ପୁରୀ,୦୬/୧୨: ମାର୍ଗଶୀର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିକୁ କୁରାଳ ପଞ୍ଚମୀ ରୂପେ ପାଳନ କରାଯାଏ। ଏହା କୁମ୍ଭକାର ମାନଙ୍କର ଏକ ବଡ଼ ପର୍ବ। କୁରାଳ ପଞ୍ଚମୀ ଠାରୁ ନବମୀ ପର୍ଯ୍ୟନ୍ତ ଏହି ପାଞ୍ଚ ଦିନିଆ ପର୍ବରେ କୁମ୍ଭକାର ମାନେ ରୁଦ୍ରପାଳ ଓ ରତ୍ନେଶ୍ଵରୀଙ୍କୁ ପୂଜା କରିବା ସହ ସେମାନେ ବ୍ୟବହାର କରୁଥିବା ସମସ୍ତ ସରଞ୍ଜାମକୁ ମଧ୍ୟ ପୂଜା କରନ୍ତି । ଏହି ପାଞ୍ଚ ଦିନ କୈାଣସି କାମ ହୋଇ ନଥାଏ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ଥିବା କୁମ୍ଭକାର ମାନେ କୁମ୍ଭାରପଡ଼ା ଠାରେ ରହନ୍ତି । ସେମାନେ ମଧ୍ୟ କୁରାଳ ପଞ୍ଚମୀକୁ ବଡ଼ ଧୁମଧାମରେ ପାଳନ କରନ୍ତି । ଶ୍ରୀମନ୍ଦିରକୁ କୁଡୁଆ ଇତ୍ୟାଦି ସମସ୍ତ ମାଟି ପାତ୍ର କୁମ୍ଭକାର ନିଯୋଗ ଯୋଗାଇଥାଏ । ଦୈନନ୍ଦିନ ବ୍ୟବହାର ହେଉଥିବା କୁଡୁଆ ଦ୍ଵିତୀୟ ଥର ବ୍ୟବହାର ହୁଏ ନାହିଁ । କୁଡୁଆ କାହିଁକି, ବରଂ ମହାପ୍ରଭୁଙ୍କ ପାଇଁ ବ୍ୟବହାର ହେଉଥିବା ସମସ୍ତ ମାଟିପାତ୍ର ଥରେ ମାତ୍ର ବ୍ୟବହାର ହେଇଥାଏ। ତେଣୁ ଶ୍ରୀମନ୍ଦିରରେ ବହୁ ମାତ୍ରାରେ ମାଟିପାତ୍ରରେ ଆବଶ୍ୟକତା ପଡ଼ିଥାଏ ଓ କୁମ୍ଭକାର ନିଯୋଗ ଏହି ସମସ୍ତ ଆବଶ୍ୟକତାକୁ ପୂରଣ କରିଥାଏ।
ଲୋକକଥା ଅନୁଯାୟୀ, କୁମ୍ଭକାର ମାନେ ବିଷ୍ଣୁଙ୍କର ଅଂଶ ରୁଦ୍ରପାଳ ଓ ବ୍ରହ୍ମାଙ୍କ ଝିଅ ରତ୍ନେଶ୍ଵରୀଙ୍କ ଠାରୁ ଜାତ ହୋଇଛନ୍ତି । ସଂସାରକୁ ରନ୍ଧନ ପାତ୍ର ଯୋଗାଉଥିବା ଏହି କୁମ୍ଭକାର ମାନଙ୍କୁ ବିଷ୍ଣୁ ତାଙ୍କର ଚାରୋଟି ଆୟୁଧ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଦେଇଥିଲେ। ତେଣୁ କୁମ୍ଭକାର ମାନେ ଏହି ଚାରୋଟି ଆୟୁଧ ସହ ସେମାନେ ବ୍ୟବହାର କରୁଥିବା ଭାଟିକୁ ମଧ୍ୟ ଏହି ପାଞ୍ଚ ଦିନ ପୂଜା କରନ୍ତି ।
କୁରାଳ ପଞ୍ଚମୀର ବହୁ ପୂର୍ବରୁ ରୁଦ୍ର ପାଳ ଓ ରତ୍ନେଶ୍ଵରୀ (ବିଷ୍ଣୁ ଓ ମହାଲକ୍ଷ୍ମୀ) ଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ ଆରମ୍ଭ ହୋଇଯାଏ । ଯେଉଁ ମାନେ ଏହି ଦୁଇଟି ମୂର୍ତ୍ତି କରିପାରନ୍ତି ନାହିଁ, ସେମାନେ ଗଣେଶଙ୍କର ଛୋଟ ମୂର୍ତ୍ତିକୁ ମଧ୍ୟ ପୂଜା କରନ୍ତି । ଗୋଟିଏ ଦିନ ଆଗରୁ ସେମାନେ ବ୍ୟବହାର କରୁଥିବା ଚକ (ସୁରସେନ ଚକ) ଓ ଉଆ (ଭାଟି)କୁ ସଫା କରି ଦିଅନ୍ତି । ଭାଟିକୁ ଗୋବର ଓ ବନମାଟି ଲିପି ଦିଅନ୍ତି । କୁରାଳ ପଞ୍ଚମୀ ଦିନ ଭୋର୍ରୁ ଭାଟି, ଚକ ଓ ଘରେ ଚିତା ପକାଇ ଦିଅନ୍ତି । ପ୍ରଥମ ଦିନ ବ୍ରାହ୍ମଣ ଆସି ପୂଜା, ହୋମ ସହ ଠାକୁରଙ୍କ ମୂର୍ତ୍ତି ଓ ସମସ୍ତ ଉପକରଣକୁ ପୂଜା କରିଥାନ୍ତି । ପୂଜା ସରିବା ପର୍ଯ୍ୟନ୍ତ ସମସ୍ତେ ନିଷ୍ଠାର ସହ ଉପବାସ କରିଥାନ୍ତି ।
ପ୍ରଥମ ଦିନ (କୁରାଳ ପଞ୍ଚମୀ) ଅରୁଆ ଅନ୍ନ, ଡାଲମା, ଶାଗ ଇତ୍ୟାଦି ରନ୍ଧା ଯାଇ ଭୋଗ ହୋଇଥାଏ । ଦ୍ଵିତୀୟ ଦିନ ( ଓଢଣ ଷଷ୍ଠୀ)ରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଘୋଡଲାଗି ହେବା ସହ କୁମ୍ଭକାର ମାନେ ଚକ, ଭାଟି ଓ ବିଭିନ୍ନ ସରଞ୍ଜାମକୁ ନୂଆ ଲୁଗାରେ ଘୋଡାଇ ଦିଅନ୍ତି । ଏହି ଦିନ ଘରେ ସମସ୍ତେ ନୂଆ ପିନ୍ଧନ୍ତି । ବିଭିନ୍ନ ପ୍ରକାର ପିଠାପଣା ହୋଇ ଭୋଗ ହୁଏ । ତୃତୀୟ ଦିନରେ ଖେଚେଡ଼ି ଓ ଚତୁର୍ଥ ଦିନରେ ଦହି ପଖାଳ ଭୋଗ ହୋଇଥାଏ । ପଞ୍ଚମ ଦିନରେ ଚକୁଳି, ଖିରୀ ଭୋଗ କରି ଠାକୁରଙ୍କୁ ବିସର୍ଜନ କରିଥାନ୍ତି । ପୂଜା ବିଧି ଅନୁସାରେ ଏହି ପାଞ୍ଚ ଦିନ କୁମ୍ଭକାର ମାନେ କାହା ଘରକୁ ଯାଆନ୍ତି ନାହିଁ କି କାହା ଘରେ ଖାଆନ୍ତି ନାହିଁ । କିନ୍ତୁ ଶ୍ରୀମନ୍ଦିରର ଅନ୍ୟ ସେବାୟତମାନେ ଅନ୍ୟ କାହା ଘରେ ନ ଖାଇଲେ ମଧ୍ୟ ଏହି ପାଞ୍ଚ ଦିନ କୁମ୍ଭକାରଙ୍କ ଘରେ ଭୋଗ ଖାଇଥାଆନ୍ତି ।
ଏହି ପୂଜା ବ୍ୟକ୍ତିଗତ ଭାବରେ ନିଜ ନିଜ ଘରେ ପାଳିତ ହେଉଥିଲେ ମଧ୍ୟ, ଭାଇ ମାନେ ଏକାଠି ହୋଇ ରୁଦ୍ରପାଳ ଓ ରତ୍ନେଶ୍ଵରୀଙ୍କୁ ସ୍ଥାପନ କରି ପୂଜା କରିଥାନ୍ତି । ଏହି ପାଞ୍ଚ ଦିନ ସମ୍ପୂର୍ଣ୍ଣ କୁମ୍ଭାରପଡ଼ା ଓ ଟିକରପଡ଼ା ଅଞ୍ଚଳ ସୁନ୍ଦର ଭାବରେ ସଜେଇ ହୋଇଯାଏ । ଶେଷ ଦିନ ମନ୍ତ୍ର ବିସର୍ଜନ ପରେ ସମସ୍ତେ ଏକାଠି ହୋଇ ମୂର୍ତ୍ତି ମାନଙ୍କୁ ଜଳ ବିସର୍ଜନ ପାଇଁ ଅଠରନଳାକୁ ନେଇଯାଆନ୍ତି । କୁମ୍ଭକାରଙ୍କ ଠାକୁର ରୁଦ୍ରପାଳ ଓ ରତ୍ନେଶ୍ଵରୀ ଆଉ କେହି ନୁହନ୍ତି ବରଂ ବିଷ୍ଣୁ ଓ ମହାଲକ୍ଷ୍ମୀ ।