ସମ୍ବଲପୁର,୧୯/୦୩ (ବିନୋଦ କୁମାର ବେହେରା) : ଜନ୍ମରୁ ଭିନ୍ନକ୍ଷମ । ଦିନେ ସମ୍ବଲପୁର ରୋଡ୍ ଷ୍ଟେସନ ବାହାରେ ଭିକ୍ଷାବୃତ୍ତି କରି ଚଳୁଥିଲେ । ବିଭିନ୍ନ ଲୋକଙ୍କ ସହାନୁଭୂତି ଓ ସାହାଯ୍ୟ ସହଯୋଗରେ ଦିନ କଟୁଥିଲା । ଅସହାୟ ଓ ଭିନ୍ନକ୍ଷମଙ୍କୁ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଥିଲା ସ୍ୱତନ୍ତ୍ର ଅଭିଯାନ । ରାସ୍ତାକଡ଼ରୁ ନେଇ ଥଇଥାନ କେନ୍ଦ୍ରରେ ରଖିବା ପାଇଁ ପ୍ରକ୍ରିୟା ଆରମ୍ଭ ହେଲା । ହେଲେ ଥଇଥାନ କେନ୍ଦ୍ର ନଯାଇ ନିଜେ ଆତ୍ମନିର୍ଭର ହୋଇ ବଞ୍ଚିବାକୁ ସେ ନିଷ୍ପତ୍ତି ନେଇଥିଲେ । ସେବେଠାରୁ ଖବର କାଗଜ (କେବଳ ପ୍ରମେୟ) ବିକ୍ରି କରି ଆସୁଛନ୍ତି ।
ଏମିତି ଜଣେ ଦିବ୍ୟାଙ୍ଗ ଆତ୍ମନିର୍ଭର ମଣିଷ ହେଲେ ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ରେମେଡ଼ ଅଞ୍ଚଳର ଲମ୍ବୋଦର ରଣା । ଦୀର୍ଘ ୫ବର୍ଷ ହେଲା ଖବରକାଗଜ ବିକ୍ରି କରୁଥିବା ଲମ୍ବୋଦର ଏବେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଛକରେ ବେଶ ଲୋକପ୍ରିୟ । ରେମେଡ଼ ଅଞ୍ଚଳର ବାସିନ୍ଦା ୩୦ ବର୍ଷୀୟ ଲମ୍ବୋଦର ପିଲାଦିନେ ପୋଲିଓରେ ଆକ୍ରାନ୍ତ ହେଲେ । ଦୁଇଟି ଗୋଡ଼ ଅଚଳ ହୋଇଗଲା । ତେଣୁ ବିନା ସାହାରାରେ ଚାଲିବାକୁ ଅସମର୍ଥ । ଥଇଥାନ କେନ୍ଦ୍ର ଯିବାକୁ ମନା କରିବା ପରେ, କାହାର ହାତଟେକା ସହୟତାରେ ନବଞ୍ଚି, ଖବର କାଗଜ ବିକ୍ରି କରି ଚଳିବାକୁ ସେ ନିଷ୍ପତ୍ତି ନେଇଥିଲେ । ସେବେଠାରୁ ସେ ପ୍ରାୟ ୫ ବର୍ଷ ହେବ ଏହି କାମ କରୁଛନ୍ତି । ଏବେ ସେ ଦୈନିକ ପ୍ରାୟ ୪୦ଟି ଖବର କାଗଜ ବିକୁଛନ୍ତି । ରୋଜଗାର ବେଶି ନୁହେଁ, କିନ୍ତୁ ଏହି ସ୍ୱାଭିମାନୀ ମାନସିକତା ତାଙ୍କୁ ଆତ୍ମସନ୍ତୋଷ ଦେଇଛି ବୋଲି କୁହନ୍ତି ଲମ୍ବୋଦର ।
ଥଇଥାନ କେନ୍ଦ୍ରକୁ ନଯିବାର କାରଣ ସମ୍ପର୍କରେ ଲମ୍ବୋଦର କୁହନ୍ତି, ଥଇଥାନ ହୋଇଥିଲେ ସରକାରୀ ଅନୁଦାନ ଉପରେ ନିର୍ଭରଶୀଳ ହେବାକୁ ପଡ଼ିଥାଆନ୍ତା । ନିଜେ ସ୍ୱାଧୀନ ଭାବେ କିଛି କରିବାକୁ ଅବସର ନଥାନ୍ତା । ତେଣୁ ଏପରି ଦୃଢ଼ ନିଷ୍ପତ୍ତି ନେଲି । ପରେ ଏକାଧିକ ଖବରକାଗଜ ସଂସ୍ଥା ତାଙ୍କୁ ପେପର ବିକ୍ରି କରିବା ପାଇଁ ଅନୁରୋଧ କରିଥିଲେ । ସେ ପ୍ରଥମରୁ ‘ପ୍ରମେୟ’ ସହ ଯୋଡ଼ି ହୋଇଥିବାରୁ ଅନ୍ୟତ୍ର ମନ ବଳାଇ ନାହାନ୍ତି । ‘ପ୍ରମେୟ’ର ବିତରଣ ନୀତିକୁ ସେ ପ୍ରଶଂସା କରିଛନ୍ତି । ସେହିପର ଉତ୍ତମ ବ୍ୟବହାର କାରଣରୁ ସମଗ୍ର ଅଞ୍ଚଳରେ ସେ ଜଣେ ଜଣାଶୁଣା ମଣିଷ ହୋଇପାରିଛନ୍ତି । ଛାତ୍ରଛାତ୍ରୀ କିମ୍ବା ବୁଦ୍ଧିଜୀବୀ, ସମସ୍ତେ ତାଙ୍କଠାରୁ ଖବର କାଗଜ କିଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଶାରୀରିକ ଭିନ୍ନକ୍ଷମ ଭାବେ ସେ ଏବେ ସରକାରଙ୍କଠାରୁ ମାସିକ ୩,୫୦୦ ଟଙ୍କା ଭତ୍ତା ପାଉଛନ୍ତି । ତିନିଚକିଆ ଗାଡ଼ି ଯୋଗାଇ ଦେବାକୁ ପ୍ରଶାସନ କହିଥିବା ବେଳେ ଚଳାଇ ନପାରିବାରୁ ସେ ଏଥିପ୍ରତି ଆଗ୍ରହ ଦେଖାଇ ନଥିଲେ ।
ପ୍ରତିଦିନ ସେ ଭୋରୁ ବସ୍ରେ ପ୍ରାୟ ୫-୬ କିମି ଯାତ୍ରା କରି ରେମେଡ଼ ଛକରୁ ଜିଏମ୍ୟୁ ଛକରେ ପହଞ୍ଚି ପେପର ପସରା ଖୋଲନ୍ତି । ଖୋଲାରେ ବସୁଥିବାରୁ ବର୍ଷା ଓ ଖରାଦିନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଆଗାମୀ ଦିନରେ ସମ୍ଭବ ହେଲେ ପେପର ବିକ୍ରି ସହ ଏକ ଦୋକାନ ଖୋଲିବାକୁ ମଧ୍ୟ ଲମ୍ବୋଦର ଲକ୍ଷ୍ୟ ରଖିଛନ୍ତି । ମାତ୍ର ଏଥିପାଇଁ ଜାଗା ଖଣ୍ଡିଏଁ ମିଳିବାରେ ସମସ୍ୟା ରହିଛି ବୋଲି ସେ କୁହନ୍ତି । ଅନ୍ୟ ଶାରୀରିକ ଭିନ୍ନକ୍ଷମଙ୍କ ପରି ଭିକ୍ଷାବୃତ୍ତି କିମ୍ବା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରରେ ଜୀବନ କାଟିବା ପରିବର୍ତ୍ତେ ଆତ୍ମନିର୍ଭର ହେବା ପାଇଁ ଲମ୍ବୋଦରଙ୍କ ଏହି ଇଚ୍ଛାଶକ୍ତିକୁ ବିଭିନ୍ନ ବର୍ଗ ପ୍ରଶଂସା କରନ୍ତି ।