ପୁରୀ,୧୯/୧୨: ଶ୍ରୀମନ୍ଦିରରେ ଆନନ୍ଦ ବଜାରରେ ସଂସ୍କାର ଆଣିବାକୁ ଶ୍ରୀମନ୍ଦିର ପ୍ରଶାସନ ସୁଆର ସେବକଙ୍କ ସହାୟକଙ୍କୁ ସ୍ୱତନ୍ତ୍ର ପୋଷାକ ପିନ୍ଧାଇବାକୁ ପଦକ୍ଷେପ ନେଇଛି । ଆନନ୍ଦ ବଜାରରେ ଦୋକାନ କରିଥିବା ସୁଆର ସେବକମାନେ ଜଣେ ଲେଖାଏଁ ସହାୟକଙ୍କୁ ନିଯୁକ୍ତ କରିପାରିବେ । ଏହାକୁ ଅନୁମତି ଦେବାକୁ ପ୍ରଶାସନ ପ୍ରସ୍ତୁତି କରୁଛି । ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆରମାନଙ୍କୁ ନିଯୁକ୍ତ କରୁଥିବା ସହାୟକଙ୍କ ନାମ, ଠିକଣା ସହ ବିସ୍ତୃତ ପରିଚୟ ମଗାଯାଇଛି । ଆସନ୍ତା ୨୨ ତାରିଖ ସୁଦ୍ଧା ଏହି ତଥ୍ୟ ଦେବା ପରେ ୨୫ ତାରିଖ ସୁଦ୍ଧା ଏହାକୁ ଯାଞ୍ଚ କରି ସହାୟକଙ୍କୁ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ଗଞ୍ଜି ଓ ପରିଚୟପତ୍ର ଯୋଗାଇ ଦେବ । ସହାୟକମାନେ ଆନନ୍ଦ ବଜାରରେ ଅବଢ଼ା ବିକ୍ରିରେ ସହାୟତା କରିବା ବେଳେ ଏହି ଗଞ୍ଜି ଓ ପରିଚୟପତ୍ର ବ୍ୟବହାର କରିବେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦ ବଜାରରେ ଏହି ଶୃଙ୍ଖଳା ଆଣିବାକୁ ବିଭାଗୀୟ ତତ୍ପରତା ପ୍ରକାଶ ପାଇଥିବା ଜଣାପଡ଼ିଛି । ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଉଥିବା ଏହି ପୋଷାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ନ ମହାପ୍ରସାଦ ଦୋକାନ ପାଇଁ କମଳା ରଙ୍ଗ ଓ ଛପନ ଭୋଗ ବା ଶୁଖିଲା ମହାପ୍ରସାଦ ଦୋକାନ ପାଇଁ ସବୁଜ ରଙ୍ଗର ଡ୍ରେସ୍ କୋର୍ଡ(ଗଞ୍ଜି) ହୋଇଛି । ଶୁଖିଲା ଦୋକାନ ପାଇଁ ୨ ଜଣ ସହଯୋଗୀଙ୍କୁ ନିଯୁକ୍ତ କରାଯିବାକୁ ଅନୁମତି ଦିଆଯାଉ ବୋଲି ସୁଆର ମହାସୁଆର ନିଯୋଗ ପ୍ରଶାସନକୁ ଜଣାଇଛି ।
ଅନ୍ୟପଟେ ପାରମ୍ପରିକ ପୋଷାକକୁ ଭୁଲି ଶ୍ରୀମନ୍ଦିର ପ୍ରଶାସନ ଏବେ ଅତ୍ୟାଧୁନିକ ଗଞ୍ଜିକୁ ଡ୍ରେସ୍ କୋର୍ଡ କରିବା ବୁଦ୍ଧିଜୀବୀଙ୍କୁ ହତବାକ୍ କରିଛି । ଅନ୍ୟପଟେ ଖେଇକୁ ପାଳିଆ ସେବକମାନଙ୍କ ଦ୍ୱାରା ବିକ୍ରି ନକରି ସୁଆରମାନେ ନିଜେ ବିକ୍ରି କରନ୍ତୁ ପ୍ରଶାସନିକ ବୈଠକରେ କୁହାଯିବା ଆଉ ଏକ ଅସନ୍ତୋଷର ବିଷୟ ହୋଇଛି । ସେହିପରି ପସରତିଆଙ୍କୁ ବାଦ୍ ନଦେଇ ସେମାନଙ୍କ ପାଇଁ ଡ୍ରେସ୍ କୋର୍ଡ କରିବାକୁ ମଧ୍ୟ ଦାବି ଉଠିଛି । ଯାହାକୁ ନେଇ ସୁଆର ସେବକଙ୍କ ଭିତରେ ଭିତ୍ତିରି ଅସନ୍ତୋଷ ଦେଖାଦେଇଛି । ଆନନ୍ଦ ବଜାରରେ ବାସି ଓ ନଷ୍ଟ ହୋଇଯାଇଥିବା ଅବଢ଼ା ବିକ୍ରି ବନ୍ଦ ସାଙ୍ଗକୁ ଠାକୁରଙ୍କ ନିକଟରେ ଭୋଗ ଲାଗୁ ନଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ଆନନ୍ଦ ବଜାରରେ ପ୍ରଶାସନ ପକ୍ଷରୁ ବିକ୍ରି ବନ୍ଦ ପରେ ଏବେ ସୁଆରସେବକଙ୍କ ଅସନ୍ତୋଷ ବଢ଼ିଛି ।