ପ୍ରତି ବ୍ୟସ୍ତତା । ସାମାଜିକ ପରିବେଶ, ଅର୍ଥନୈତିକ ପ୍ରତିବନ୍ଧକ, ସାଂସ୍କୃତିକ ଓ ଧର୍ମଭାବନା ଏଥିରେ ଓତପ୍ରୋତ ଭାବରେ ଜଡ଼ିତ । ମାନସିକ ଅସନ୍ତୋଷ ଭାବର ଅନ୍ତ ଘଟିଲେ ଏହି ସମସ୍ୟାର ସମାଧାନ ମଧ୍ୟ ହୋଇଯିବ । ଏଥିପାଇଁ ପ୍ରତ୍ୟେକ ବର୍ଗ ଲୋକଙ୍କର ଆର୍ôଥକ ଅବସ୍ଥାରେ ଉନ୍ନତି, ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାରର ସୁଯୋଗ ପ୍ରଦାନ ସହ ସରକାରୀ ସଚେତନତାର ଆବଶ୍ୟକତା ରହିଅଛି ।